April 23, 2026

ଏନ୍.ସି.ଆର୍ ଓ ନୋଏଡ଼ା ରେ ଶ୍ରମିକ ନେତାଙ୍କ ଗିରଫଦାରି ବନ୍ଦ କରିବା ଦାବୀରେ ପ୍ରତିବାଦ 

IMG-20260417-WA0046
Share

 

ଭୁବନେଶ୍ୱର ତା ୧୭/୪ : ନୂଆଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଏନ୍.ସି.ଆର୍ ଓ ନୋଏଡ଼ାରେ ଆନ୍ଦୋଳନରତ ଶ୍ରମିକମାନଙ୍କ ସମର୍ଥନରେ ଏବଂ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଆଜି ଟିୟୁସିସି ଓ ଏଆଇସିସିଟିୟୁ ପକ୍ଷରୁ ଦିଆଯାଇଥିବା ଆହ୍ୱାନର ଫଳ ସ୍ୱରୂପ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ

ଶ୍ରମିକ ପ୍ରତିବାଦ ଦିବସ ପାଳନ ହୋଇଯାଉଛି।

ମୋଦୀ ସରକାରଙ୍କ କର୍ପୋରେଟ୍ ଅନୁକୂଳ ନୀତି ଏବଂ ଦିଲ୍ଲୀ-ଏନସିଆର (NCR) ଅଞ୍ଚଳର କାରଖାନା ମାଲିକମାନଙ୍କ ଅହେତୁକ ମୁନାଫା ଖୋର ମନୋଭାବ ଯୋଗୁଁ ନୋଏଡା, ମାନେସର, ଫରିଦାବାଦ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଶ୍ରମିକ ଅସନ୍ତୋଷ ତେଜିବାରେ ଲାଗିଛି। ଶ୍ରମିକମାନଙ୍କର ଦୀର୍ଘ ଦିନର ଦାବିକୁ କେବଳ ଅଣଦେଖା କରାଯାଇ ନାହିଁ, ବରଂ କାରଖାନା ମାଲିକ ଏବଂ ସରକାରୀ କଳର ମଧୁଚନ୍ଦ୍ରିକା ଯୋଗୁଁ ପ୍ରତିବାଦ କରୁଥିବା ଶ୍ରମିକମାନଙ୍କୁ ବାରମ୍ବାର ଦଣ୍ଡିତ କରାଯାଉଛି। ଏଲପିଜି (LPG) ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଅଧିକାର ଓ ମଜୁରୀ ପାଇଁ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ କରିଛି, ଅନ୍ୟଥା ସେମାନଙ୍କୁ ଭୋକିଲା ରହିବାକୁ ପଡ଼ିବ।

ଦିଲ୍ଲୀ-ଏନସିଆରର ଆନ୍ଦୋଳନରତ ଶ୍ରମିକମାନଙ୍କ ସହ ସହମତି ପ୍ରକାଶ କରି ଏଆଇସିସିଟିୟୁ ର ରାଜ୍ଯ ସଂପାଦକ ମହେନ୍ଦ୍ର ପରିଡା,ଟିୟୁସିସି ର ରାଜ୍ୟ ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ର,ଏଆଇସିସିଟିୟୁ ର ଉପସଭାପତି ବଂଶିଧର ପରିଡା,ଟିୟୁସିସି ର ରାଜ୍ୟ ନେତ୍ରୀ ଲଷ୍ମୀ ଦୋରା, ଆଲୋକ ମହାପlତ୍ର, ବିଶ୍ୱଜିତ୍ ପଣ୍ଡା, ଦିଶା ଆଜାଦ, ବିଜୟ ବେହେରା, ସଫେଇ କର୍ମଚାରି ସଂଘ ନେତା ବନ ବିହାରି ଦାସ, ଚିତ୍ର ସେନ ସେଠୀ ଦାବିକରି କହିଛନ୍ତି ଯେ, ସମସ୍ତ ଆନ୍ଦୋଳନରତ ଶ୍ରମିକ ଏବଂ ୟୁନିଅନ୍ କର୍ମକର୍ତ୍ତାଙ୍କୁ ତୁରନ୍ତ ଖଲାସ କର, ଶ୍ରମିକ ଆନ୍ଦୋଳନ ଉପରେ ପୋଲିସ ନିର୍ଯାତନା ବନ୍ଦ କର, ଶୋଷଣମୂଳକ ସ୍ୱଳ୍ପ ମଜୁରୀ ବନ୍ଦ କର, ସର୍ବନିମ୍ନ ମାସିକ ମଜୁରୀ ୪୨,୦୦୦ ଟଙ୍କାକୁ ବୃଦ୍ଧି କର, ବାର ଘଣ୍ଟିଆ କାର୍ଯ୍ୟଦିବସକୁ ବିରୋଧ କରି ଆଠ ଘଣ୍ଟିଆ କାର୍ଯ୍ୟଦିବସ କାର୍ଯ୍ୟକାରୀ କରାଅ, ଓଭରଟାଇମ୍ କାମ ପାଇଁ ଦ୍ୱିଗୁଣିତ ହାରରେ ଦେୟ ପ୍ରଦାନ ସୁନିଶ୍ଚିତ କର, ସମସ୍ତ ଶ୍ରମିକଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ସାମାଜିକ ନିରାପତ୍ତା ନିଶ୍ଚିତ କର,

ଚାରୋଟି ଶ୍ରମିକ ବିରୋଧୀ ଶ୍ରମ କୋଡ୍‌ ରଦ୍ଦ କର, ଶୋଷଣମୂଳକ ଚୁକ୍ତିଭିତ୍ତିକ ପ୍ରଥା ଏବଂ ନିର୍ଦ୍ଦିଷ୍ଟ ଅବଧି ନିଯୁକ୍ତି (Fixed Term Employment) ବନ୍ଦ କର,

ଶ୍ରମିକ ଙ୍କ ଅପେକ୍ଷା ମୁନାଫାକୁ ପ୍ରାଥମିକତା ଦେବା ବନ୍ଦ କରିବା ପାଇଁ ଦାବୀ ଜଣାଇଥିଲେ l

ଶ୍ରମିକ ଶ୍ରେଣୀର ସ୍ୱାର୍ଥ ର ସୁରକ୍ଷାକୁ ଗ୍ୟାରେଣ୍ଟି କରାଯିବl ସହ ତୁରନ୍ତ ଶ୍ରମିକମାନଙ୍କ ଦାବୀ ପୂରଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରମିକ ନେତାମାନେ ଆନ୍ଦୋଳନ ଅବସରରେ ଚେତାବନୀ ଦେଇଛନ୍ତି l