‘ଅର୍ଣ୍ଣବ’ଠାରୁ ‘ଅକଭାନ୍’ ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନାରେ ଗଞ୍ଜାମ ଜିଲ୍ଲାର ସମନ୍ୱିତ ଉଦ୍ୟମ କେବଳ ରାଜ୍ୟରେ ନୁହଁ ସମଗ୍ର ଦେଶରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି–ମୁଖ୍ୟମନ୍ତ୍ରୀ (‘ଅର୍ଣ୍ଣବ’ ଓ ‘ଅକଭାନ୍’ର ମୁକାବିଲାରେ ଗଞ୍ଜାମର ଟିମ୍ୱାର୍କକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା…
‘. ‘ଅର୍ଣ୍ଣବ’ଠାରୁ ‘ଅକଭାନ୍’ ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନାରେ ଗଞ୍ଜାମ ଜିଲ୍ଲାର ସମନ୍ୱିତ ଉଦ୍ୟମ କେବଳ ରାଜ୍ୟରେ ନୁହଁ ସମଗ୍ର ଦେଶରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି–ମୁଖ୍ୟମନ୍ତ୍ରୀ (‘ଅର୍ଣ୍ଣବ’ ଓ ‘ଅକଭାନ୍’ର ମୁକାବିଲାରେ ଗଞ୍ଜାମର ଟିମ୍ୱାର୍କକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା)ଛତ୍ରପୁର(ଅରୁଣ କୁମାର ପଣ୍ଡା)ସ୍ଥାୟୀ ପ୍ରତିକାର ଓ ଭବିଷ୍ୟତ ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି।କୃଷି କ୍ଷୟକ୍ଷତି ଆକଳନ ସପ୍ତାହକ ମଧ୍ୟରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ବ୍ୟକ୍ତିଗତ ଉଦ୍ୟମରେ ଗୋଟିଏ ଦୁଇଟି ମ୍ୟାଚ୍ ଜିତିହେବ କିନ୍ତୁ ଗୋଟିଏ ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେଲେ ଦଳଗତ ଉଦ୍ୟମ ଆବଶ୍ୟକ ଅଟେ, ଗଞ୍ଜାମ ଟିମ୍ ଓ ଏସ୍ଆର୍ସି ଟିମ୍ ଏହା କରି ଦେଖେଇଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ପ୍ରକାଶ କରିଛନ୍ତି।ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକଭାନ୍’ ସମେତ ଲଗାତାର ବାତ୍ୟା ଓ ବନ୍ୟାର ମୁକାବିଲାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ,ଏସ୍ଆର୍ସି ଙ୍କ ଟିମ୍ ଏବଂ ସମସ୍ତ ଉଦ୍ଧାରକାରୀ ଓ ସହାୟତାକାରୀ ଦଳର ସମନ୍ୱିତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚ ପ୍ରଶଂସା କରିଛନ୍ତି।ଅତି କମ୍ ସମୟ ମଧ୍ୟରେ ବିପୁଳ ଜନସଂଖ୍ୟାକୁ ଉଦ୍ଧାର କରିବା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ପହଞ୍ଚିବାରେ ଗଞ୍ଜାମ ଟିମ୍ର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଛନ୍ତି।ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟର ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପରିସ୍ଥିତି,ଲୋକଙ୍କ ସମସ୍ୟା ଓ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ନେଇଥିଲେ।କିଛି ଦିନ ଆଗରୁ ଅର୍ଣ୍ଣବ ସମୟରେ ଆକାଶମାର୍ଗରୁ ଗଞ୍ଜାମ ଓ ପାଖ ଜିଲ୍ଲାର କ୍ଷୟକ୍ଷତି ଦେଖିଥିଲି କିନ୍ତୁ ସ୍ଥଳ ଭାଗରେ ଅନୁଧ୍ୟାନ କରିବା ସହ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର,ଛତ୍ରପୁର ବ୍ଲକର ବଉଳ ଗାଁ ଓ ଅନ୍ୟାନ୍ୟ ଅଞ୍ଚଳର ପରିସ୍ଥିତି ଦେଖିଥିଲି।