May 11, 2026

ମନମୋହନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିଜେପି ରାଜ୍ୟ ସଭାପତି ପଦରେ କିଏ ବସିବ ତାହାକୁ କର୍ମୀଙ୍କ ଅପେକ୍ଷା ରହିଛି।

IMG-20250117-WA0000
Share

ମନମୋହନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିଜେପି ରାଜ୍ୟ ସଭାପତି ପଦରେ କିଏ ବସିବ ତାହାକୁ କର୍ମୀଙ୍କ ଅପେକ୍ଷା ରହିଛି। କିନ୍ତୁ ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଥିବା ବିଜେପି ନିଜର ସଭାପତି ଚେହେରା ଘୋଷଣା କରିପାରୁନି। କୁହାଯାଉଛି, ଦଳର ପ୍ରଭାବଶାଳୀ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ପତିଆରା ଲଢେଇ ପାଇଁ ସଭାପତି ଚୟନ ବିଳମ୍ବିତ ହେଉଛି।

 

ନୂଆ ମଙ୍ଗୁଆଳ ଖୋଜା ଅଭିଯାନରେ ରାଜ୍ୟ ବିଜେପି । ଦୀର୍ଘଦିନ ହେବ କସରତ ଚାଲିଛି, କିନ୍ତୁ କୌଣସି ନାଁରେ ଏଯାଏଁ ମୋହର ବାଜିପାରୁନି । କୁହାଯାଉଛି, ସଭାପତି ଆସନ ପାଇଁ ଅନେକ ଆଶାୟୀଙ୍କ ନାଁ ତାଲିକାରେ ସ୍ଥାନ ପାଇଛି । ରାଜ୍ୟରେ ବିଜେପି ସରକାରକୁ ଆସିଥିବାରୁ ସଭାପତି ଆସନ ବେଶ ଗୁରୁତ୍ବ ବହନ କରୁଛି । ତେଣୁ ଦଳରେ ଥିବା ପାୱାରଫୁଲ ଗୋଷ୍ଠୀ ନିଜ ନେତାଙ୍କୁ ସଭାପତି ପଦରେ ବସାଇବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି । ତେଣୁ ସଭାପତି ପଦ ପାଇଁ ଏବେ ସଙ୍ଗଠନରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହେଇଥିବା ଚର୍ଚ୍ଚା ହେଉଛି। କେହି କାହାକୁ ବାଟ ଛାଡିବାକୁ ନାରାଜ। ଅନ୍ୟପଟେ ବିଜେପି ନେତାଙ୍କ ଯୁକ୍ତି, ଦଳରେ କନ୍ଦଳ ନାହିଁ। ଯିଏ ବି ଦାୟିତ୍ବ ନେବ ସମସ୍ତଙ୍କୁ ନେଇ ଚାଲିବ।

 

ରାଜ୍ୟ ବିଜେପି ସଭାପତି ବାଛିବାକୁ ସାଙ୍ଗଠନିକ ନିର୍ବାଚନ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ମଣ୍ଡଳ ପରେ ଏବେ ଜିଲ୍ଲା ଓ ରାଜ୍ୟ ମଙ୍ଗୁଆଳ ପଦରେ ନିଜ ନେତାଙ୍କୁ ବସାଇବାକୁ ବିଜେପିର ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ଆରମ୍ଭ ହୋଇଛି ରେସ୍। ନିଜ ଗୋଷ୍ଠୀର ନେତାଙ୍କ ସାଙ୍ଗଠନିକ ଦକ୍ଷତା ରିପୋର୍ଟ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି। ନୂଆ ବିଧାୟକ ଓ ସାଂସଦ ମଧ୍ୟ ମେଳି କରି ସଭାପତି ନିବାର୍ଚନରେ ନିଜ ଦବଦବା ଜାହିର କରିବାକୁ ଅଙ୍କ କଷୁଛନ୍ତି। ଯାହା ସଭାପତି ଚୟନକୁ ବିଳମ୍ବିତ କରୁଛି। ଦଳୀୟ ସଙ୍ଗଠନର ଭବିଷ୍ୟତକୁ ସମାଧି ଦେଇ ନିଜ ଗୋଷ୍ଠୀର ସୁରକ୍ଷାକୁ ପ୍ରାଥମିକତା ଦେବାରେ ବ୍ୟସ୍ତ ଦଳର ପ୍ରଭାବଶାଳୀ ଗୋଷ୍ଠୀ। ସଭାପତି ପଦ ପାଇଁ ଦଳରେ ଏବେ ୩ରୁ ୪ ଗୋଷ୍ଠୀ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

 

ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିପାରେ ବିଜେପି। କିନ୍ତୁ ରାଜ୍ୟ ସଭାପତି କିଏ ହେବ ସେନେଇ ଏଯାଏଁ ଅଙ୍କ ଛିଡୁନି। ଦିଲ୍ଲୀ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି। କିନ୍ତୁ କେଉଁ ଗୋଷ୍ଠୀ ଉପରେ ଶୀର୍ଷ ନେତୃତ୍ବଙ୍କ ଆଶୀର୍ବାଦ ରହୁଛି ତାହା ସଭାପତି ଚୟନ ପରେ ସ୍ପଷ୍ଟ ହେବ।