November 22, 2024

ମାନବିକତା ଦେଖାଇଲେ ବିଏସକେୱାଇ ଜିଲ୍ଲା ସଂଯୋଜିକା

Share

ମାନବିକତା ଦେଖାଇଲେ ବିଏସକେୱାଇ ଜିଲ୍ଲା ସଂଯୋଜିକା
ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇଲେ
ସୁବର୍ଣ୍ଣପୁର, ୧୫।୦୯ – ରାସ୍ତାରେ ପଡି ଛଟପଟ ହେଉଥିବା ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜିକା ପ୍ରଜ୍ଞାପରିମିତା ଦାଶ ଉଦାହରଣ ସୃଷ୍ଟି କରିଛନ୍ତି । ଦୁର୍ଘଟଣାର ଶିକାର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ସଂପର୍କୀୟଙ୍କୁ ଦେଖାକରି ଶୀଘ୍ର ଅଫିସ୍ କାର୍ଯ୍ୟରେ ଯୋଗ ଦେବା ପାଇଁ ତର ତର ହୋଇ ନିଜ ସ୍କୁଟିରେ ସେ ଘରୁ ବାହାରି ଥିଲେ । ତେବେ ବ୍ଲକ ଛକ ନିକଟରେ ପହଞ୍ଚିବା ପରେ ଜଣେ ମହିଳା ତଳେ ପଡି ଯାଇଥିବା ଦେଖିଲେ । ସେଠାରେ ଜିଲ୍ଲା ସଂଯୋଜିକା ଅଟକି କାରଣ ପଚାରିବାରୁ ମହିଳା ଜଣଙ୍କ ଦୁର୍ଘଟଣାର ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଜାଣିଲେ । ତୁରନ୍ତ ଉକ୍ତ ମହିଳାଙ୍କୁ ନିଜ ସ୍କୁଟିରେ ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା କରାଇଥିଲେ । ଅନ୍ୟ ଜଣେ ଯୁବକଙ୍କ ସହାୟତାରେ ଉକ୍ତ ମହିଳାଙ୍କ ସ୍କୁଟିରେ ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କ ଭାଣିଜି ଏବଂ ପୁଅକୁ ମଧ୍ୟ ଡାକ୍ତରଖାନା ପଠାଇ ଥିଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଜିଲ୍ଲା ସଂଯୋଜିକାଙ୍କ ଏଭଳି ମହତ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଶାନ୍ତିଲତା ହରିପାଳ ଖମ୍ବେଶ୍ବରୀପାଲିରୁ ନିଜ ଭାଣେଜି ଓ ପୁଅ ସହ ସୋନପୁରକୁ ନୂଆଁଖାଇ ହାଟ କରିବାକୁ ଆସିଥିଲେ । ବ୍ଲକ ଛକ ନିକଟରେ ତାଙ୍କ ସ୍କୁଟିକୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ସେମାନେ ତଳେ ପଡି ଯାଇଥିଲେ ।
ତେବେ ଦୁର୍ଘଟଣାଗ୍ରସ୍ତଙ୍କୁ ଶୀଘ୍ର ଡାକ୍ତରଖାନା ପହଞ୍ଚାଇଲେ ଜୀବନ ରକ୍ଷା ହୋଇଯାଏ। ତେଣୁ ସେମାନଙ୍କୁ ଡାକ୍ତରଖାନା ପଠାଇଲି ଏବଂ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବାରୁ ଏହା ମୋର ପ୍ରଥମ କର୍ତ୍ତବ୍ୟ ଭାବେ ବୋଲି ପ୍ରଜ୍ଞାପରିମିତା କହିଛନ୍ତି । ତେବେ ସମ୍ବଲପୁରରେ କାର୍ଯ୍ୟ କରୁଥିବା ବେଳେ ପ୍ରଜ୍ଞାପରିମିତା ନିଜର ଶରୀର ଦାନ ପାଇଁ ସମ୍ମତି ଦେଇଥିବା ସହ ଏକାଧିକ ବାର ରକ୍ତ ଦାନ କରିଛନ୍ତି । ଏହା ସହ ବହୁ ସାମାଜିକ କାମରେ ସେ ନିଜକୁ ଜଡିତ ରଖିଥିଲେ। ସମାଜ ସେବାରେ ନିଜକୁ ସମର୍ପିତ ରଖିଲେ ଖୁବ୍ ଆତ୍ମ ତୃପ୍ତି ମିଳିଥାଏ ବୋଲି ପ୍ରଜ୍ଞାପରିମିତା କହିଛନ୍ତି ।