ପୁରୀରେ ବିଶ୍ୱ ଐତିହ୍ୟ ଦିବସ ପାଳିତ
ବିଶ୍ୱ ଐତିହ୍ୟ ଦିବସ ଉପଲକ୍ଷେ ସ୍ଥାନୀୟ ସିଟି ରୋଡ୍ ସ୍ଥିତ ୟୁଥ୍ ହଷ୍ଟେଲ୍ରେ ଇଣ୍ଟାକ୍ ଭୁବନେଶ୍ୱର ଚାପ୍ଟର, ପୁରୀ ଐତିହ୍ୟ ପଦଯାତ୍ରା, ଐତିହ୍ୟ ସଂରକ୍ଷଣ ପରିଷଦ, ବ୍ରହ୍ମଗିରି ଐତିହ୍ୟ ପରିଷଦ ଓ କୋଣାର୍କ ଐତିହ୍ୟ ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଏକ ବିଶେଷ ଚିନ୍ତନ ଚକ୍ର। ଏଥିରେ ପୁରୀ , କୋଣାର୍କ, ବ୍ରହ୍ମଗିରି ତଥା ଭୁବନେଶ୍ୱରରୁ ଅତିଥି ମାନେ ଯୋଗ ଦେଇ ଆମର ଐତିହ୍ୟ ସଂରକ୍ଷଣର ଗୁରୁତ୍ୱ ନେଇ ନିଜ ନିଜର ମତ ରଖିଥିଲେ।
ଚଳିତ ବର୍ଷ ଐତିହ୍ୟ ଦିବସର ଉଦ୍ଦେଶ୍ୟ ଅନୁଯାୟୀ ବର୍ତ୍ତମାନ ଆମ ଚାରିପାଖରେ ଉପଲବ୍ଧ ଐତିହ୍ୟସଂପଦକୁ ସଂରକ୍ଷିତ ରଖିବାକୁ ଆମ ପରପିଢ଼ୀକୁ ଏହି ବିଷୟରେ ସଚେତନ କରିବାକୁ ହେବ। ପ୍ରତି ଗାଁ, ସହର ତଥା ଆମର ଆଖପାଖରେ ଅବହେଳିତ ହୋଇ ପଡ଼ିଥିବା ଆମର ପ୍ରାଚୀନ କିର୍ତ୍ତୀରାଜି ତଥା ଲୋପ ପାଇ ଆସୁଥିବା ଆମ ଭାଷାସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଉକ୍ତ ଆଲୋଚନାରେ ମତ ରଖିଥିଲେ ବିଜ୍ଞ ଅତିଥିଗଣ।
ଇନଟାକ୍ର ଆଜୀବନ ସଦସ୍ୟ ସୁବାଷ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିବା ବେଳେ ପୁରୀର ବିଶିଷ୍ଟ ଐତିହ୍ୟ ଗବେଷକ ଦେବୀ ପ୍ରସନ୍ନ ନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଶିଷ୍ଟ ଐତିହ୍ୟପ୍ରେମୀ ତଥା ଗବେଷକ ଡକ୍ଟର ସୁରେନ୍ଦ୍ର ମିଶ୍ରଙ୍କର ଐତିହ୍ୟ ଶତକର ଦ୍ବିତୀୟ ଭାଗର ଉନ୍ମୋଚନ ସହ ପୁରୀରେ ଲୋପ ପାଇଯାଉଥିବା ଅନନ୍ୟ ଐତିହ୍ୟସ୍ଥଳର ସଂରକ୍ଷଣ ପାଇଁ ଆମେ ତତ୍ପର ହେବା ଉଚିତ୍ ବୋଲି ନିଜର ମତ ରଖିଥିଲେ। ଅନ୍ୟତମ ସଦସ୍ୟ ତଥା ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ଗୋଲକ ବିହାରୀ ସିଂଙ୍କ କହିବା ଅନୁଯାୟୀ ଯୁବପିଢ଼ୀମାନେ ଆଗକୁ ଆସି ଆମ ଐତିହ୍ୟ ବିଷୟରେ ଜାଣିପାରିଲେ ଏହାର ଉଦ୍ଧାର ସମ୍ଭବ ହେବ । ସଭାରେ ମୁଖ୍ୟ ବକ୍ତା ପ୍ରଫେସର ଗୋପାଳ କୃଷ୍ଣ ଦାଶ ନିଜର ଅନୁଭବ ବ୍ୟକ୍ତ କରି ଆମ ଭାଷାର ଅସ୍ତିତ୍ୱ ବଜାୟ ରଖିବା ସହ ଆମ ସଂସ୍କୃତିର ନିଜସ୍ୱ ଗାରିମା ଓଡ଼ିଶା ବାହାରେ ମଧ୍ୟ ବଜାୟ ରଖିବା ବିଷୟରେ ଆଲୋକପାତ କରିଥିଲେ।
ଏହି ଅବସରରେ ପୁରୀ ଐତିହ୍ୟ ସଂରକ୍ଷଣ ପରିଷଦର ଅଧ୍ୟକ୍ଷ ବିଭୁପ୍ରସାଦ ତ୍ରିପାଠୀ ପରିଷଦର କାର୍ଯ୍ୟାବଳି ବିଷୟରେ ସୂଚନା ପ୍ରଦାନ କରିଥିଲେ। ବ୍ରହ୍ମଗିରି ଐତିହ୍ୟ ପରିଷଦର ଆଧାର ପୁରୁଷ ନୀଳମଣି ସୁଆର ବକ୍ତବ୍ଯ ରଖିଥିଲେ । ଶ୍ରୀଜଗନ୍ନାଥ ମନ୍ଦିରର ପୁରୋହିତ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ମନ୍ଚାସୀନ ଥିଲେ । ଆଲୋଚନାର ମୁଖ୍ୟ ଅତିଥି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ଆମର ଐତିହ୍ୟ ସଂରକ୍ଷଣ ଦିଗରେ ବିଭିନ୍ନ ଐତିହ୍ୟ ସଂଗଠନର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ।
ସଭାରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫେସର ଗୋପାଳକୃଷ୍ଣ ଦାଶ, ବରିଷ୍ଠ ଚିକିତ୍ସକ ଡାକ୍ତର ବିଶ୍ୱନାଥ ପଟ୍ଟନାୟକ, ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ପୂଜକ ଶ୍ରୀଯୁକ୍ତ ନିଳମଣି ସୁଆର, ଇନଟାକ ସଦସ୍ୟ ଶ୍ରୀ ଗୋଲକ ବିହାରୀ ସିଂ ଏବଂ ପୁରୀ ଐତିହ୍ୟପଦଯାତ୍ରାର ସହ ସଂଯୋଜିକା ଅଶୋକା ମଞ୍ଜରୀ ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ସମ୍ମାନିତ କରାଯାଇଥିଲା। ସଭା ଶେଷରେ କୋଣାର୍କ ଐତିହ୍ୟ ପରିଷଦର ସଂପାଦକ ସଞ୍ଜୟ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