ଏହି ଅଞ୍ଚଳରେ ବାତ୍ୟା ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଧାନ ଫସଲ ସମେତ ଅନ୍ୟାନ୍ୟ ଫସଲର ବ୍ୟାପକ କ୍ଷତି ହୋଇଛି।ଏହି କ୍ଷୟକ୍ଷତି ସମ୍ପର୍କରେ ଜନ ପ୍ରତିନିଧି,ଜିଲ୍ଲାପାଳ ଓ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ମୁଁ ଆଲୋଚନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଚଳିତ ବର୍ଷ ମାତ୍ର ୨୧ ଦିନ ମଧ୍ୟରେ ତିନୋଟି ବାତ୍ୟା ଜନିତ ପରିସ୍ଥିତି ଏବଂ ବାରମ୍ବାର ବନ୍ୟାର ସମ୍ମୁଖୀନ ହୋଇଥିବା ଗଞ୍ଜାମବାସୀଙ୍କ ଧୈର୍ଯ୍ୟ ଓ ସାହସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।ବିପର୍ଯ୍ୟୟ ସମୟରେ ଲୋକ ମାନେ ଯେଉଁ ସାହସର ସହ ପରିସ୍ଥିତିର ମୁକାବିଲା କରିଛନ୍ତି ସେଥି ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ଦିନରାତି ବର୍ଷା, ପାଣି ଓ ପାହାଡ଼ିଆ ଅଞ୍ଚଳରେ ବୁଲି ଖବର ସଂଗ୍ରହ କରି ଲୋକଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଥିଲେ।‘ଅର୍ଣ୍ଣବ’ଠାରୁ ‘ଅକଭାନ୍’ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନାରେ ଗଞ୍ଜାମ ଜିଲ୍ଲାର ସମନ୍ୱିତ ଉଦ୍ୟମ କେବଳ ରାଜ୍ୟରେ ନୁହଁ ସମଗ୍ର ଦେଶରେ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ବାତ୍ୟା ‘ଅର୍ଣ୍ଣବ’ସମୟରେ ୨.୧୧ ଲକ୍ଷ ଲୋକ ଏବଂ ବାତ୍ୟା ‘ଅକଭାନ୍’ସମୟରେ ୧.୫୦ ଲକ୍ଷ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଗଞ୍ଜାମ ଟିମ୍ର ଏକ ବଡ଼ ସଫଳତା ବୋଲି ସେ କହିଥିଲେ। ବିପର୍ଯ୍ୟୟ ପରବର୍ତ୍ତୀ ସହାୟତା ଓ କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ନ୍ୟାୟସଙ୍ଗତ ସହାୟତା ଦେବା ଆମର ପ୍ରାଥମିକତା।ରାସନ କାର୍ଡ ନଥିବା ପରିବାର ମାନଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇ ସହାୟତା ପ୍ରଦାନ କରିବାକୁ ସେ କହିଥିଲେ। କୃଷି ଇନ୍ପୁଟ୍ ସବ୍ସିଡି, ଘରଭଙ୍ଗା ସହାୟତା ଓ ଅନ୍ୟାନ୍ୟ କ୍ଷତିପୂରଣ ପାଇଁ ପ୍ରକୃତ କ୍ଷତିର ଆକଳନ ସପ୍ତାହକ ମଧ୍ୟରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।କ୍ଷତିଗ୍ରସ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତାର ବିଭିନ୍ନ ମାନଦଣ୍ଡରେ ପରିବର୍ତ୍ତନ ଅଣାଯାଇଥିବା ସେ କହିଥିଲେ। ବାଲିଚର ଓ ଅନ୍ୟାନ୍ୟ ସଫେଇ କାର୍ଯ୍ୟ ପାଇଁ ୨୩ ହଜାର ଟଙ୍କା, କୃଷି କ୍ଷତିପୂରଣ ପାଇଁ ହେକ୍ଟର ପିଛା ସହାୟତା ୮ ହଜାରରୁ ୧୧ ହଜାର ଟଙ୍କାକୁ ଏବଂ ଘରଭଙ୍ଗା ସହାୟତା ୧.୨ ଲକ୍ଷରୁ ୧.୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ।କ୍ଷୟକ୍ଷତି ଆକଳନ ସମୟରେ ଅଧିକାରୀ ମାନେ ସମ୍ବେଦନଶୀଳ ମନୋଭାବ ନେଇ ଉଦାରତାର ସହ କାର୍ଯ୍ୟ କରିବା ଆବଶ୍ୟକ। ଚାଷୀଙ୍କ ପ୍ରକୃତ କ୍ଷତି ଯେପରି ବାଦ୍ ନପଡ଼େ ସେଥି ପ୍ରତି ବିଶେଷ ଧ୍ୟାନ ଦେବା ସହ ଫସଲ ବୀମା ଅନ୍ତର୍ଗତ କ୍ଷତିପୂରଣ ମଧ୍ୟ ଠିକ୍ ସମୟରେ ମିଳିବା ନିଶ୍ଚିତ କରିବାକୁ ସେ କହିଥିଲେ। ପ୍ରାଥମିକ ଆକଳନ ଅନୁଯାୟୀ ଆଗୁଆ ସହାୟତା ପ୍ରଦାନ କରାଯିବ ଏବଂ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ଆବଶ୍ୟକ ଅର୍ଥ ତୁରନ୍ତ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।