ଲଘୁଚାପଜନିତ ବର୍ଷାରେ ଭୁଶୁଡ଼ିଲା ଘର ଅନ୍ତୋଦୟ ଗୃହ ମିଳିଥିଲା, ନିର୍ମାଣ ସୋଇନପାରିବାରୁ ଫେରିଲା ଟଙ୍କା ଏବେ ଭୁଶୁଡ଼ିଲା ପୁରୁଣା ଘର ….
ଚିକିଟି ଶୁଭଶ୍ରୀ ପ୍ରଧାନ
ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ପ୍ରଭାବରେ ଗଂଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାତ୍ରପୁର ବ୍ଳକ ବି.ନୂଆଗାଁ ପଞ୍ଚାୟତ ର ବି.ନୂଆଗାଁ ଶାସନସାହି ରେ ଜଣେ ବିଧବା ମହିଳାଙ୍କ ଘର ଭୁଶୁଡ଼ି ପଡ଼ିଛି। ଫଳରେ ମହିଳା ଜଣକ ଆଶ୍ରୟ ହୀନ ହୋଇପଡ଼ିଛନ୍ତି ।
ସୂଚନା ଅନୁସାରେ ବି.ନୂଆଗାଁ ଶାସନ ସାହିର ଧାରମାଲା ପୋଲସିଆ ଜଣେ ବିଧବା ମହିଳା । ସ୍ବାମୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ ମାଟି ରହୁଥିବା ବେଳେ ତାଙ୍କର କୌଣସି ସନ୍ତାନ ନଥିବା ଜଣାପଡ଼ିଛି । ତାଙ୍କ ଘରଟି ମାଟି ଓ ଝିକରରେ ନିର୍ମିତ ହୋଇଥିବାରୁ ବର୍ଷା ପବନରେ ଏହା ଦୁର୍ବଳ ହୋଇ ପଡ଼ିଥିଲା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବରୁ ତାଙ୍କୁ ଉଦ୍ଧାର କରି ବିଦ୍ୟାଳୟରେ ଆଶ୍ରୟ ଦିଆଯାଇଥିଲା । ତେବେ ଶୁକ୍ରବାର ପ୍ରବଳ ବର୍ଷା ଓ ପବନ ଯୋଗୁଁ ତାଙ୍କ ଘରଟି ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଥିଲା । ଘର ଭାଙ୍ଗିଯିବା ପରେ ମହିଳାଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ନିଜସ୍ବ ଆଶ୍ରୟ ନଥିବାରୁ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ମହିଳା ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ନିଜ ଖର୍ଚ୍ଚରେ ଘର ନିର୍ମାଣ କରିବା ସମ୍ଭବ ନୁହେଁ । ତେଣୁ ତାଙ୍କୁ ତୁରନ୍ତ ଏକ ପକ୍କା ଘର ଯୋଗାଇ ଦେବାକୁ ସେମାନେ ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଏମ୍.ମୋହନ ରାଓଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଧାରମାଲାଙ୍କୁ ପୂର୍ବରୁ ଅନ୍ତୋଦୟ ଗୃହ ଯୋଗାଇ ଦିଆଯାଇଥିଲା । ତେବେ ଅତ୍ୟନ୍ତ ଗରିବ ହୋଇଥିବାରୁ ଘର ନିର୍ମାଣ କରିବାକୁ ସେ ସକ୍ଷମ ନଥିଲେ । ଫଳରେ ଗୃହ ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଅଥ ଫେରସ୍ତ ହୋଇଯାଇଥିଲା । ବର୍ତ୍ତମାନ ପୁଣି ବ୍ଲକ ପ୍ରଶାସନ ସହ ଆଲୋଚନା କରି ତାଙ୍କ ପାଇଁ ନୂତନ ଗୃହ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ କହିଛନ୍ତି ।
