ପାଟବନ୍ଧରେ ଶାନ୍ତିର ସ୍ୱର, ବ୍ରହ୍ମାକୁମାରୀଜ୍ ପାଠଶାଳାର ପ୍ରଥମ ବାର୍ଷିକ ଉତ୍ସବ।
ବୋଲଗଡ଼ ୧୫/୧୧ (ଉପାନ୍ତ ଖବର): ଯେଉଁଠି ଜ୍ଞାନ ଦୀପ ଜଳେ ,ସେଠି ଅନ୍ଧାର ଆପେ ହଜେ। କୋଳାହଳମୟ ଦୁନିଆ ଭିତରେ ଟିକିଏ ଶାନ୍ତି ଖୋଜୁଥିବା ମଣିଷ ପାଇଁ ପାଟବନ୍ଧ ଗାଁ ଆଜି ସାଜିଥିଲା ଏକ ନୂଆ ତୀର୍ଥ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ଅନ୍ତର୍ଗତ ପାଟବନ୍ଧ ଗ୍ରାମର ଛାତି ଉପରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଦଧିବାମନଙ୍କ ପୀଠ ପରିସରରେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ସକାଳର କୋମଳ ଖରା ପରି ବ୍ରହ୍ମାକୁମାରୀ ଦିଦିମାନଙ୍କ ଓ ଭାଇମାନେ ମଧୁର ବାଣୀ ଯେତେବେଳେ ଗ୍ରାମ ଦାଣ୍ଡରେ ପଡିଲା, ଶତାଧିକ ମାତା, ଭଉଣୀ, ଯୁବକ, ବୟଜେଷ୍ଠଙ୍କ ମନ ଯେମିତି ଧୀରେ ଧୀରେ ଶାନ୍ତ ହୋଇଗଲା। ଏହି ଅବସରରେ ଆଲୋଚନା ହେଲା ଜୀବନ କଣ ?କେବଳ ପେଟ ପାଟଣା ନୁହେଁ, ମଣିଷ ଭିତରେ ଥିବା ଆତ୍ମାକୁ ଚିହ୍ନିବା। ରାଜଯୋଗ ଧ୍ୟାନ ମାଧ୍ୟମରେ ମନକୁ କେମିତି ପବିତ୍ର ରଖିବା, ନୈତିକ ଶିକ୍ଷା କେମିତି ପିଲାଙ୍କ ଭିତରେ ସଂସ୍କାର ଆଣିବ, ବ୍ୟସନ ମୁକ୍ତ ଜୀବନ କେମିତି ପରିବାରକୁ ସ୍ୱର୍ଗ କରିବ ଦିଦିମାନେ ସରସ ଉଦାହରଣ ଦେଇ ବୁଝାଇଥିଲେ।ସାଧାରଣ ଶିକ୍ଷା ମଣିଷକୁ ଚାକିରି ଦିଏ, କିନ୍ତୁ ଆଧ୍ୟାତ୍ମିକ ଶିକ୍ଷା ମଣିଷକୁ ମଣିଷ କରେ। ଏହି ଦୁଇର ସମନ୍ୱୟ ହିଁ ଆଜିର ଭାଙ୍ଗି ପଡୁଥିବା ସମାଜକୁ ଯୋଡି ପାରିବ ବୋଲି ସଭାରେ ମତ ପ୍ରକାଶ ପାଇଲା। ଶେଷରେ ସମସ୍ତଙ୍କ ମଙ୍ଗଳ କାମନା, ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା ଓ ପ୍ରସାଦ ସେବନ ସହ ଉତ୍ସବ ଶେଷ ହେଲା। ଗ୍ରାମବାସୀଙ୍କ ମୁହଁରେ ଗୋଟିଏ କଥା “ଏହି ପାଠଶାଳା ଆମ ପାଟବନ୍ଧରେ କେବଳ ଏକ ଘର ନୁହେଁ, ଏହା ଆମ ମନରେ ଏକ ନୂଆ ଚେତନାର ଦୀପ ଜାଳିଲା।”ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
