November 15, 2024

ଓଡ଼ିଶା ପରିବେଶ କଂଗ୍ରେସ ର ୧୫ ତମ ଅଧିବେଶନ ଅନୁଷ୍ଠିତ ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ l ଚଳିତ ବର୍ଷର ବିଷୟବସ୍ତୁ ରହିଛି ପରିବେଶ ଓ ବେଳାଭୂମି l

Share

ଓଡ଼ିଶା ପରିବେଶ କଂଗ୍ରେସ ର ୧୫ ତମ ଅଧିବେଶନ ଅନୁଷ୍ଠିତ ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ l ଚଳିତ ବର୍ଷର ବିଷୟବସ୍ତୁ ରହିଛି ପରିବେଶ ଓ ବେଳାଭୂମି

ଡିସେମ୍ବର ୨୦, ୨୧ ଓ ୨୨ ତିନିଦିନ ଧରି ଅନୁଷ୍ଠିତ ହେବ l

 

ବ୍ରହ୍ମପୁର ତା ୧୪ l ୧୧ l ଓଡ଼ିଶା ପରିବେଶ କଂଗ୍ରେସ ୧୫ ତମ ଅଧିବେଶନ ଅନୁଷ୍ଠିତ ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ l ଚଳିତ ବର୍ଷର ବିଷୟବସ୍ତୁ ରହିଛି, “ପରିବେଶ ଓ ବେଳାଭୂମି” l ଡିସେମ୍ବର ମାସ ୨୦ ରୁ ୨୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହା ଅନୁଷ୍ଠିତ ହେବ l ଆଜି ଅପରାହ୍ନ ରେ ବିଶ୍ଵବିଦ୍ୟାଳୟ ର ସିଣ୍ଡିକେଟ ହଲ ରେ ଅନୁଷ୍ଠିତ ବୈଠକରେ ଏହାର ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି l ଏଥିରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଅଧ୍ୟକ୍ଷତା କରିଥିଲେ ଏବଂ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ ତଥା ପ୍ରାଧ୍ୟାପକ, ଅଧ୍ୟାପକ, ପଦାଧିକାରୀ ଙ୍କ ସମେତ ପ୍ରକୃତି ଓ ପରିବେଶ ଉପରେ କର୍ଯ୍ୟକରୁଥିବ ବ୍ରହ୍ମପୁର ଅନେକ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ମାନେ ଯୋଗ ଦେଇଥିଲେ l

ବୈଠକ ଆରମ୍ଭରେ ବିଶ୍ବବିଦ୍ୟାଳୟ ର ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ଡ ତମୋଘନ ଆଚାର୍ଯ୍ୟ ସ୍ଵାଗତ ଭାଷଣ ଦେଇଥିଲେ l ଓଡ଼ିଶା ପରିବେଶ କଂଗ୍ରେସ ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ ବିଗତ ୧୪ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ପରିବେଶ କଂଗ୍ରେସ ର ଅଧିବେଶନ ଗୁଡ଼ିକ ବିଷୟରେ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ୧୫ ତମ ଅଧିବେଶନ ବିଷୟରେ ଆଲୋକପାତ କରିଥିଲେ l ସେ କହିଥିଲେ ୪୮୦ କିମି ଦୀର୍ଘ ବେଳାଭୂମି ଓଡ଼ିଶା ର ପ୍ରାକୃତିକ ପ୍ରାଚୂର୍ଯ୍ୟ ର ଏକ ବିଶେଷ ଅଂଶ l ମାତ୍ର ଜଳବାୟୁ ପରିବର୍ତ୍ତନ ଏବଂ ତଥାକଥିତ ବିକାଶର ଧାରା ଏହି ପ୍ରାକୃତିକ ପ୍ରଚୁର୍ଯ୍ୟ ଆଜି ବିପଦ ଡାକି ଆଣୁଛି l ଏହା ଉପରେ ଗଭୀର ଆଲୋଚନା ଓ ଗବେଷଣା ହେବା ଜରୁରୀ ଏବଂ ସେହି ଦୃଷ୍ଟିରୁ ଚଳିତ ବର୍ଷର ଅଧିବେଶନ ବହୁତ୍ ଗୁରୁତ୍ଵ ବହନ କରେ l

