ପଞ୍ଚଦିବସୀୟ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା ଏବଂ ପାଠଚକ୍ର କାର୍ଯ୍ୟକ୍ରମ ଉଦଘାଟିତ…
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ସ୍ନାତକ ମହାବିଦ୍ୟାଳୟ ଏବଂ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତାନୁକୁଲ୍ୟରେ ଆୟୋଜିତ ପଞ୍ଚଦିବସୀୟ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା ଏବଂ ପାଠଚକ୍ର କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପରିପ୍ରେକ୍ଷୀରେ କଲେଜ ପରିସରସ୍ଥ ସମ୍ମିଳନୀ କକ୍ଷରେ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧ୍ଯାପକ ମଦନ ମୋହନ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏଥି ସହ ପାଠଚକ୍ରର ଶୀର୍ଷକ “ଜଗନ୍ନାଥ ସଂସ୍କୃତି” ଉପରେ ସ୍ବ ସ୍ବ ବକ୍ତବ୍ୟ ଉପସ୍ଥାପନ କାଳରେ ଦାରୁବ୍ରହ୍ମ ଜଗନ୍ନାଥ ତତ୍ତ୍ବର ରହସ୍ୟମୟ କିମ୍ବଦନ୍ତୀ ଏବଂ “ଓଁ” ଶବ୍ଦ ଉଚ୍ଚାରଣର ବିଶେଷତ୍ବ ସାଙ୍ଗକୁ ଜଗନ୍ନାଥ ସଂସ୍କୃତିର ଉତ୍କର୍ଷତା, ଗ୍ରହଣୀୟତା ଓ ଉପାଦେୟତା ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଓ କୂଟପ୍ରଶ୍ନ ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ +୩ ନୋଡାଲ୍ ଅଫିସର ଅଧ୍ଯାପକ ହିମାଂଶୁ ଶେଖର ରଥ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ +୨ ନୋଡାଲ ଅଫିସର ଅଧ୍ଯାପକ ସଞ୍ଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।