କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ, ଗାଁକୁ ମିଳିଲା ପକ୍କା ସଡ଼କ ..
ହାଟଡିହି ତା ୧୬/ମନମୋହନ ନାୟକ) : ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିଲା, ସେହି ରାସ୍ତାରେ ଏବେ ଗଡ଼ିଛି ବିକାଶର ଚକ। ଘରୁ ବାହାରିବାକୁ ଲୋକେ ଯେଉଁଠି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ, ଆଜି ସେଠାରେ ନିର୍ମାଣ ହୋଇଛି ପକ୍କା ସଡ଼କ। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଅକରୁଆ ପଞ୍ଚାୟତର ବଡ଼ସାହିଠାରୁ କେନ୍ଦୁଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡ଼ିଥିଲା। ବର୍ଷା ଦିନେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଉଥିଲା। ରାସ୍ତା ଉପରେ ପାଣି ଓ କାଦୁଅ ଜମି ରହିବା ଯୋଗୁଁ ପଞ୍ଚାୟତବାସୀଙ୍କ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ୁଥିଲା। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଚାଷୀ, ବୃଦ୍ଧ ଓ ମହିଳାମାନେ ଏହି ରାସ୍ତାରେ ଯିବାଆସିବା ସମୟରେ ବହୁ ସମସ୍ୟା ଭୋଗୁଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୨୦୦୨ ମସିହାରେ ପଞ୍ଚାୟତ ଗଠନ ହେବା ପରଠାରୁ ଏହି ରାସ୍ତାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା। ବିଭିନ୍ନ ସମୟରେ ପଞ୍ଚାୟତ ନିର୍ବାଚନ ହୋଇଛି ଏବଂ ଅନେକ ସରପଞ୍ଚ ଦାୟିତ୍ୱ ନେଇଛନ୍ତି। ହେଲେ ଏହି ରାସ୍ତା ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବାରୁ ସମସ୍ୟା ଦୀର୍ଘଦିନ ଧରି ଲାଗିରହିଥିଲା।
ବର୍ତ୍ତମାନର ସରପଞ୍ଚ ହେମଲତା ବେହେରା ଦାୟିତ୍ୱ ନେବା ପରେ ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇଥିଲେ। ରାସ୍ତା ନିର୍ମାଣ ପାଇଁ ପ୍ରୟାସ କରିବା ସହ ଆବଶ୍ୟକ ପଦକ୍ଷେପ ନେଇଥିଲେ। ଶେଷରେ ତାଙ୍କ ଉଦ୍ୟମରେ ଏହି ରାସ୍ତା ପକ୍କା ହୋଇଥିବା ଗ୍ରାମବାସୀ କହିଛନ୍ତି। ରାସ୍ତା ନିର୍ମାଣ ପରେ ଏବେ ଅକରୁଆ ବଡ଼ସାହି ଓ କେନ୍ଦୁଗୁଡ଼ା ଅଞ୍ଚଳର ଲୋକଙ୍କ ଯାତାୟାତ ସହଜ ହୋଇଛି। ବିଶେଷକରି ବର୍ଷାଦିନେ ରାସ୍ତାରେ ଯାତାୟାତ କରିବା ନେଇ ଯେଉଁ ଭୟ ଓ ଆଶଙ୍କା ରହୁଥିଲା, ତାହା ଦୂର ହୋଇଛି। ଏହି ବିକାଶମୂଳକ କାର୍ଯ୍ୟ ପାଇଁ ସରପଞ୍ଚ ହେମଲତା ବେହେରାଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।
ଗ୍ରାମବାସୀଙ୍କ ମତରେ, ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ନରହି କାର୍ଯ୍ୟରେ ପରିଣତ ହେଲେ ହିଁ ଗ୍ରାମର ପ୍ରକୃତ ବିକାଶ ସମ୍ଭବ। ଅକରୁଆର ଏହି ସଡ଼କ ନିର୍ମାଣ ତାହାର ଏକ ଉଦାହରଣ ବୋଲି ସେମାନେ କହିଛନ୍ତି। ଦୀର୍ଘଦିନର ସମସ୍ୟାର ସମାଧାନ ହୋଇଥିବାରୁ ଏବେ ଗ୍ରାମବାସୀଙ୍କ ମୁହଁରେ ହସ ଫୁଟିଛି। ଆଜି ସରପଞ୍ଚ ହେମଲତା ବେହେରା ଏହାକୁ ଉଦଘାଟନ କରିଥିବା ବେଳେ ସମାଜସେବୀ ଚତୁର୍ଭୁଜ ସ୍ୱାଇଁ, ନାରାୟଣ ଯେନା, ପଦ୍ମନାଭ ଯେନା, ଗୋକୁଳ ଯେନା, ଶ୍ରୀକାନ୍ତ ଯେନା, ମାନସ ଯେନା, ପିଣ୍ଟୁ ଯେନା, ଲିପୁ ଯେନା, ସତ୍ୟବ୍ରତ ଯେନା, ତ୍ରୈଲୋକ୍ୟ ଯେନା, ବାବୁଲା ଯେନା, କୁଷ ଯେନା, ସତ୍ୟବ୍ରତ ଖଣ୍ଡା, ବଳରାମ ଖଟୁଆ, ଜଗତ ଜେନା, ପ୍ରଫୁଲ୍ଲ ଖଟୁଆ, କାହ୍ନୁ ଖଟୁଆ, ବଳିଆ ଯେନା, ମିଞ୍ଜିରି ଯେନା, ବିଜୁ ଯେନା, ମନୋଜ ଯେନା, ବାଇଧର ଖଣ୍ଡା, ବାଇଧର ଜେନା, ଜିତନ ଯେନା, ଗୌରାଙ୍ଗ ଖଟୁଆ, ଅଜୁ ଯେନା, ଗୁରୁ ଯେନା, ନନ୍ଦ ସେଠୀ, ଶଙ୍କର ସ୍ୱାଇଁ, ସଞ୍ଜୁ ବେହେରା, କାଳିଆ ଯେନା, ଅରୁଣ ବେହେରା, ସଞ୍ଜୟ ପାତ୍ର, ଅଜୟ ପାତ୍ର, ଜୁବୁଲା ସାମଲ ଓ ୱାର୍ଡ ସଭ୍ୟ ଶୁଭଶ୍ରୀ ଯେନା, ସତ୍ୟଭାମା ଖଟୁଆ, ନିର୍ମଳ ଜେନା, ଅହଲ୍ୟା, ଭାଗେଶ୍ୱର୍ ବେହେରା, ମାଧବିଲତା ଯେନାଙ୍କ ସମେତ ୧୨ଗୋଟି ୱାର୍ଡର ଜନସାଧାରଣ ଉପସ୍ଥିତ ଥିଲେ l