ଭବିଷ୍ୟତରେ ଏଭଳି ବିପର୍ଯ୍ୟୟରୁ ଗଞ୍ଜାମକୁ ସୁରକ୍ଷା ଦେବା ପାଇଁ ସ୍ଥାୟୀ ପ୍ରତିକାର ମୂଳକ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ।ଜଳବାୟୁ ପରିବର୍ତ୍ତନ ଓ ଏଲ୍-ନିନୋ ପ୍ରଭାବ ଯୋଗୁଁ ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଘଟୁ ଥିବାରୁ ଆଗାମୀ ଦିନରେ ୧୯୯୯ ମସିହା ଭଳି ଶକ୍ତିଶାଳୀ ବାତ୍ୟାର ସମ୍ଭାବନାକୁ ମଧ୍ୟ ନଜରରେ ରଖି ପ୍ରସ୍ତୁତ ରହିବାକୁ ସେ କହିଥିଲେ।ଚଳିତ ବର୍ଷ ଓଡ଼ିଶାରେ ବାରମ୍ବାର ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆମକୁ ଭବିଷ୍ୟତ ପାଇଁ ଅଧିକ ସତର୍କ ଓ ପ୍ରସ୍ତୁତ ରହିବାର ଶିକ୍ଷା ଦେଇଛି ବୋଲି ମତ ପ୍ରକାଶ କରିଥିଲେ।ଋଷିକୁଲ୍ୟା ନଦୀର ସମଗ୍ର ଜଳପ୍ରବାହ ଅଞ୍ଚଳର ବିସ୍ତୃତ ଅଧ୍ୟୟନ କରି ଏକ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ଯୋଜନା ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ କହିଥିଲେ।ଆବଶ୍ୟକ ସ୍ଥାନରେ ଆଡ଼ିବନ୍ଧ,ନଦୀବନ୍ଧ ଓ ଅନ୍ୟାନ୍ୟ ଜଳ ନିୟନ୍ତ୍ରଣ ଭିତ୍ତିଭୂମି ନିର୍ମାଣ କରି ନଦୀର ଜଳ ଯେପରି ଚାଷଜମି ଓ ଜନବସତିକୁ ପ୍ରବେଶ ନକରେ ସେଥି ପାଇଁ ବୈଷୟିକ ଅଧ୍ୟୟନ ଭିତ୍ତିକ ଯୋଜନା କରିବାକୁ କହିଥିଲେ। ଗଞ୍ଜାମ ସହ ଗଜପତି ଓ କନ୍ଧମାଳ ଜିଲ୍ଲାକୁ ମଧ୍ୟ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶା ପାଇଁ ଏକ ସମନ୍ୱିତ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବେ ବୋଲି କହିଛନ୍ତି।ଏଥିରେ ଏସ୍ଆର୍ସି ଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ସ୍ୱାସ୍ଥ୍ୟ,ପାନୀୟ ଜଳ, ବିଦ୍ୟୁତ୍,ଶିକ୍ଷା,ଅଙ୍ଗନବାଡ଼ି ଓ ମୋବାଇଲ୍ ନେଟୱର୍କ ଆଦି ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଜଳବାହିତ ରୋଗ ବିଶେଷ କରି ଝାଡ଼ାବାନ୍ତି ଯେପରି ବ୍ୟାପି ନଯାଏ ସେଥି ପାଇଁ ନିରନ୍ତର ନଜର ରଖିବା ସହ ମୋବାଇଲ୍ ହେଲ୍ଥ ୟୁନିଟ୍ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ କୁହାଯାଇଥିଲା। ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ମରାମତି,ପାନୀୟ ଜଳ ଯୋଗାଣ ଏବଂ ମୋବାଇଲ୍ ନେଟୱର୍କର ପୁନଃସ୍ଥାପନ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା।ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ମରାମତି ପାଇଁ ଏସ୍ଆର୍ସି ଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗଞ୍ଜାମବାସୀଙ୍କ ସାହସ ଓ ଧୈର୍ଯ୍ୟର ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନ,ବାହାର ଜିଲ୍ଲାରୁ ଆସିଥିବା ଅଧିକାରୀ ଓ ଉଦ୍ଧାରକାରୀ ଦଳ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବିପର୍ଯ୍ୟୟ ସମୟରେ ସମସ୍ତେ ନିଜ ଦାୟିତ୍ୱକୁ ନିଜର କାମ ଭାବି କରିଥିବାରୁ ଏହି ସଫଳତା ସମ୍ଭବ ହୋଇଛି ବୋଲି ସେ କହିଥିଲେ।ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟାନ୍ୟ ତୃଣମୂଳସ୍ତରର କର୍ମଚାରୀଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଥିଲେ।ବାହାର ଜିଲ୍ଲାରୁ ଆସିଥିବା ଅଧିକାରୀ ମାନେ ନିଜ ଦାୟିତ୍ୱ ସମାପ୍ତ କରିବା ପରେ ଯଥାଶୀଘ୍ର ଅବ୍ୟାହତି ପାଇପାରିବେ ସେଥି ପାଇଁ ପୁନରୁଦ୍ଧାର କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ କହିଥିଲେ। ଏହି ସଫଳତା କେବଳ ଜଣେ ବ୍ୟକ୍ତିଙ୍କ ଉଦ୍ୟମରେ ନୁହେଁ ବରଂ ସମଗ୍ର ଟିମ୍ର ସମନ୍ୱିତ ପ୍ରୟାସର ଫଳ।ବ୍ୟକ୍ତିଗତ ଉଦ୍ୟମରେ ଗୋଟିଏ ଦୁଇଟି ମ୍ୟାଚ୍ ଜିତିହେବ କିନ୍ତୁ ଏକ ଟୁର୍ଣ୍ଣାମେଣ୍ଟ ଜିତିବାକୁ ଦଳଗତ ଉଦ୍ୟମ ଆବଶ୍ୟକ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଭାବନା ନେଇ ସମସ୍ତେ କାମ କରିଥିବାରୁ ସେ ଗଞ୍ଜାମ ଟିମ୍ ଓ ଏସ୍ଆର୍ସି ଟିମ୍କୁ ଧନ୍ୟବାଦ ଜଣାଇଥିଲେ।ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଗଞ୍ଜାମ ଜିଲ୍ଲାର ସମଗ୍ର ଟିମ୍କୁ କୃତଜ୍ଞତା ଜଣାଇବା ସହ ବିଶେଷକରି କୃଷି ବିଭାଗର ଅଧିକାରୀ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।କ୍ଷୟକ୍ଷତିର ସଠିକ୍ ତଥ୍ୟ ପ୍ରଦାନ କରିବା ସହ ଚାଷୀଙ୍କ ପାଖରେ ପ୍ରଶାସନ ଠିଆ ହୋଇଛି ବୋଲି ସେମାନଙ୍କୁ ଅନୁଭବ କରାଇବା ଆବଶ୍ୟକ। ଚାଷୀଙ୍କ ଦୁଃଖଦୁର୍ଦ୍ଦଶା ସମୟରେ ପ୍ରଶାସନ ସେମାନଙ୍କ ସହ ଅଛି ବୋଲି ବିଶ୍ୱାସ ସୃଷ୍ଟି କରିବାକୁ ସେ ଗୁରୁତ୍ୱ ଦେଇଥିଲେ।ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଗଞ୍ଜାମ ଜିଲ୍ଲାର ସମଗ୍ର ଟିମ୍ର ଉଦ୍ୟମକୁ ପ୍ରଶଂସା କରି ଲଗାତାର ତିନୋଟି ବାତ୍ୟାଜନିତ ପରିସ୍ଥିତି ମଧ୍ୟରେ କାର୍ଯ୍ୟ କରିଥିବା ସମସ୍ତ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ।ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟରେ ସ୍ୱଚ୍ଛତା,ଶୀଘ୍ରତା ଓ ଗୁଣବତ୍ତା ବଜାୟ ରଖିବା ସହ ଭବିଷ୍ୟତର ଆବଶ୍ୟକତାକୁ ଆଖି ଆଗରେ ରଖି ସମସ୍ତ ଭିତ୍ତିଭୂମି ନିର୍ମାଣ କରିବାକୁ ସେ କହିଥିଲେ। କେବଳ ତୁରନ୍ତ ମରାମତି ନୁହେଁ, ଦୀର୍ଘସ୍ଥାୟୀ ସମାଧାନ ହିଁ ଆମର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।ବାତ୍ୟା ଓ ବନ୍ୟାର ଦୁର୍ଦ୍ଦିନରେ ଗଞ୍ଜାମବାସୀ ଯେଉଁ ଆତିଥ୍ୟ, ସହଯୋଗ ଓ ସାହସ ପ୍ରଦର୍ଶନ କରିଛନ୍ତି ତାହା ପ୍ରଶାସନକୁ ଅଧିକ ଦାୟିତ୍ୱବାନ କରିଛି। ସମସ୍ତଙ୍କ ମିଳିତ ପ୍ରୟାସରେ ରିଲିଫ୍,କ୍ଷତି ପୂରଣ ଓ ପୁନରୁଦ୍ଧାର କାର୍ଯ୍ୟକୁ ସମୟବଦ୍ଧ ଭାବେ ସମ୍ପୂର୍ଣ୍ଣ କରିବା ସହ ଭବିଷ୍ୟତରେ ଗଞ୍ଜାମକୁ ବାତ୍ୟା ଓ ବନ୍ୟାରୁ ସୁରକ୍ଷା ଦେବା ପାଇଁ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଜିଲ୍ଲାର ‘ଅର୍ଣ୍ଣବ’ ଏବଂ ‘ଅକଭାନ୍’ବାତ୍ୟା ଓ ବନ୍ୟାର ପୂର୍ବ ପର ପଦକ୍ଷେପର ସାମଗ୍ରିକ ଚିତ୍ର ବୈଠକରେ ଉପସ୍ଥାପନ କରିଥିଲେ।