November 23, 2024

ପ୍ରକାଶ ପାଇଲା ଆବାସ ତାଲିକା, ପୁଳା ପୁଳା ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଚର୍ଚ୍ଚା ଜୋରଦାର

Share

ବୁଗୁଡ଼ା:ତା ୧୭/୦୧/୨୩ : ଫନି ବାତ୍ୟା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆବାସ ଯୋଗାଇ ଦେବା ପାଇଁ ୩ ବର୍ଷ ତଳେ ପ୍ରଶାସନିକ କର୍ମଚାରୀଙ୍କ ଦ୍ୱାରା ସର୍ଭେ କରାଯାଇ ହିତାଧିକାରୀ ଚୟନ କରାଯିବା ପରେ କିଛି ଦିନ ତଳେ ଅଧିକାରୀମାନେ ଘର ଘର ବୁଲି ଜିଓ ଟ୍ୟାଗ କରିବା ପରେ ସେମାନଙ୍କର ତାଲିକା ପ୍ରକାଶ ପାଇଛି l ଗତ କାଲି ହିତାଧିକାରୀଙ୍କ ତାଲିକା ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଟଙ୍ଗା ଯାଇଛି l ବୁଗୁଡ଼ା ବ୍ଲକର ସମୁଦାୟ ୨୧ଟି ପଞ୍ଚାୟତର ମୋଟ ୨ ହଜାର ୬୪ ଜଣ ହିତାଧିକାରୀଙ୍କ ତାଲିକାରେ ନାମ ଥିବା ବେଳେ ମାଣିତରା ପଞ୍ଚାୟତର ସର୍ବାଧିକ ୧୯୩ ଓ ବି.କରଡ଼ାବାଡ଼ି ପଞ୍ଚାୟତର ସର୍ବନିମ୍ନ ୧୨ ଜଣ ହିତାଧିକାରୀଙ୍କ ନାମ ତାଲିକାରେ ସ୍ଥାନ ପାଇଛି lତେବେ ଏହି ତାଲିକାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ଅଭିଯୋଗ ହୋଇଛି l ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଭଗବାନପୁର ପଞ୍ଚାୟତର ନୂଆଁ ପାଣିକେଶର ଓ ମହୁଲପଲ୍ଲୀ ଗ୍ରାମ ଏଥିରୁ ବାଦ ପଡିଛି l ଏହି ୨ଟି ଗ୍ରାମର କୌଣସି ହିତାଧିକାରୀଙ୍କ ନାମ ଏହି ତାଲିକାରେ ନାହିଁ l ବିଭ୍ରାନ୍ତିକର ତଥା ମୁହଁ ଦେଖାଣିଆ ସର୍ଭେ ଯୋଗୁଁ ପ୍ରତ୍ୟେକ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଏହି ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇଥିବା ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ ଆଣିଛନ୍ତି l ନିୟମାନୁସାରେ ଝୋପଡ଼ି ଘର ଥିଲେ ବି ଯଦି ଘରେ ବାଇକ, ସ୍କୁଟି,ଫ୍ରିଜ ଥିବ ତାହା ହେଲେ ସେମାନେ ଆବାସ ଯୋଜନାରୁ ବାଦ ପଡିବେ l ତେବେ ପ୍ରକାଶ ପାଇଥିବା ତାଲିକାର ନବେ ପ୍ରତିଶତ ଘରେ ବାଇକ, ସ୍କୁଟି,ଫ୍ରିଜ ରହିଥିବା ଚର୍ଚ୍ଚା ହେଉଛି l ବାଇକ, ସ୍କୁଟି,ଫ୍ରିଜ ଥିବା ଲୋକେ ବାଦ ପଡିବେ ନା ସମସ୍ତଙ୍କୁ ଆବାସ ମିଳିବ ସେନେଇ ଗାଁ ଗଣ୍ଡାରେ ଚର୍ଚ୍ଚା ଚାଲିଛି lଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ଫର୍ମ ପୂରଣ କରି ଆସନ୍ତା ୨୪ ତାରିଖ ସୁଦ୍ଧା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ପକାଇବା ପାଇଁ ଗାଁ ଗାଁରେ ମାଇକ୍ ଯୋଗେ ପ୍ରଚାର ଆରମ୍ଭ ହୋଇଛି l ଅଭିଯୋଗକାରୀକଂ ନାମ ଗୋପନରଖାଯିବ ବୋଲି ପ୍ରଶାସନ କହିଛି