ଗରିବ, ଅବହେଳିତଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ..
ଗରୀବ,ଅବହେଳିତମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ ସହଯୋଗର ହାତ ବଢ଼ାଇ ସମଗ୍ର ନିର୍ବାଚନ ମଣ୍ଡଳୀରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ସମାଜସେବୀ ଜିତୁ ମହାନ୍ତି ଆଜି ଆଉ ଏକ ପାଦ ଆଗକୁ ଯାଇ ନିଆରା ଢଙ୍ଗରେ ଗ୍ରାମାଞ୍ଚଳ ରେ ଛୋଟ ଚାଷୀ ମାନଙ୍କୁ ଏବଂ ଖବରକାଗଜ ବଣ୍ଟନ କରୁଥିବା ହକରମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସହିତ ଅସହାୟ ଦିବ୍ୟାଙ୍ଗ ଙ୍କୁ ୱେଇଲ ଚୟାର ବଣ୍ଟନ କରିଛନ୍ତି l ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅଧିନସ୍ତ ଭାଣପୁର ଠାରେ ଥିବା ଏକ ମଣ୍ଡପରେ ଉକ୍ତ ବଣ୍ଟନ କାର୍ଯ୍ୟ ହୋଇଥିଲା ଏଥିରେ ଶତାଧିକ ବ୍ୟକ୍ତି ବିଶେଷ ଉପକୃତ ହୋଇଛନ୍ତି l ହାଟରେ ବସି ପରିବା ବିକ୍ରୟ କରୁଥିବା ଖୁଦ୍ର ବ୍ୟବସାୟୀ ତଥା ଚାଷୀମାନଙ୍କୁ କମ୍ପୁଟର ଓଜନ ଯନ୍ତ୍ର ପ୍ରଦାନ କରିଥିଲେ । କାରଣ ଅନେକ ସମୟରେ ଏହି ପୁରୁଣା ଦଣ୍ଡିସାଜକୁ ନେଇ ଗ୍ରାହକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ପାଟିତୁଣ୍ଡ ଝଗଡା ହେଉଥିବାର ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମାଜସେବୀ ଜିତୁ ମହାନ୍ତି ଶତାଧିକ ଚାଷୀ, କ୍ଷୁଦ୍ର ବ୍ୟବସାୟିଙ୍କୁ କମ୍ପ୍ୟୁଟର ଯୁକ୍ତ ଓଜନ ମାପ ଦଣ୍ଡି ପ୍ରଦାନ କରିଥିଲେ। ଏହାକୁ ବ୍ୟବହାର କରିବା ପ୍ରଣାଳୀ ଜିତୁଙ୍କ ସହ ଥିବା ଦୁଇଜଣ ସହଯୋଗୀ ଦେଖାଇଥିଲେ। ସେହିଭଳି ଖରା ବର୍ଷାରେ ଅବିଛିନ୍ନ ସେବା ଯୋଗାଇ ଦେଉଥିବା ଖବରକାଗଜ ହକର ଭାଇ ମାନେ ଖବରକାଗଜ ବଣ୍ଟନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଯାଇଛି। କିଏ ଚାଲି ଚାଲି କାଗଜ ବାଣ୍ଟୁଛି ତ ଆଉ କିଏ ପୁରୁଣା ଭଙ୍ଗା ସାଇକେଲରେ ଶହ ଶହ କାଗଜ ଲଦି ବିଭିନ୍ନ ଗାଁ, ସହର ବାଣ୍ଟିବାକୁ ନାକେଦମ ହେଉଛି। ଏହାକୁ ମଧ୍ୟ ଦୃଷ୍ଟିରେ ରଖି ନିମାପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ପ୍ରାୟ ୫୦ଜଣ ହକର ମାନଙ୍କୁ ନୂଆ ସାଇକେଲ ପ୍ରଦାନ କରା ଯାଇଥିଲା। ଏତଦବ୍ୟତୀତ ୧୦ଜଣ ଦିବ୍ୟାଙ୍ଗ ପୁରୁଷ ମହିଳାମାନଙ୍କୁ ତିନି ଚକିଆ ସାଇକେଲ ମଧ୍ୟ ପ୍ରଦାନ କରା ଯାଇଥିଲା। ଗରୀବ, ଅବହେଳିତଙ୍କୁ ସହଯୋଗର ଉଦ୍ଦେଶ୍ୟ କଣ ବୋଲି ପଚାରିବାରୁ ଜିତୁଙ୍କ ପ୍ରତିକ୍ରିୟା ଏପରି ଥିଲା ଯେ, ମୁଁ ଗରୀବ ପରିବାରରୁ ଆସିଛି ଗରୀବର ଦୁଃଖ, ଅଭାବକୁ ମୁଁ ଭଲଭାବେ ହୃଦୟଙ୍ଗମ କରିଛି। ତେଣୁ ଗରୀବ, ଅବହେଳିତଙ୍କୁ ସାହାଯ୍ୟ, ସହଯୋଗ କରିବାରେ ମୁଁ କେବେ କୁଣ୍ଠିତ ନୁହେଁ। ଯଦି ସମାଜସେବା କରିବା ପାଇଁ ରାଜନୈତିକ ସୁଯୋଗ ମିଳେ ତେବେ ଏହି ସେବାକୁ ମୁଁ ଦ୍ବିଗୁଣିତ କରିବାକୁ ପ୍ରତିଜ୍ଞାବଦ୍ଧ ରହିଛି।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)