ଓଡ଼ିଶା ଓ ଦେଶର ସାମୁଦ୍ରିକ ବେଳାଭୂମି ସ୍ଥିତି, ଅବସ୍ଥିତି, ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ବେଳାଭୂମି ଅଞ୍ଚଳରେ ଗଢି ଉଠୁଥିବା ପ୍ରକଳ୍ପ ଗୁଡ଼ିକର ପ୍ରଭାବ, ସମୁଦ୍ର ଉପରେ ନିର୍ଭରଶୀଳ ଜୀବନ ଜୀବିକା ର ସମସ୍ୟା ଇତ୍ୟାଦି ଉପରେ ୫୦ ଅଧିକ ଗବେଷକ ମାନେ ତାଙ୍କର ପ୍ରବନ୍ଧ ଏଥିରେ ପାଠ କରିବେ l ସେହି ପ୍ରବନ୍ଧ ସବୁକୁ ନେଇ ଏକ ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇବ l

ଏହି ଅବସରରେ ପିଲାଙ୍କ ପରିବେଶ କଂଗ୍ରେସ ମଧ୍ୟ ଅନୁଷ୍ଠିତ ହେବ ଯେଉଁଥିରେ ଗଞ୍ଜାମ ଜିଲ୍ଲାର ସ୍କୁଲ, କଲେଜ ର ଛାତ୍ର ଛାତ୍ରୀ ଭାଗ ନେବେ l ପରିବେଶ ଓ ବେଳାଭୂମି କୁ ନେଇ ସେମାନେ ରଚନା, ତର୍କ, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରେ ଭାବ ନେବେ ଏବଂ କୃତି ଛାତ୍ର ଛାତ୍ରୀ ଙ୍କୁ ପରିବେଶ କଂଗ୍ରେସ ର ଉଦଯାପନୀ ଉତ୍ସବରେ ସମ୍ମାନିତ କରାଯିବ l

ଏହି ଅବସରରେ ରାଧାମୋହନ ଗ୍ରୀନ ଆମ୍ବସେଡର ସମ୍ମାନ, ପଦ୍ମଶ୍ରୀ ଅଜୟ ପରିଡ଼ା ଯୁବ ବିଜ୍ଞାନୀ ସମ୍ମାନ, ଅବସର ବେଉରିଆ ଯୁବ ପରିବେଶବିତ ସମ୍ମାନ, ସୁଧାଂଶୁ ମିଶ୍ର ଗ୍ରୀନ କର୍ପୋରେଟ ସମ୍ମାନ ଇତ୍ୟାଦି ପୁରସ୍କାର ପ୍ରଦାନ କରାଯିବ l ଗଞ୍ଜାମ ଜିଲ୍ଲାରେ ପରିବେଶ କୁ ନେଇ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷ ସେମାନଙ୍କ କୃତି କୁ ନେଇ ପ୍ରଦର୍ଶନୀ ସହିତ ଚିତ୍ର କଳା କର୍ମଶାଳା ଇତ୍ୟାଦି ମଧ୍ୟ ଅନୁଷ୍ଠିତ ହେବ l

ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ ପୁରୁଷୋତ୍ତମ ସାହୁ , ଲତିକା ପଟେଲ, ଡ ସୁଚିଶ୍ମିତା ଶ୍ରୀଚନ୍ଦନ, ଡ ଶକ୍ତିଧର ନାଥ, ଡ ଶେଷ ଦେବ ପାତ୍ର, ଶିବରାମ ପାଣିଗ୍ରାହୀ, ବନମାଳୀ ପ୍ରଧାନ, ଇ ଟି ରାଓ, ବିଘ୍ନେଶ୍ୱର ସାହୁ, ଲୋକନାଥ ପରିଡ଼ା, ଅଞ୍ଜନ ପୃଷ୍ଟି, ରବୀନ୍ଦ୍ର ନାଥ ସାହୁ, ଡ ବନ୍ଦିତା ପଣ୍ଡା , ପ୍ରଫେସର ମୃତ୍ୟୁଞ୍ଜୟ ସ୍ୱାଇଁ, ନୀରଦ ବରଣ ଖୁଣ୍ଟିଆ, ସଞ୍ଜୟ କୁମାର ନାୟକ, ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l

ଶେଷରେ ବିଶିଷ୍ଟ ପରିବେଶବିତ ଡ ସୁଧୀର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l