May 11, 2026

ବିଇଓଙ୍କ ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ଶିକ୍ଷକ, ଜଣେ ଶିକ୍ଷୟିତ୍ରୀରେ ଚାଲିଛି ବିଦ୍ୟାଳୟ , ବିଶୃଙ୍ଖଳାରେ ପିଲାଙ୍କ ପାଠପଢା, ଅଭିଭାବକ ମହଲରେ ଅସନ୍ତୋଷ 

IMG-20250116-WA0003
Share

ବୁଗୁଡ଼ା : ତା ୧୫/୦୧/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ କଞ୍ଚୁରୁ ପାଟଣା ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ହେଲା ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଥିବା ବେଳେ ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇ ପିଲାଙ୍କ ପାଠପଢାରେ ବ୍ଯାଘାତ ହେଉଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେହି ବିଦ୍ୟାଳୟକୁ ଜଣେ ଶିକ୍ଷକଙ୍କୁ ବିଇଓଙ୍କ କାର୍ଯାଳୟ ପତ୍ର ସଂଖ୍ୟା ୨୭୬୪, ତା୧୯-୧୨-୨୦୨୪ରିଖ ପ୍ରକାରେ ବଦଳି କରାଯାଇଥିଲା। କିନ୍ତୁ, ଶିକ୍ଷକ ଜଣକ ବିଇଓଙ୍କ ନିର୍ଦ୍ଦେଶକୁ ଅବମାନନା କରି ଯୋଗ ଦେଇନଥିବା କାରଣରୁ ସେହି ବିଦ୍ୟାଳୟର ଅବ୍ଯବସ୍ଥା ପୂର୍ବପରି ରହିଛି। ଅନ୍ୟପକ୍ଷରେ ନିର୍ଦ୍ଦେଶ ଅବମାନନାକାରୀ ଶିକ୍ଷକ ଜଣଙ୍କ ପ୍ରତି ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବୁଧବାର ଦିନ ସମ୍ପୃକ୍ତ ବିଦ୍ୟାଳୟର ସଭାନେତ୍ରୀ ବନିତା ଆପଟଙ୍କ ନେତୃତ୍ୱରେ ଅଭିଭାବିକାମାନେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ଅମିତା କୁମାରୀ ପାଢୀଙ୍କୁ ଭେଟି ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥା ଭୁଷୁଡି ପଡିଥିବା ନେଇ ଅଭିଯୋଗ କରିବା ସହ ଅସନ୍ତୋଷ ଜାହିର କରିଥିଲେ । ଏଥି ସହ ଯଦି ଏକ ସପ୍ତାହ ମଧ୍ୟରେ କଞ୍ଚୁରୁ ପାଟଣା ପ୍ରାଥମିକ ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ନ ଦିଆଯାଏ ତେବେ ସେମାନେ ନିଜ ନିଜର ପିଲାଙ୍କୁ ଆଉ ବିଦ୍ଯାଳୟକୁ ନଛାଡି ବିଇଓଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପିଲାମାନଙ୍କ ସହ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି।

ବୁଗୁଡ଼ା ରିପୋର୍ଟ ହର ପ୍ରସାଦ ପାଢି