ପାଞ୍ଚଗଡ଼ ଡିଗ୍ରୀ ମହାବିଦ୍ୟାଳୟରେ ବାଜି ମାରିଲା ଏବିଭିପି ସଭାପତି ଅଙ୍କିତା, ଉପସଭାପତି ହ୍ରିତେଶ ଓ ସାଧାରଣ ସମ୍ପାଦକ ପ୍ରସାଦ ବିଜୟୀ
ବଅଁରପାଳ : ବଅଁରପାଳ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀମାନେ ପ୍ରମୁଖ ପଦବିରେ ବିଜୟ ହାସଲ କରି ବାଜି ମାରି ନେଇଛନ୍ତି। ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
ଦୀର୍ଘ ଆଠ ବର୍ଷ ପରେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଥିଲା। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଛାତ୍ରଛାତ୍ରୀମାନେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ମହାବିଦ୍ୟାଳୟ ପରିସରରେ ଚଳଚଞ୍ଚଳ ପରିବେଶ ରହିଥିଲା।
ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ମତଦାନ ଶେଷ ହେବା ପରେ ଅପରାହ୍ନ ୩ଟାରୁ ଭୋଟ ଗଣତି ଆରମ୍ଭ କରାଯାଇଥିଲା। ଦୁଇ ଘଣ୍ଟା ଧରି ଗଣତି ପ୍ରକ୍ରିୟା ଚାଲିବା ପରେ ଅପରାହ୍ନ ୫ଟାରେ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ଘୋଷିତ ଫଳାଫଳ ଅନୁଯାୟୀ, ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ପଦରେ ଏବିଭିପି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ ମୋଟ ୪୧୫ଟି ଭୋଟ ପଡ଼ିଥିଲା। ଏଥିରେ ଏବିଭିପି ପ୍ରାର୍ଥୀ ଅଙ୍କିତା ପଟ୍ଟନାୟକ ୨୬୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅର୍ଚ୍ଚିତା ମାଝୀ ୧୪୪ ଖଣ୍ଡ ଭୋଟ ପାଇଥିଲେ। ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ ଅଙ୍କିତାଙ୍କ ସପକ୍ଷରେ ରହିଥିଲା।
ସେହିପରି ଉପସଭାପତି ପଦ ପାଇଁ ମଧ୍ୟ ୪୧୫ଟି ଭୋଟ ପଡ଼ିଥିଲା। ଏବିଭିପି ପ୍ରାର୍ଥୀ ହ୍ରିତେଶ ନାଏକ ୨୪୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶୁଭଙ୍କର ସାହୁ ୧୬୭ ଖଣ୍ଡ ଭୋଟ ପାଇଥିଲେ। ଏହି ପଦବିରେ ମଧ୍ୟ ଏବିଭିପି ପ୍ରାର୍ଥୀ ଅଧିକ ଭୋଟ ପାଇ ବିଜୟ ହାସଲ କରିଥିଲେ।
ଅନ୍ୟପକ୍ଷରେ ସାଧାରଣ ସମ୍ପାଦକ ପଦ ପାଇଁ ୪୧୫ଟି ଭୋଟ ପଡ଼ିଥିଲା। ଏବିଭିପି ପ୍ରାର୍ଥୀ ପ୍ରସାଦ ବେହେରା ୨୫୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଦଲ ସେଠୀ ୧୫୧ ଖଣ୍ଡ ଭୋଟ ପାଇଥିଲେ। ଏହିପରି ତିନୋଟି ପ୍ରମୁଖ ପଦବିରେ ଏବିଭିପିର ବିଜୟ ମହାବିଦ୍ୟାଳୟ ଛାତ୍ର ରାଜନୀତିରେ ଏକ ଉଲ୍ଲେଖନୀୟ ଫଳାଫଳ ଭାବେ ଦେଖାଯାଇଛି।
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ମିଶ୍ର, ବଅଁରପାଳ ଥାନାଧିକାରୀ ଅୟସକାନ୍ତ ଜେନା, ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଚରଣ ସାହୁ, ଅଧ୍ୟାପକ ଓ ଅଧ୍ୟାପିକା, ବରିଷ୍ଠ କିରାଣି ଦିନବନ୍ଧୁ ମାଝୀଙ୍କ ସମେତ ପୁଲିସ କର୍ମଚାରୀମାନେ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତଙ୍କ ସହଯୋଗରେ ମତଦାନ ଓ ଭୋଟ ଗଣତି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା।
ଦୀର୍ଘ ଆଠ ବର୍ଷ ପରେ ଅନୁଷ୍ଠିତ ଏହି ନିର୍ବାଚନରେ ଏବିଭିପିର ସଫଳତା ମହାବିଦ୍ୟାଳୟର ଛାତ୍ର ରାଜନୀତିକୁ ପୁଣି ସକ୍ରିୟ କରିଛି। ନିର୍ବାଚିତ ପ୍ରତିନିଧିମାନେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ ପ୍ରସଙ୍ଗରେ କିପରି କାର୍ଯ୍ୟ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
