ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ, ଜନ ସମୁଦ୍ର ପାଲଟିଲା ମହୋତ୍ସବ ସ୍ଥଳ, ମନକୁ ଛୁଇଁଲା ମଣ୍ଟୁ ଛୁରିଆଙ୍କ ଗୀତ , ଛଉ ଓ ଘୁମୁରା ନୃତ୍ୟରେ ଦୁଲୁକିଲା ମଞ୍ଚ
ବୁଗୁଡ଼ା : ଐତିହ୍ୟ, କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ରୂପେ ବିବେଚିତ ବୁଗୁଡ଼ା ଅଞ୍ଚଳରେ ବିଦ୍ଯମାନ ପ୍ରସିଦ୍ଧ ଶୈବପୀଠ ତଥା
ପର୍ଯ୍ୟଟନ ସୁଳୀ ବୁଦ୍ଧଖୋଲ ପାଦଦେଶସ୍ଥ ମହୋତ୍ସବ
ପ୍ରାଙ୍ଗଣରେ ଆୟୋଜିତ ତ୍ରିଦିବସୀୟ “ବୁଦ୍ଧଖୋଲ
ମହୋତ୍ସବ-୨୦୨୪” ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶରେ ବୁଦ୍ଧଖୋଲ
ଉନ୍ନୟନ ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ
ଉକ୍ତ ମହୋତ୍ସବର ଅନ୍ତିମ ଉତ୍ସବକୁ ପ୍ରାକ୍ତନ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି
ଭାବେ ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ସମ୍ମାନିତ ଅତିଥି ଭାବେ ତହସିଲଦାର ତାପସ ରାଉତ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇ ଦର୍ଶକଙ୍କୁ
ଉତ୍ସାହିତ କରିବା ସହ ଏଭଳି ଅବିସ୍ମରଣୀୟ ଉତ୍ସବର ଆୟୋଜକ ମଣ୍ଡଳୀକୁ ଭୂୟସୀ ପ୍ରଶଂସା କରିବାକୁ ଭୁଲି ନଥିଲେ । ଏ ଅବସରରେ ପ୍ରଶଂସନୀୟ ସାମାଜିକ କାର୍ଯ୍ୟକଳାପ ପାଇଁ ସ୍ଥାନୀୟ ପିପୁଲ୍ସ କଲେଜର ଏନ୍ଏସ୍ଏସ୍ ମହିଳା ୟୁନିଟକୁ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ ସାଙ୍ଗକୁ ଅଞ୍ଚଳର ପ୍ରତିଭାଧାରୀ ବ୍ୟକ୍ତି ବିଶେଷଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମପୁରସ୍ଥ “ଦି ଇଭେଣ୍ଟ୍ ଓ୍ବାଲା”ର ଉଦ୍ଯୋକ୍ତା ବିଭୂତି ମିଶ୍ରଙ୍କ ଆକର୍ଷଣୀୟ ମଞ୍ଚସଜ୍ଜା ସାଙ୍ଗକୁ ଆଖି ଝଲସିଆ ଆଲୋକୀକରଣ ବ୍ଯବସ୍ଥାରେ ମୟୁରଭଞ୍ଜର ଛଉ ନୃତ୍ୟ , କଳାହାଣ୍ଡିର ଘୁମୁରା ନୃତ୍ୟ , ଭଞ୍ଜନଗର ପ୍ରଜ୍ଞା ସଙ୍ଗୀତ , ପୋଲସରାର ଏସବିଡିସି ଡ୍ଯାନ୍ସ ଗ୍ରୁପ୍ , ବୁଗୁଡ଼ା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଡ୍ଯାନ୍ସ ଗ୍ରୁପ୍, ପିପୁଲ୍ସ କଲେଜ ଏନସିସି ଗ୍ରୁପ୍ , ବାଲିପଦର ଅହଲ୍ୟାଦେବୀ ମହିଳା ମହାବିଦ୍ୟାଳୟ ଡ୍ଯାନ୍ସ ଗ୍ରୁପ୍ , ପଥରାପଲ୍ଲୀ ପ୍ରାଇମେରୀ ସ୍କୁଲ ଡ୍ଯାନ୍ସ ଗ୍ରୁପ୍ ଆଦିର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ ।
ଅନ୍ଯପକ୍ଷରେ ଓଡିଶାର ପ୍ରଖ୍ୟାତ ଗାୟକ ମଣ୍ଟୁ ଝୁରିଆଙ୍କ ସଙ୍ଗୀତର ତାଳେ ତାଳେ ଲୋକେ ଝୁମିଥିବା ବେଳେ ବୈଭବଙ୍କ ଗୀତରେ ମତୁଆଲା ହୋଇଉଠିଥିଲେ । ଏଥି ସହ ଗାୟିକା ସିତଲ କବି ଓ ସିମ୍ରନଙ୍କ ହୃଦୟସ୍ପର୍ଶୀ ସଙ୍ଗୀତ ଦର୍ଶକଙ୍କ ମନ ମୋହିଥିଲା । ଏହି ଉତ୍ସବରେ ଉପସ୍ଥାପିକା ଲିଜା , ଉପସ୍ଥାପକ କାହ୍ନୁ ଓ ସାର୍ଥକ ସାସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅଗଣିତ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିବା ଏହି ମହୋତ୍ସବ କାଳରେ ବୁଦ୍ଧଖୋଲ ଉନ୍ନୟନ ସମିତିର କର୍ମକର୍ତ୍ତା ଏବଂ ସଦସ୍ୟଗଣଙ୍କ ସକ୍ରିୟ ସହଯୋଗ ସାଙ୍ଗକୁ ଅଗ୍ନିଶମ ବାହିନୀ , ବିଦ୍ଯୁତ୍ ବିଭାଗ ଏବଂ ପୋଲିସ ପ୍ରଶାସନର ଦାୟିତ୍ବ ନିର୍ବାହ ଦେଖିବାକୁ ମିଳିଥିଲା ବେଳେ ଶାନ୍ତିଶୃଙ୍ଖଳାର ସହ ମହୋତ୍ସବ ସମ୍ପନ୍ନ ହୋଇଥିଲା ।