କୋରାପୁଟ ଜିଲ୍ଲା ଲମତାପୁଟ ରୁ ବିପୁଳ ସିଗାରେଟ ଓ ଗୁଟଖା ଜବତ..
୧୫/୦୨/୨୦୨୬ (ଗୁପ୍ତେଶ୍ୱର ରଥ) ଲମତାପୁଟ :- ଅବକାରୀ, ନିଶା ନିବାରଣ ଓ ପୁଲିସ୍ ବିଭାଗ ପକ୍ଷରୁ ଆଜି ବ୍ଳକ୍ର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଏଥିରେ ବିପୁଳ ସିଗାରେଟ, ଗୁଡ଼ାଖୁ ଓ ଗୁଟଖା ଜବତ କରାଯାଇଛି। ସୂଚନା ଅନୁଯାୟୀ, ଲମତାପୁଟ ସହର ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘଦିନ ହେଲା ବେଆଇନ ନିଶାଦ୍ରବ୍ୟ କାରବାର ଚାଲିଥିଲା। ଖବର ପାଇ ଅବକାରୀ ବିଭାଗ, ନିଶା ନିବାରଣ ଓ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ଦୋକାନରେ ହଠାତ୍ ଚଢ଼ାଉ କରିଥିଲା। ବହୁ ପରିମାଣର ବିଦେଶୀ ସିଗାରେଟ୍ ଏବଂ ଓଡ଼ିଶାରେ ନିଷିଦ୍ଧ ଥିବା ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଗୁଟୁଖା ପ୍ୟାକେଟ୍ ଜବତ ହୋଇଥିଲା। ତାହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ମାମଲାରେ ସମ୍ପୃକ୍ତ କେତେକ ବ୍ୟବସାୟୀଙ୍କୁ ପଚରାଉଚରା କରି ୩ ହଜାର ୬ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଚଢ଼ଉରେ ଡ୍ରଗ୍ଧ ଇନିସେକ୍ଟର ନକ୍ଷେତ୍ର ଭୂଷଣ ନାଏକ, ଚନ୍ଦ୍ର ପ୍ରତାପ ଲୋଧା, ଅବକାରୀ ବିଭାଗ ଓଆଇସି ରାଜୁ କ୍ଷେତ, ଶକ୍ତି କୁମାର ବେହେରା, ଦେବେନ୍ଦ୍ର ଖରା, ଗୀତାରାଣୀ ଦଳପତି, ତ୍ରିଲୋଚନ ସିଂ, ଗଙ୍ଗା ଶଙ୍କର, ଜ୍ଞାନରଞ୍ଜନ ଦୀକ୍ଷି, ଲମତାପୁଟ ଥାନାର ରୋହିଦାସ ବିଡ଼ିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
