August 15, 2026

ସରିଲାନି ଘାଇ ମରାମତି, ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ ଲୋକ

IMG-20260814-WA0001
Share

 

 

 

 

ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ ରୋଡ୍‌ର ଘାଇ ଦେଇ ବନ୍ୟାଜଳ ସିଧାସଳଖ ଆନନ୍ଦପୁର ସହର ଭିତରକୁ ପଶିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଦେଖାଦେଇଛି। ଲଗାଣ ବର୍ଷା ଏବଂ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା କାରଣରୁ ପୂର୍ବରୁ ବନ୍ୟାର ଦୁର୍ଦ୍ଦଶା ଭୋଗିଥିବା ଜନସାଧାରଣ ପୁଣିଥରେ ବନ୍ୟାଜଳ ଘେରରେ ପଡ଼ିବା ଆଶଙ୍କାରେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ବନ୍ୟା ସମୟରେ ରିଙ୍ଗ ରୋଡ୍‌ର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଘାଇ ସୃଷ୍ଟି ହୋଇ ରାସ୍ତାର ଅନେକ ଅଂଶ ଧୋଇଯାଇଥିଲା। ଏହି ସମସ୍ୟା ଯୋଗୁ ସମଗ୍ର ଆନନ୍ଦପୁର ସହରର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ଘାଇ ମରାମତି କରାଯାଇ ଲୋକଙ୍କୁ ସୁରକ୍ଷା ଓ ଆଶ୍ୱସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ, ପନ୍ଦର ଦିନରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ କାମ କାହିଁକି ସମ୍ପୂର୍ଣ୍ଣ ହେଲାନାହିଁ, ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

 

ଏବେ ପୁଣିଥରେ ସେହି ଘାଇ ଦେଇ ବନ୍ୟାଜଳ ସହର ମୁହାଁ ହେବା ଘଟଣା ସାଧାରଣ ଲୋକଙ୍କ ଚିନ୍ତାକୁ ବହୁଗୁଣିତ କରିଦେଇଛି। ବିଶେଷକରି ଘାଇ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରୀବ ପରିବାରଗୁଡ଼ିକ ନିଜର ଘରଦ୍ୱାର, ଗୃହପାଳିତ ପଶୁ ଏବଂ ଜୀବନଜୀବିକାର ସାମଗ୍ରୀକୁ ନେଇ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ପୂର୍ବ ବନ୍ୟାରେ ବହୁ ପରିବାର ସର୍ବସ୍ୱାନ୍ତ ହୋଇ କ୍ଷତିଗ୍ରସ୍ତ ହୋଇଥିବାବେଳେ ବର୍ତ୍ତମାନ ପୁନର୍ବାର ସହର ଭିତରକୁ ପାଣି ପଶିବା ଦେଖି ଲୋକଙ୍କ ମନରେ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତି ପ୍ରବଳ କ୍ଷୋଭ ଓ ଆତଙ୍କ ସୃଷ୍ଟି ହୋଇଛି।