ପ୍ରସିଦ୍ଧ ତାରାତାରିଣୀ ଯାତ୍ରାରେ ସାମିଲ ହେବେ ପାରଳାଖେମୁଣ୍ଡି ସ୍ବେଚ୍ଛାସେବୀ
ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ତଥା ଗଂଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୂଲ୍ୟା ନଦୀକୂଳରେ ଅବସ୍ଥିତ ମା’ ତାରାତାରିଣୀଙ୍କର ଚଇତି ଯାତ୍ରା ଗତ ମଙ୍ଗଳବାରରୁ ଆରମ୍ଭ ହୋଇଯାଇଛି। ଏହି ଯାତ୍ରାରେ ପ୍ରଥମ ପାଳି ମଙ୍ଗଳବାରରେ ଯେତିକି ଭକ୍ତ ସମାଗମ ହୋଇଥିଲା ଦ୍ୱିତୀୟ ପାଳିରେ ବାରୁଣୀ ସ୍ନାନ ପଡ଼ୁଥିବାରୁ ତଥା ଦଣ୍ଡୁଆମାନେ ମାନସିକ କରି ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭକୁ ନଜରରେ ରଖି ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସେହି କଥାକୁ ନଜରରେ ରଖି ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଯାତ୍ରାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଳା ନ୍ୟାୟାଳୟରେ ପଦସ୍ଥ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ତତ୍ୱାବଧାନରେ ପାରଳାଖେମୁଣ୍ଡି, ଛତ୍ରପୁର, ଭୁବନେଶ୍ୱର ତଥା ଅନୁଗୁଳ ଭଳି ବିଭିନ୍ନ ଅଞ୍ଚଳର ଶତାଧିକ ସ୍ବେଚ୍ଛାସେବୀ ଉକ୍ତ ଯାତ୍ରାରେ ଯୋଗ ଦେଇ ସେବା କାର୍ଯ୍ୟ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।
ଏହିକ୍ରମରେ ଆଜି ଏକ ଦଳ ପାରଳାଖେମୁଣ୍ଡିରୁ ଯୁବ ସମାଜସେବୀ ଏନ. ବସନ୍ତ ଓ ଟି. ୟସବନ୍ତ, ଭୁବନେଶ୍ୱରରୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ନୀଳମଣି ମିଶ୍ର, ଅନୁଗୁଳରୁ ସମୀର ପ୍ରଧାନ ତଥା ଛତ୍ରପୁରରୁ ମନୋରଞ୍ଜନ ବେହେରା, ମନୋଜ ମିଶ୍ର, ଟୁଟୁ ନାୟକଙ୍କ ନେତୃତ୍ବରେ ଏକ ଦଳ ମିଳିତ ଭାବେ ମାଆ ତାରାତାରିଣୀ ଶକ୍ତିପୀଠ ଅଭିମୁଖେ ଯାତ୍ରା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଏହି ସମସ୍ତ ସ୍ବେଚ୍ଛାସେବୀ ଭୋର ୪ଟା ସମୟରେ ମା’ଙ୍କ ପବିତ୍ର ପୀଠରେ ପହଞ୍ଚି ଭକ୍ତଙ୍କୁ ଧାଡିରେ ଛିଡା କରାଇବା ସହିତ ଶୃଙ୍ଖଳିତ ଦର୍ଶନ କରାଇବାରେ ପ୍ରଶାସନକୁ ସହାୟତା କରିବେ, ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ସୁଚାରୁ ଦର୍ଶନ କରାଇବା ଆଦି କାର୍ଯ୍ୟ ସମ୍ପାଦନ କରିବା ସହ ପ୍ରବଳ ଖରାକୁ ନଜରରେ ରଖି ଲିଓରା ଫାଉଣ୍ଡେସନର ସହାୟତାରେ ଶ୍ରଦ୍ଧାଳୁଙ୍କୁ ପାଣି ଛିଞ୍ଚନ କରିବା ସହ ଗ୍ଲୁକୋଜ ତଥା ପାନୀୟ ଜଳ ବଣ୍ଟନ କରିବେ ବୋଲି ସୂଚନା ରହିଛି।
