April 28, 2026

ଉମରକୋଟ ଠାରେ ଫଳକ ଉପରେ ଫଳକ ରାସ୍ତା ହୋଇପାରୁନି ସଳଖ ଉମରକୋଟ  

IMG-20250605-WA0057
Share

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଜନସାଧାରଣ ଙ୍କ ନିମନ୍ତେ ତତ୍କାଳୀନ ରାଜ୍ୟ ସରକାର ଅଥବା ନୂତନ ଡବଲ ଇଞ୍ଜିନ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମାଧ୍ୟମ ରେ ବିକାଶ କରିବାକୁ ପ୍ରୟାସ କରିଥାନ୍ତି, କିନ୍ତୁ କିଛି ସରକାରୀ ବାବୁ ଓ କିଛି ଲୋକ ପ୍ରତିନିଧିଙ୍କ ମିଳିତ ମଧୁଚନ୍ଦ୍ରିକା ରେ ସେହି ଉନ୍ନୟନ କାର୍ଯ୍ୟ ଗୁଡିକ ବିକ୍ରୟ କରି ନିଜ ପକେଟ ଗରମ କରନ୍ତି। ରାସ୍ତା ନିର୍ମାଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଦେଖିବାକୁ ମିଳିଛି। ଗୋଟିଏ ରାସ୍ତା ନିର୍ମାଣ ପାଇଁ ପ୍ରତ୍ୟେକ ବର୍ଷ କିଛି କିଛି ମାଟି ବିଛେଇ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଅଗ୍ରିମ ବିଲ ପାସ କରି ଟଙ୍କା ଆତ୍ମସାତ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେନୋରା ପଂଚାୟତ ଅଧୀନରେ ଥିବା ଖୁଟୁଗୁଡା ଗ୍ରାମ ନିକଟରେ ଥିବା ଆର ଡ଼ି ରାସ୍ତା ଠାରୁ ନନ୍ଦିଗୁଡା ରାସ୍ତା ର ଦୃଶ୍ୟ। ଗ୍ରାମବାସୀ ଙ୍କ କହିବା ଅନୁଯାଇ ଏହି ରାସ୍ତା ରେ ପ୍ରତି ବର୍ଷ ମାଟି ବିଛେଇ ଫଳକ ଉପରେ ଫଳକ ଲଗେଇ ବିଲ ପାସ କରୁଛନ୍ତି କନିଷ୍ଠ ଯନ୍ତ୍ରୀ। ସେପଟେ କନିଷ୍ଠ ଯନ୍ତ୍ରୀ ଉକ୍ତ ରାସ୍ତା କାମ ସରିନି ସେଠାରେ ମେଟେଲ ପଡିବ ଓ ରୋଲିଙ୍ଗ ହେବ କହୁଛନ୍ତି କିନ୍ତୁ ପ୍ରାୟ ନଅ ମାସ ହେଲାଣି ସେହି ରାସ୍ତା ରେ କୌଣସି ମେଟେଲ ପଡ଼ିନାହିଁ। ବର୍ତ୍ତମାନ ବର୍ଷା ଦିନ ଆସିଲାଣି ଅଞ୍ଚଳବାସୀ ସେହି କାଦୁଅ ରାସ୍ତା ପାର୍ଶ୍ଵ ରେ ଥିବା ଜମି ହିଡ଼ରେ ଜୀବନକୁ ବାଜି ଲଗେଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି, ଠିକାଦାର ସାଜିଥିବା ବ୍ଲକ ଉପାଧ୍ୟକ୍ଷ ସାମଲ ସରକାର ଓ କନିଷ୍ଠ ଯନ୍ତ୍ରୀ ମିଳିତ ଭାବେ ସେହି ରାସ୍ତା କାମ ଟିକୁ ଅନ୍ୟ ଏକ ଠିକାଦାର ଙ୍କୁ ବିକ୍ରୟ କରି ନିଜ ପକେଟ ଗରମ କରୁଛନ୍ତି। ସେପଟେ ସ୍ଥାନୀୟ ବିଡ଼ିଓ ମନୋଜ କୁମାର ମେହେର ରାସ୍ତା ବିଷୟରେ ତଦାରଖ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଛନ୍ତି, ଏହା ପୂର୍ବରୁ ଅନ୍ୟ ଏକ ପଂଚାୟତ ରେ ଜିଲ୍ଲା ପରିଷଦ ଓ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀ କିପରି ନିମ୍ନମାନର ଏକ ରାସ୍ତା ନିର୍ମାଣ କରି ଫଳକ ନ ଲଗେଇ ଟଙ୍କା ହଡପ କରିଥିଲେ ସେ ବିଷୟରେ ଅବଗତ କରାଯାଇଥିଲା ଏବଂ ବିଡ଼ିଓ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ସେହି ରାସ୍ତା ର ମରାମତି ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ।ଜନସାଧାରଣ ଙ୍କୁ ଏଭଳି ଲୋକ ପ୍ରତିନିଧି ଓ ସରକାରୀ ବାବୁ ଭୁଆଁ ବୁଲେଇ ମାଲାମାଲ ହେଉଛନ୍ତି ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି।