March 8, 2026

healthcare system: ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ଏମିତି: ଗଞ୍ଜାମରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର, ଜିଲ୍ଲ‌ା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମରୁଡ଼ି..

IMG-20251116-WA0056
Share

 

ଗଞ୍ଜାମ ଜିଲ୍ଲାରେ ଡାକ୍ତର ମରୁଡ଼ି। ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁନି। ବ୍ରହ୍ମପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍‌ପିଟାଲ) କଥା ଆମେ କହୁଛୁ। ଏଠାରେ ଡାକ୍ତର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ରୋଗୀ ଘରୋଇ ଡାକ୍ତରଖାନାମୁହାଁ।

 

 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଡାକ୍ତର ମରୁଡ଼ି। ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁନି। ବ୍ରହ୍ମପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍‌ପିଟାଲ) କଥା ଆମେ କହୁଛୁ। ଏଠାରେ ଡାକ୍ତର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ରୋଗୀ ଘରୋଇ ଡାକ୍ତରଖାନାମୁହାଁ। ଶିଶୁରୋଗ ବିଭାଗରେ ଡାକ୍ତର ନାହାନ୍ତି। ଆଇସିୟୁ ୟୁନିଟ୍‌ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ବଡ଼ କଥା ହେଲା, ନେତା, ମନ୍ତ୍ରୀ ପ୍ରତିଶ୍ରୁତିରେ ପୋତି ଦେଉଛନ୍ତି, ଅଥଚ ସ୍ଥିତିରେ ସୁଧାର ଆସିପାରୁନାହିଁ।

 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସିଟି ହସ୍ପିଟାଲ ଉପରେ ଜିଲ୍ଲାର ୨୨ଟି ବ୍ଲକ‌୍‌ ସମେତ ବ୍ରହ୍ମପୁରବାସୀ ନିର୍ଭର କରନ୍ତି। ଚିକିତ୍ସାଳୟରେ ୧୦ରୁ ଅଧିକ ବିଭାଗ ରହିଛି। ପ୍ରତିଦିନ ୧୩୦୦ରୁ ୧୪୦୦ ‌ରୋଗୀ ଆସୁଛନ୍ତି। ଏଠାରେ ମଞ୍ଜୁରିପ୍ରାପ୍ତ ବରିଷ୍ଠ ଓ କନିଷ୍ଠ ଡାକ୍ତର ପଦବି ସଂଖ୍ୟା ୧୯୩। ହେଲେ ଅଛନ୍ତି ୫୦ ଜଣ। ସେଥିରୁ ୧୨ଜଣ ଡେପୁଟେସନ୍‌ରେ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ‌କେନ୍ଦ୍ର‌ରେ ସେବା ଯୋଗାଉଛନ୍ତି। ଏଲ୍‌ଟିଆର୍‌ଏମ୍‌ଓଙ୍କ ପଦବି ସଂଖ୍ୟା ୧୬୨। ଅଛନ୍ତି ମାତ୍ର ୩୫ ଜଣ। ୧୦୪ଟି ନର୍ସ ପଦ ମଧ୍ୟରୁ ଅଛନ୍ତି ୩୬। ୨ଟି ଆସିଷ୍ଟାଣ୍ଟ ନର୍ସିଂ ସୁପରି‌ନ୍‌ଟେଣ୍ଡେଣ୍ଟ, ୪ଟି ନର୍ସିଂ ସିଷ୍ଟର୍‌ ସହ ଗୋଟିଏ ଜୁନିୟର ରେଡିଓଗ୍ରାଫର୍‌, ୩ଟି ଫାର୍ମାସିଷ୍ଟ ଫାଙ୍କା ପଡ଼ିଛି। ନୂତନ କୋଠାରେ ଆଇସିୟୁ ପାଇଁ ଅତ୍ୟାଧୁନିକ ସରଞ୍ଜାମ ରହିଛି, କିନ୍ତୁ ମାନବ ସମ୍ବଳ ଅଭାବରୁ ବହୁବର୍ଷ ହେଲା ଖୋଲାଯାଇପାରୁ ନାହିଁ।

 

ନିକଟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଶିଶୁ ବିଭାଗର ଡାକ୍ତର ସ୍ଥାନାନ୍ତର ହେବା ପରେ ଏହି ବିଭାଗରେ ଜଣେ ବି ଡାକ୍ତର ନାହାନ୍ତି। ଜଣେ ଏଲ୍‌ଟିଆର୍‌ଏମ୍‌ ଶିଶୁ ରୋଗୀଙ୍କ ଚିକିତ୍ସା ଦାୟିତ୍ବରେ ରହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ଶଯ୍ୟା ବିଶିଷ୍ଟ ଏସ୍‌ଏନ୍‌ସିୟୁ ରହିଥିବା ବେଳେ ବିନା ବିଶେଷଜ୍ଞରେ ଏହା କାମ କରୁଛି। ଡିଏମ୍‌ଓ ଡା. ବିଶ୍ୱମ୍ବର ବେହେରା କହିଛନ୍ତି ଯେ ଡାକ୍ତର ଓ ଅନ୍ୟାନ୍ୟ ଖାଲି ପଡ଼ିଥିବା ପଦବି ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଛି।