October 15, 2026

ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା ଅଜିତ କୁମାର ଦାଶଙ୍କ ତିରୋଧାନ 

IMG-20261015-WA0082
Share

 

 

ସମ୍ବଲପୁର-ତା:୧୫/୧୦:-ଆଜି ସକାଳେ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଅଜିତ କୁମାର ଦାଶଙ୍କ ତିରୋଧାନ ହେଇଯାଇଛି। ମୃତ୍ୟୁ ବେଳକୁ ସେ ତାଙ୍କ ଏକମାତ୍ର ପୁତ୍ର ଡାକ୍ତର ଦେବବ୍ରତ ଦାଶଙ୍କ ସାଙ୍ଗରେ ବିଜୟୱଡ଼ା ଠାରେ ଅବସ୍ଥାନ କରୁଥିଲେ।ଗତ ସୋମବାର ଦିନ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପାଞ୍ଚଟା ସମୟରେ ତାଙ୍କର ସ୍ଵର୍ଗବାସ ହୋଇଥିଲା।

ସ୍ବର୍ଗତ ଅଜିତ କୁମାର ଦାଶ ସମ୍ବଲପୁର ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ। ସେ ତାଙ୍କ ଶିକ୍ଷକତା ଜୀବନ କମିଶନର୍ସ କଲୋନୀ ହାଇସ୍କୁଲରୁ ଆରମ୍ଭକରି ନୃସିଂହ ଗୁରୁ ଟାଉନ୍ ହାଇସ୍କୁଲ ଏବଂ ତାପରେ ବୁଢ଼ାରଜା ହାଇସ୍କୁଲରେ ୧୯୯୯ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଓ ୨୦୦୬ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ଜଣେ ସୁଦକ୍ଷ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଏହି ବିଦ୍ୟାଳୟରେ ସଫଳତାର ସହ କାର୍ଯ୍ୟ ସଂପାଦନକରି ଜଣେ କୃତୀଶିକ୍ଷକ ଭାବରେ ରାଜ୍ୟ ପୁରସ୍କାର ଓ ଜାତୀୟ ପୁରସ୍କାର ଲାଭ କରିଥିଲେ। ସେହିପରି ସେ ଓଷ୍ଟା ରାଜ୍ୟ ସଂଗଠନ,ଜୀବନ ବୀମା ନିଗମ ଭଳି ଅନୁଷ୍ଠାନ ତଥା ଆହୁରି ଅନେକ ସଂଗଠନ ତରଫରୁ ସେ ସମ୍ବର୍ଦ୍ଧିତ ହୋଇଥିଲେ।ସେ ପ୍ରଧାନଶିକ୍ଷକ ଥିବା ସମୟରେ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷାଦାନରେ ଉଲ୍ଲେଖନୀୟ ପ୍ରଗତି ଓ ବିଦ୍ୟାଳୟର କାୟା ପରିବର୍ତ୍ତନ ସହ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ପରିଲକ୍ଷିତ ହୋଇଥିଲା।ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଅବସର ନେବା ପରେ ସେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ସମ୍ବଲପୁରର ଅଧ୍ୟକ୍ଷ ଭାବରେ ଯୋଗଦେଇ ତାଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ।କେବଳ ଜଣେ ଶିକ୍ଷକ ଭାବରେ ନୁହେଁ ଜଣେ ସୁଦକ୍ଷ ଶିକ୍ଷକ ନେତା ଭାବରେ ସେ ସମଗ୍ର ଓଡ଼ିଶାରେ ଜଣାଶୁଣା ଥିଲେ। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସମ୍ବଲପୁର ମଣ୍ଡଳର ଯୁଗ୍ମ ସମ୍ପାଦକ,ସଂପାଦକ,ରାଜ୍ୟ ସଭାପତି ଏବଂ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସଭାପତି ଭାବରେ ଦୀର୍ଘଦିନ ପର୍ଯ୍ୟନ୍ତ କାର୍ଯ୍ୟ ସଂପାଦନକରି ଦୃଢ଼ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ତାଙ୍କର ସ୍ପଷ୍ଟବାଦିତା, ନିଃସ୍ୱାର୍ଥପରତା,ଅମାୟିକ ବ୍ୟକ୍ତିତ୍ଵ ତଥା ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁଁ ସମଗ୍ର ଓଡ଼ିଶାର ମାଧ୍ୟମିକ ଶିକ୍ଷକ-କର୍ମଚାରୀ ଓ ଉଚ୍ଚ ଶିକ୍ଷା ଜଗତର ଶିକ୍ଷକ ସମାଜ ଓ ତାଙ୍କର ସମସ୍ତ ଛାତ୍ରଛାତ୍ରୀ ମହଲରେ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବେ।ସେ ମଧ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେତୁ’ ସହିତ ମୃତ୍ୟୁ ପର୍ଯ୍ୟନ୍ତ ଜଡ଼ିତ ରହିଥିଲେ।ତାଙ୍କ ବିୟୋଗରେ ସେତୁ ଅନୁଷ୍ଠାନ,ଓଷ୍ଟା ରାଜ୍ୟ ସଂଗଠନ,ଓଷ୍ଟା ସମ୍ବଲପୁର ଶାଖା, ନିଖିଳ ଉତ୍କଳ ଶିକ୍ଷକ ମହାସଂଘ,ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ଅମର ଆତ୍ମାଙ୍କ ସଦ୍ଗତି କାମନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ତାଙ୍କ ମରଶରୀରକୁ ଆଜି ତାଙ୍କ ବୁଢ଼ାରଜା ଶାନ୍ତିନଗର ସ୍ଥିତ ବାସଭବନକୁ ଅଣାଯାଉଛି ଏବଂ ଆସନ୍ତାକାଲି ସକାଳେ ସମ୍ବଲପୁର ରାଜଘାଟ ଠାରେ ଦାହସଂସ୍କାର କରାଯିବ ବୋଲି ତାଙ୍କ ପରିବାର ତରଫରୁ ପ୍ରକାଶ।