ନୂଆଁଖାଇରେ ଅସହାୟ ପରିବାରକୁ ନୂଆ ଆଶ୍ରୟ ୧୫ ଦିନରେ ନିର୍ମାଣ ହେଲା ଘର, ମାନବିକତାର ନିଆରା ଉଦାହରଣ

ସମ୍ବଲପୁର, ୧୫/୦୯: ନୂଆଁଖାଇର ପବିତ୍ର ଅବସରରେ ସମ୍ବଲପୁରରେ ମାନବିକତା, ସେବା ଓ ସହଯୋଗର ଏକ ନିଆରା ଉଦାହରଣ ସୃଷ୍ଟି ହୋଇଛି। ସିନ୍ଦୂରପଙ୍କ ନବାପଡ଼ାର ଜଣେ ଅସହାୟ ପରିବାରକୁ ମିଳିଛି ନୂଆ ଆଶ୍ରୟ । ସାମାଜିକ କର୍ମୀ ସିଦ୍ଧାର୍ଥ ସାହାଙ୍କ ଉଦ୍ୟମରେ ମାତ୍ର ୧୫ ଦିନ ମଧ୍ୟରେ ଘର ନିର୍ମାଣ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁସାରେ, ନୁଆଁପଡ଼ା ନିବାସୀ ୫୨ ବର୍ଷୀୟ ପବିତ୍ର କୁମାର ହୋଟେଲରେ ମିସ୍ତ୍ରି ଭାବେ କାମ କରି ପରିବାର ପୋଷଣ କରୁଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ପାଣିରେ ଖସିପଡ଼ିବାରୁ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଫଳରେ ସେ ଆଉ କାମ କରିବାକୁ ସକ୍ଷମ ହୋଇପାରିନଥିଲେ। ଅନ୍ୟପକ୍ଷରେ, ତାଙ୍କ ୨୦ ବର୍ଷୀୟ ପୁଅ ମନୋଜ କୁମ୍ଭାର ମଧ୍ୟ ଦିବ୍ୟାଙ୍ଗ ଅଟନ୍ତି।
ଏଭଳି ପରିସ୍ଥିତିରେ ପରିବାରର ପୁରୁଣା ଘରଟି ଭାଙ୍ଗି ପଡ଼ିବାରୁ ସେମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ସ୍ଥାନ ରହିନଥିଲା। ଆର୍ଥିକ ଅନଟନ ଯୋଗୁଁ ନୂଆ ଘର ନିର୍ମାଣ କରିବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିଲା।
ଏହି ଦୁର୍ଦ୍ଦଶା ସମ୍ପର୍କରେ ପରିବାର ପକ୍ଷରୁ ସାମାଜିକ କର୍ମୀ ସାଥି ପରିବାରର ସିଦ୍ଧାର୍ଥ ସାହାଙ୍କୁ ଜଣାଇ ସହାୟତା ନିବେଦନ କରାଯାଇଥିଲା। ପରିବାରର ଅସହାୟତାକୁ ହୃଦୟଙ୍ଗମ କରି ସେ ସହଯୋଗର ହାତ ବଢ଼ାଇଥିଲେ। ତାଙ୍କ ପ୍ରୟାସରେ ମାତ୍ର ୧୫ ଦିନ ମଧ୍ୟରେ ନୂଆ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା।
ନୂଆଁଖାଇର ପବିତ୍ର ଦିନରେ ନୂଆ ଘରର ଗୃହପ୍ରବେଶ ଓ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ସିଦ୍ଧାର୍ଥ ସାହାଙ୍କ ସହିତ ରାମସାଗର ସାହୁ,ସମରଜିତ ପଟ୍ଟନାୟକ, ଭଗତ ପ୍ରମୁଖ ଉପସ୍ଥିତିରେ ଏହି ଗୃହ ପ୍ରବେଶ ହୋଇଥିଲା।ନୂଆଁଖାଇ ଭଳି ଭାଇଚାରା, ସମ୍ପର୍କ ଓ ମାନବିକତାର ପର୍ବରେ ଜଣେ ଅସହାୟ ପରିବାରକୁ ନୂଆ ଘର ମିଳିବା ଘଟଣା ସମଗ୍ର ଅଞ୍ଚଳରେ ପ୍ରଶଂସାର ବିଷୟ ହୋଇଛି। ଏହା କେବଳ ଏକ ଘର ନିର୍ମାଣ ନୁହେଁ, ବରଂ ଜଣେ ଅସହାୟ ପରିବାରର ଜୀବନରେ ନୂଆ ଆଶା, ନିରାପତ୍ତା ଓ ସମ୍ମାନର ଆଲୋକ ଆଣିଛି। ପରିବାର ପକ୍ଷରୁ ସିଦ୍ଧାର୍ଥ ସାହା ଓ ସମସ୍ତ ସହଯୋଗୀଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଯାଇଛି।
