June 26, 2024

୧୪୦ ଲିଟର ବିଦେଶୀ ମଦ ଜବତ , ପ୍ରାକ୍ତନ ସରପଞ୍ଚ ସମେତ ୩ ଗିରଫ

Share

ବୁଗୁଡା : ତା ୧୮/୦୫/୨୪ : ବୁଗୁଡା ଥାନା ଅନ୍ତର୍ଗତ ଭଗବାନପୁର-ପାଣିକେଶର କେନାଲ ରାସ୍ତାରେ ଶୁକ୍ରବାର ରାତିରେ ବିଦେଶୀ ମଦ ବୋଝେଇ ହୋଇ ଯାଉଥିବା ଏକ ବୋଲେରୋ ଗାଡ଼ିକୁ ପୋଲିସ ଜବତ ସହ ୩ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ତିନିହେଁ ହେଲେ କରଚୁଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଧୋବା ପ୍ରଧାନ , ନନ୍ଦିଘର ଗ୍ରାମର ସନ୍ତୋଷ କୁମାର ଦୋରା ଓ କରଚୁଲି ଗ୍ରାମର ସୁଶାନ୍ତ ପ୍ରଧାନ । ଏ ନେଇ ପୋଲିସ କେସ୍ ନଂ ୩୨୨/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ , ବୁଗୁଡ଼ା ଅଞ୍ଚଳରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ସାଙ୍ଗକୁ ଚାରିଆଡେ ମଦ ମାଂସର ଆସର ଚାଲିଥିବା ବେଳେ ଗତ ଶୁକ୍ରବାର ରାତିରେ ଏକ ବୋଲେରୋ ଗାଡ଼ି (ନଂ-ଓଡି ୨୫ଏଫ୍ – ୦୮୮୪)ରେ ପ୍ରାୟ ୧ ଲକ୍ଷ ଟଙ୍କାର ୧୪୦ ଲିଟର ବିଦେଶୀ ମଦ ବୋଝେଇ ହୋଇ କେନାଲ ରାସ୍ତାରେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଦାୟିତ୍ବରେ ପୋଲିସ ଏଏସଆଇ ରାଜ କୁମାର ମହାପାତ୍ର ରହିଥିବା ବେଳେ ଜବତ ମଦ ଭୋଟରଙ୍କୁ ବଣ୍ଟନ ନିମନ୍ତେ ନିଆଯାଉଥିଲା ବୋଲି ଜଣାଯାଇଛି ।