September 29, 2024

ନବରାତ୍ର ପୂଜା ଉପଲକ୍ଷେ ମା ସାରଳା ଙ୍କ ଦାଣ୍ଡଯାତ୍ରା ପର୍ବର ଶୁଭାରମ୍ଭ

Share

ନବରାତ୍ର ପୂଜା ଉପଲକ୍ଷେ ମା ସାରଳା ଙ୍କ ଦାଣ୍ଡଯାତ୍ରା ପର୍ବର ଶୁଭାରମ୍ଭ
==================== ତିର୍ତ୍ତୋଲ :- ପ୍ରସିଦ୍ଧ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଗତ ଅକ୍ଟୋବର ୬ ତାରିଖ ଶୁକ୍ରବାର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ବେଳେ , ଅକ୍ଟୋବର ୧୫ ତାରିଖ ରବିବାର ଠାରୁ ନବରାତ୍ର ପୂଜାର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ସନ୍ଧ୍ୟାରେ ଶୈଳପୁତ୍ରୀ ବେଶରେ , ମାଆ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ରାତ୍ର ୧୦ ଟା ବେଳେ, ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପାଚିରୀକଣ ବାଟ ପର୍ଯ୍ୟନ୍ତ ଯାତ୍ରାକରି , ସ୍ୱପୀଠ କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହିପରି ପ୍ରତିଦିନ ରାତିରେ ମାଆଙ୍କର ଏହି ଦାଣ୍ଡଯାତ୍ରା ବା ନଗର ପରିକ୍ରମା ଉପଲକ୍ଷେ ମାଆଙ୍କ ଚଳନ୍ତି ପ୍ରତିମା , ବିଜେ ପ୍ରତିମା ଙ୍କୁ ଏକ ସୁସଜ୍ଜିତ ମଣୀମୟ ବିମାନ ଆରୋହଣ କରାଯାଏ । ସମ୍ମୁଖରେ ଚାମର ଆଲଟ ପଡ଼ୁଥାଏ , ବନ୍ଦିଆ ଜଳୁଥାଏ , ଘଣ୍ଟ ଘଣ୍ଟା କାହାଳୀ , ଭେରୀ ତୁରୀ ଢ଼ୋଲ୍ ମହୁରୀ , ନାମସଙ୍କୀର୍ତ୍ତନ, ଓ ହରିବୋଲ ହୁଳହୁଳି ଧ୍ବନି ରେ ଝଙ୍କଡ଼ର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠେ । ତେବେ ଏହି ଦାଣ୍ଡ ଯାତ୍ରାରେ ପ୍ରଥମଦିନ ପାଚିରୀ କଣ ବାଟ , ୨ ୟ ଦିନ ଗୋବିନ୍ଦଜୀଉ ଙ୍କ ମଠ , ୩ ୟ ଦିନ ଗୋପାଳ ମାନଙ୍କ ଗୋଠ , ୪ ର୍ଥ ଦିନ ସାରଳା ପର୍ଶୁରାମ ଭେଟ , ୫ ମ ଦିନ ଗୁପ୍ତ ଚନ୍ଦ୍ରଭାଗା ନଦୀର ବିଶ୍ବମ୍ବର ଘାଟ ଓ ଷଷ୍ଠ ଦିନ ଠାରୁ ଦଶହରା ପର୍ଯ୍ୟନ୍ତ, ମାଆଙ୍କ ପ୍ରାଚୀନ ପୀଠସ୍ଥଳୀ ବଡ଼ଶାରୋଳ ଗ୍ରାମର ଲଣ୍ଡାଦେଉଳ ପୀଠ କୁ ଯାତ୍ରା କରି , ସେଠାରେ ପୂଜାର୍ଚ୍ଚନା ପାଇବା ପରେ ସ୍ଵପୀଠ କୁ ଫେରି ଆସିଥାଆନ୍ତି ।ଏହି ଦାଣ୍ଡଯାତ୍ରା ରେ ମାଆ ନିଜେ ସିଂହାସନ ଛାଡି, ନିଜର ସନ୍ତାନ ଓ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବା ନିମନ୍ତେ ଛୁଟିଆସିଥାଆନ୍ତି । ତେଣୁ ମନ୍ଦିର କୁ ଯାଇ ପାରୁନଥିବା ସନ୍ତାନ ମାନଙ୍କ ପାଇଁ ଦର୍ଶନ ଦେବା ପାଇଁ , ସନ୍ତାନବତ୍ସଲା ମାଆ ସାରଳା ଙ୍କ ଇଚ୍ଛାରେ ହିଁ ଏହି ଦାଣ୍ଡ ଯାତ୍ରା ବା ନଗରପରିକ୍ରମା ପର୍ବ କେଉଁ ଆବହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି।
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା

You may have missed