ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହାର କେନ୍ଦ୍ର ସ୍ଥାପନ ପାଇଁ ଦାବି

ବୋଲଗଡ଼,(ଉପାନ୍ତ ଖବର): ରାଜ୍ୟ ସରକାର ସହରାଞ୍ଚଳ ଏବଂ ବିଭିନ୍ନ ଜିଲ୍ଲାର ପ୍ରମୁଖ ସରକାରୀ ହସ୍ପିଟାଲରେ ମାତ୍ର ୫ ଟଙ୍କାରେ ପୌଷ୍ଟିକ ଭୋଜନ ଯୋଗାଇବା ପାଇଁ “ଆହାର” ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ, ସେମାନଙ୍କ ସମ୍ପର୍କୀୟ, ଗରିବ ଓ ଅସହାୟ ଲୋକମାନେ ସ୍ୱଳ୍ପ ମୂଲ୍ୟରେ ସ୍ୱଚ୍ଛ ଏବଂ ପୌଷ୍ଟିକ ଖାଦ୍ୟ ପାଇପାରୁଛନ୍ତି। କିନ୍ତୁ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ଆହାର କେନ୍ଦ୍ର ସ୍ଥାପନ ହୋଇନଥିବାରୁ ପ୍ରତିଦିନ ଚିକିତ୍ସା ପାଇଁ ଆସୁଥିବା ଶତାଧିକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନାନା ଅସୁବିଧା ଭୋଗିବାକୁ ପଡ଼ୁଛି। ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେବଳ ରାଜସୁନାଖଳା ଅଞ୍ଚଳର ନୁହେଁ, ବରଂ ରଣପୁର, ବୋଲଗଡ ,ଭାପୁର ଏବଂ ପଡ଼ୋଶୀ ଅଞ୍ଚଳର ବହୁ ପଞ୍ଚାୟତର ଲୋକଙ୍କ ପାଇଁ ଏକ ପ୍ରମୁଖ ସରକାରୀ ଚିକିତ୍ସାକେନ୍ଦ୍ର। ପ୍ରତିଦିନ ବହୁ ସଂଖ୍ୟାରେ ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା, ଶିଶୁ, ଦୁର୍ଘଟଣାଗ୍ରସ୍ତ ଓ ବିଭିନ୍ନ ରୋଗରେ ପୀଡ଼ିତ ଲୋକମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଅନେକ ରୋଗୀଙ୍କୁ ଦିନସାରା କିମ୍ବା ରାତି ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡ଼ୁଥିବାବେଳେ ସେମାନଙ୍କ ସହ ଆସୁଥିବା ପରିବାର ଲୋକଙ୍କ ପାଇଁ ଖାଦ୍ୟର କୌଣସି ସୁବିଧା ନାହିଁ। ହସ୍ପିଟାଲ ପରିସରରେ ଆହାର କେନ୍ଦ୍ର ନଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ବାହାରର ହୋଟେଲ କିମ୍ବା ଦୋକାନ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସେଠାରେ ଅଧିକ ଦାମରେ ଖାଦ୍ୟ କିଣିବାକୁ ପଡ଼ୁଥିବାରୁ ଗରିବ ଏବଂ ମଧ୍ୟବିତ୍ତ ପରିବାରମାନେ ଆର୍ଥିକ ଚାପରେ ପଡ଼ୁଛନ୍ତି। ବିଶେଷକରି ଯେଉଁମାନେ ଦୂର ଗ୍ରାମରୁ ଆସୁଛନ୍ତି ସେମାନଙ୍କ ପାଇଁ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ଅନେକ ସମୟରେ ଜରୁରୀ ଚିକିତ୍ସା ଚାଲିଥିବାବେଳେ ରୋଗୀଙ୍କ ପରିବାର ଲୋକ ଖାଦ୍ୟ ପାଇଁ ହସ୍ପିଟାଲ ଛାଡ଼ି ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ରୋଗୀଙ୍କ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ବର୍ଷା ଋତୁ କିମ୍ବା ପ୍ରବଳ ଖରା ସମୟରେ ଏହି ସମସ୍ୟା ଆହୁରି ବଢ଼ିଯାଏ। ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ବିଭିନ୍ନ ସଙ୍ଗଠନର ସଦସ୍ୟମାନେ କହିଛନ୍ତି ଯେ, ଯେଉଁ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏତେ ବଡ଼ ଅଞ୍ଚଳର ଲୋକ ନିର୍ଭର କରୁଛନ୍ତି, ସେଠାରେ ଆହାର କେନ୍ଦ୍ର ନଥିବା ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ। ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ରାଜସୁନାଖଳା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ମୌଳିକ ସୁବିଧା ନଥିବା ପ୍ରଶାସନିକ ଅବହେଳାକୁ ସୂଚାଉଛି। ଅଞ୍ଚଳବାସୀଙ୍କ ଦାବି ହେଉଛି, ରାଜସୁନାଖଳା ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଏକ ଆହାର କେନ୍ଦ୍ର ସ୍ଥାପନ କରାଯାଉ, ଯାହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସ୍ୱଳ୍ପ ମୂଲ୍ୟରେ ଗୁଣାତ୍ମକ ଖାଦ୍ୟ ପାଇପାରିବେ। ଏହାସହ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ଆବଶ୍ୟକ ଅନ୍ୟାନ୍ୟ ମୌଳିକ ସୁବିଧାର ମଧ୍ୟ ବିକାଶ କରିବାକୁ ଦାବି ହୋଇଛି। ଏବେ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଉପରେ। ରାଜସୁନାଖଳା ସ୍ୱାସ୍ଥ୍ୟକେନ୍ଦ୍ରରେ କେବେ ଆହାର କେନ୍ଦ୍ର ଖୋଲିବ ଏବଂ କେବେ ରୋଗୀଙ୍କ ଦୁର୍ଭୋଗ ଦୂର ହେବ, ତାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସୁକତା ଓ ଆଶା ଦେଖାଦେଇଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