ଗଞ୍ଜାମ ବାସୀଙ୍କ ତରଫରୁ ସେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସମସ୍ତ ବରେଣ୍ୟ ଅତିଥି ମାନଙ୍କୁ ସମସ୍ତ ସହଯୋଗ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ।ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା,ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦୀପ କୁମାର ପାଣିଗ୍ରାହୀ,ଆସିକା ସାଂସଦ ଅନିତା ଶୁଭଦର୍ଶିନୀ,ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଏସଆରସି ରାଜେଶ ପ୍ରଭାକର ପାଟିଲ,ଦକ୍ଷିଣାଞ୍ଚଳ ରାଜସ୍ବ ଆଯୁକ୍ତ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ, ହରିଶ ବିଶି,ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ୍ ସସ୍ୟ ରେଡ୍ଡୀ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା,ସୁନୀଲ କୁମାର କେର୍କେଟା,ଉପଜିଲ୍ଲାପାଳ ଅବିନାଶ କୁମାର,ଉମାଶଙ୍କର ବେହେରା,ଶିବାଶିଷ ବରାଳ ଓ ଜିଲାର ସମସ୍ତ ଅଧିକାରୀ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଜିଲ୍ଲାରେ କାର୍ଯ୍ୟରତ ଛଅ ଜଣ ଆଇଏଏସ୍ ଅଧିକାରୀଙ୍କ ପରିଚୟ, ସେମାନଙ୍କ ଦାୟିତ୍ୱ ଓ କାର୍ଯ୍ୟକ୍ଷେତ୍ର ସମ୍ପର୍କରେ ସେ ଜଣ ଜଣ କରି ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ତାମିଲନାଡୁର ମୂଳବାସିନ୍ଦା ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ,ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନାଙ୍କ ସମେତ ବିହାର ଜନ୍ମିତ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଓଡ଼ିଶାରେ ବାହାଘର ହୋଇଥିବା ଶୁଣିବା ପରେ ପତ୍ନୀ ପଡୋଶୀ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଆଇଏଏସ ପ୍ରଣିତା ଦାଶଙ୍କ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।ଭାରତୀୟ ପ୍ରଶାସନିକ ସେବାର ପ୍ରୋବେସନର ଏସ.ସରଣ୍ୟାଙ୍କ ସହିତ ସେ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାର୍ତ୍ତାଳାପ କରିଥିଲେ।ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର,ସୁନ୍ଦରଗଡ଼ ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା କେଉଁ କେଉଁ ଦାୟିତ୍ୱରେ ଅଛନ୍ତି ସେ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ଏଥି ସହ ଏସ୍ପି,ଏଡିଏମ୍, ଉପଜିଲ୍ଲାପାଳ,ବିଡିଓ ଓ ତହସିଲଦାରଙ୍କ ସଂଖ୍ୟା,ଦାୟିତ୍ୱ ଏବଂ ପ୍ରଶାସନିକ କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ପଚାରିଥିଲେ। ସମସ୍ତ ଲାଇନ୍ ବିଭାଗର କାର୍ଯ୍ୟ ଓ ଅଧିକାରୀଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ।



