September 21, 2024

ଲାଞ୍ଜିଗଡ଼ ଅଞ୍ଚଳରେ ଲାଲ ପାଣିର କୃତ୍ରିମ ବନ୍ୟା 

Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଆଜି ରାତିରେ ବେଦାନ୍ତ କମ୍ପାନୀ ଦ୍ୱାରା ଲାଞ୍ଜିଗଡ଼ର ନାରାୟଣପୁର ମୌଜାରେ ନିର୍ମିତ ରେଡ଼ ମଡ଼ ପଣ୍ଡର ବନ୍ଧ ଭାଙ୍ଗି ସେଥିରେ ଥିବା ଏସିଡ଼ ଯୁକ୍ତ ଲାଲ ପାଣି ପ୍ରବଳ ବେଗରେ ପ୍ରବାହିତ ହୋଇ ବିସ୍ତୃତ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି l ଫଳରେ ଚଣାନିମା, ଡ଼ଙ୍ଗୀଝୋଲା, ଛତ୍ରପୁର, କେନ୍ଦୁଗୁଡ଼ା, ନିଆଳି, ବାତେଲିମା, ଚନ୍ଦନପୁର ପେଡ଼ିଗୁଡା ଓ ଵୁଣ୍ଡେଲ ପ୍ରଭୃତି ଅନେକ ଗ୍ରାମ ଏହା ଦ୍ୱାରା ପ୍ରଭାବିତ ହୋଇଛି l ଲାଲ ପୋଖରୀର ଜଳ ଏତେ ପ୍ରବଳ ଭାବେ ପ୍ରବାହିତ ହେଲା ଯେ ଲାଞ୍ଜିଗଡ଼- ମୁନିଗୁଡ଼ା ରାସ୍ତା ଧୋଇ ଯାଇ ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଛିନ୍ନ ହୋଇଯାଇଛି l ଚାଷ ଜମିରେ ଏଇ ବିଷାକ୍ତ ଜଳ ମାଡ଼ିଯିବା ଯୋଗୁଁ ରୁଆ ହୋଇଥିବା ଧାନଗଛ ସବୁ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି l ଏଇ ଲାଲ ପାଣି ବିଭିନ୍ନ ଗ୍ରାମ ମାନଙ୍କରେ ବ୍ୟାପିଯିବା ଫଳରେ ଲୋକମାନଙ୍କର ଚଳ ପ୍ରଚଳରେ ସମସ୍ୟା ଦେଖାଦେଇଛି l କାରଣ ସେଇ ବିଷାକ୍ତ ଜଳ ଦେହରେ ଲାଗି କୁଣ୍ଡେଇ ହେଉଛି l ପୁଣି ବଂଶଧାରା ନଦୀରେ ଏଇ ବିଷାକ୍ତ ମିଶିବା ଯୋଗୁଁ ନଦୀ ପାଣି ମଧ୍ୟ ଲୋକେ ବ୍ୟବହାର କରିପାରୁ ନାହାନ୍ତି l ଏଇ ଲାଲ ଜଳ ଦ୍ୱାରା ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ଦ୍ୱାରା ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଥିପାଇଁ ସେମାନେ ବେଦାନ୍ତ କମ୍ପାନୀକୁ ଦାୟୀ କରିଛନ୍ତି l କାରଣ ବେଦାନ୍ତ କମ୍ପାନୀ ଯେଉଁ ରେଡ଼ମଡ଼ ପଣ୍ଡ ଓ ଆଶପଣ୍ଡ ଲାଞ୍ଜିଗଡ଼ର ଜନବସତି ଅଞ୍ଚଳରେ ନିର୍ମାଣ କରିଛି, ତାହା ସମ୍ପୂର୍ଣ୍ଣ ବେଆଇନ ଅଟେ l ନିୟମ ଦୃଷ୍ଟିରୁ ଏହି ରେଡ଼ମଡ଼ପଣ୍ଡ ଓ ଆଶପଣ୍ଡ ଜନବସତି ଦଶ କିଲୋମିଟର ଦୂରରେ ରହିବା କଥା l କିନ୍ତୁ କମ୍ପାନୀ ତାହା ନ ମାନି ନିଜର ସୁବିଧା ପାଇଁ ଲୋକାଳୟ ମଧ୍ୟରେ କରିଛି l ସେଥିପାଇଁ ଆଜି ଏଭଳି ପରିସ୍ଥିତିର ସାମନା କରିବାକୁ ପଡିଲା l କମ୍ପାନୀ ଏପରି ଅନେକ ବେଆଇନ କାର୍ଯ୍ୟ କରିଛି l ଯଦି ବେଦାନ୍ତ ବର୍ତ୍ତମାନ ଉପୁଜି ଥିବା ଏ ସମସ୍ୟାର ସମାଧାନ ନ କରେ, ତାହେଲେ ଲୋକେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ବେଦାନ୍ତ କମ୍ପାନୀକୁ ଚେତାବନୀ ଦେଇଛନ୍ତି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା, ନିୟୁଜ ଉପାନ୍ତ ଖବର