July 15, 2026

ମାଲକାନଗିରିରେ ସ୍ୱତନ୍ତ୍ର କିଶୋର ପୁଲିସ ୟୁନିଟ୍‌ର ଜିଲ୍ଲା ସ୍ତରୀୟ ସମନ୍ୱୟ କର୍ମଶାଳା ଅନୁଷ୍ଠିତ

IMG-20260714-WA0094
Share

*ମାଲକାନଗିରି, ୧୪ ଜୁଲାଇ ୨୦୨୬:*

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ସମସ୍ତ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନଗୁଡ଼ିକର କଠୋର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଜିଲ୍ଲା ପୋଲିସ ଅନ୍ୟାନ୍ୟ ସହବନ୍ଧିତ ବିଭାଗ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ସମସ୍ତ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଜିଲ୍ଲା ସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଣି ଡ଼ା ମିନତୀ ମହାନ୍ତି ଏବଂ ଆଇନ ସହାୟକ ପରିଚାଳକ ସୂର୍ଯ୍ୟ ନାରାୟଣ ମହାପାତ୍ର ଅତିଥି ଭାବେ ଯୋଗଦେଇ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପ୍ରଯୁକ୍ତି (ଲିଙ୍ଗ ଚୟନ ନିଷେଧ ଅଧିନିୟମ ୧୯୯୪) ଏବଂ ଗର୍ଭବସ୍ଥାର ଚିକିତ୍ସାଗତ ସମାପନ ଅଧିନିୟମ (ସଂଶୋଧନ) ୨୦୧୧ ଆଧାରରେ ପୋଲିସ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକର ଆଇନଗତ ଦାୟିତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜିଲ୍ଲାରେ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସେମାନେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଆରକ୍ଷୀ ଅଧିକ୍ଷକଙ୍କ ପରାମର୍ଶ କ୍ରମେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ସରକାରଙ୍କ ଦ୍ୱାରା ପ୍ରଣୀତ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନ ଯଥା କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ ୨୦୧୫, ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ ଅଧିନିୟମ ୨୦୧୨, ବାଲ୍ୟ ବିବାହ ନିଷେଧ ଅଧିନିୟମ ୨୦୦୬, ଅନୈତିକ ବ୍ୟବସାୟ (ନିବାରଣ) ଅଧିନିୟମ ୧୯୫୬ ଏବଂ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଅଧିନିୟମ ୧୯୮୬ ଉପରେ ଆଲୋଚନା କରିଥିଲେ। ