March 7, 2026

ଦଶହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ l

WhatsApp Image 2026-02-18 at 4.54.52 PM
Share

ବାବା ଯୋଡ଼ାଲିଙ୍ଗ ପ୍ରାଙ୍ଗଣରେ ଅନୁଷ୍ଠିତ ପବିତ୍ର ଜାଗର ଯାତ୍ରା ଅବସରରେ ଚଳିତ ବର୍ଷ ଏକ ବିଶାଳ ପ୍ରସାଦ ସେବା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭୂମିକା ଫାଉଣ୍ଡେସନ (ଭୁବନେଶ୍ୱର), ପୁରୀ କିନ୍ନର ସଂଘ ଏବଂ ଜମାରସୁଆଁ ପଞ୍ଚାୟତର ମହାବୀର ସେବା ସଂଗଠନର ମିଳିତ ସହଯୋଗରେ ପ୍ରାୟ ୧୦,୦୦୦ ଶ୍ରଦ୍ଧାଳୁଙ୍କୁ ମାଗଣା ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଗତ ୧୦ ବର୍ଷ ଧରି ନିରନ୍ତର ଭାବେ ଜାରି ରହିଥିବା ଏହି ସେବା କାର୍ଯ୍ୟକ୍ରମରେ ଚଳିତ ବର୍ଷ ଓଡ଼ିଶା କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ମୀରା ମାଆଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସେବା ମନୋଭାବକୁ ଉତ୍ସାହିତ କରିଥିଲେ। ପୁରୀ ଜିଲ୍ଲା କିନ୍ନର ସଂଘର ସଭାପତି ପ୍ରିୟାଂଶୀ ଦାସ, ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ଦାଶ ଏବଂ ବ୍ରଜ ସାର୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅତି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା, ଯାହା ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ସାମାଜିକ ସଂହତିର ଉଦାହରଣ ସୃଷ୍ଟି କରିଛି।ଏହାର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ କୁହନ୍ତି “ଏହି ମହତ ପ୍ରୟାସର ମୂଳ ଉଦ୍ଦେଶ୍ୟ ହେଉଛି ପବିତ୍ର ଜାଗର ଯାତ୍ରା ସମୟରେ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନିଃସ୍ୱାର୍ଥପର ଭାବେ ସେବା କରିବା ଏବଂ ସମାଜରେ ସାମାଜିକ ସଂହତିର ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିବା। ବିଗତ ୧୦ ବର୍ଷ ଧରି ଜାରି ରହିଥିବା ଏହି ମାଗଣା ପ୍ରସାଦ ସେବା କେବଳ କ୍ଷୁଧା ନିବାରଣ ନୁହେଁ, ବରଂ ଭୂମିକା ଫାଉଣ୍ଡେସନ, ପୁରୀ କିନ୍ନର ସଂଘ ଏବଂ ମହାବୀର ସେବା ସଂଗଠନର ମିଳିତ ଉଦ୍ୟମ ମାଧ୍ୟମରେ ସମାଜର ବିଭିନ୍ନ ବର୍ଗକୁ ଏକାଠି କରି “ସେବା ହିଁ ପରମ ଧର୍ମ” ର ବାର୍ତ୍ତା ପ୍ରସାର କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ। ଶ୍ରଦ୍ଧାଳୁମାନଙ୍କ ଯାତ୍ରାକୁ ସୁଗମ କରିବା ସହ ଭେଦଭାବ ଶୂନ୍ୟ ଏକ ଆଧ୍ୟାତ୍ମିକ ପରିବେଶ ଗଠନ କରିବା ଏହି ସେବା କାର୍ଯ୍ୟର ଅଭିମୁଖ୍ୟ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l