March 12, 2026

ବିଭିନ୍ନ ସମସ୍ୟା ନେଇ ଦାସିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ..

IMG-20260217-WA0020
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ତହସିଲ ଅନ୍ତର୍ଗତ ଦାସିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ,ଏହି ସମସ୍ୟା ଗୁଡିକର ଶୀଘ୍ର ସମାଧାନ ପାଇଁ ପୂର୍ବରୁ ଦାସିଗାଁ ଗ୍ରାମବାସୀ ଜୁନାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରିଙ୍କୁ ଲିଖିତ ଭାବରେ ଜଣାଇଥିବା ସତ୍ତ୍ୱେ, କୌଣସି ବିଭାଗୀୟ କର୍ତୃପକ୍ଷଙ୍କ ଦ୍ୱାରା କୌଣସି ପଦକ୍ଷେପ ନିଆ ନଯିବାରୁ, ଶେଷରେ ବାଧ୍ୟ ହୋଇ ଗତକାଲି ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ପାକଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଛି ଅଭିଭାବକ ଜଣାଇଛନ୍ତି ଯେ, ଏହି ବିଦ୍ୟାଳୟରେ ମୋଟ ୨୭୯ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବାବେଳେ, ଏମାନଙ୍କ ପାଠ ପଢ଼ା ପାଇଁ ମାତ୍ର ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ଥିବାବେଳେ, ସେଥିମଧ୍ୟରୁ ଜଣେ ଶିକ୍ଷକ ବି. ଏଲ. ଓ ଦାୟିତ୍ୱରେ ଥିବାବେଳେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଦୀର୍ଘ ଦିନ ହେଲା ବିଦ୍ୟାଳୟରେ ନିଜର ଅନୁପସ୍ଥିତି ଜାହିର କରିଆସୁଛନ୍ତି। ଏଥିଯୋଗୁଁ ମାତ୍ର ୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢ଼ା ଦାୟିତ୍ୱ ତୁଳାଉଥିବାବେଳେ ପିଲାଙ୍କ ପାଠ ପଢ଼ାରେ ସମ୍ପୂର୍ଣ ବ୍ୟାଘାତ ସୃଷ୍ଟ ହେଉଛି। ଏଥିଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଉଛି। ଏହାଛଡା ଏହି ବିଦ୍ୟାଳୟରେ ଏତେ ସଂଖ୍ୟାରେ ପିଲା ପାଠ ପଢୁଥିବାବେଳେ,ବିଦ୍ୟାଳୟରେ ଶୌଚାଳୟ ଓ ପାନୀୟ ଜଳର କୌଣସି ବନ୍ଦୋବସ୍ତ ନାହିଁ। ଏଥିଯୋଗୁଁ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ, ଶୌଚ ପାଇଁ ନିକଟରେ ବୋହିଯାଇଥିବା ଗଭୀର କେନାଲ ଉପରେ ଭରସା କରୁଛନ୍ତି, ଯାହାକି ଛାତ୍ର ଛାତ୍ରୀଙ୍କ ଜୀବନ ପାଇଁ ସମ୍ପୂର୍ଣ ବିପଦଜନକ ଅଟେ। ତେଣୁ ଏହିସବୁ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଅଭିଭାବକ ମାନେ ଏକତ୍ରିତ ହୋଇ ବିଦ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଖବର ପାଇବା ପରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି, ଅଭିଭାବକ ମାନଙ୍କୁ ଏହି ସମସ୍ତ ସମସ୍ୟା ଗୁଡିକର ଅତିଶୀଘ୍ର ସମାଧାନ ହୋଇଯିବ ବୋଲି ପ୍ରତିଶୃତି ଦେବାପରେ ଅଭିଭାବକ ମାନେ ବିକ୍ଷୋଭରୁ ଓହରିଥିଲେ।