August 17, 2026

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ ଛେନାପଦି ଛକରେ ଶୋକର ଛାୟା, ବୈତରଣୀ କୂଳରେ ଶେଷକୃତ୍ୟ

IMG-20260816-WA0069
Share

 

 

ହାଟଡିହି ତା ୧୬/୮(ମନମୋହନ ନାୟକ) : ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ (ପାର୍ଥ)ଙ୍କ ଅକାଳ ବିୟୋଗରେ ହାଟଡିହି ବ୍ଲକ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ମିଶୁକ, ସହଯୋଗୀ ଓ ସମସ୍ତଙ୍କ ସୁଖଦୁଃଖରେ ସାମିଲ ହେଉଥିବା ଯୁବକ ଭାବେ ପରିଚିତ ପାର୍ଥଙ୍କ ଅକାଳ ମୃତ୍ୟୁ ଅଞ୍ଚଳବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ଅମୃତପୁର ନିକଟରେ ସୁଶାନ୍ତ ରାଉତ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଶାଳଣିଆଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆନନ୍ଦପୁର ଡାକ୍ତରଖାନାରେ ଡାକ୍ତର ପରୀକ୍ଷା କରି ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆନନ୍ଦପୁର ଡାକ୍ତରଖାନା ପରିସରରେ ସାଙ୍ଗସାଥୀ, ସମ୍ପର୍କୀୟ, ଛେନାପଦି ଛକର ବ୍ୟବସାୟୀ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ପ୍ରିୟ ପାର୍ଥଙ୍କ ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରିନଥିଲେ। ଶନିବାର ଦିନ ତାଙ୍କ ପାର୍ଥିବ ଶରୀର ଉପଖଣ୍ଡ ଚିକିତ୍ସାଳୟରୁ ଛେନାପଦିକୁ ଅଣାଯିବା ପରେ ଛେନାପଦି ଛକ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରେ ଶୋକାକୁଳ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ତାଙ୍କ ପାର୍ଥିବ ଶରୀରକୁ ବଜାର ପରିକ୍ରମା କରାଯାଇଥିଲା। ଏହି ସମୟରେ ଛେନାପଦି ଛକରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ବହୁ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ପାର୍ଥଙ୍କ ସହ ବିତାଇଥିବା ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଥିଲେ। ପରେ ବଞ୍ଚୋ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କ ପାର୍ଥିବ ଶରୀରକୁ ଗ୍ରାମ ପରିକ୍ରମା କରାଯାଇଥିଲା। ଶେଷରେ ବୈତରଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିଜେପି ନେତା ଆଲୋକ ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ବିଡିଓ ରଞ୍ଜନ କୁମାର ପରିଡ଼ା, ବ୍ୟବସାୟୀ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ଜେନା, ସମ୍ପାଦକ କିଶୋର ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମୀ, ବ୍ୟବସାୟୀ ଓ ଶହ ଶହ ଗ୍ରାମବାସୀ ଉପସ୍ଥିତ ଥିଲେ।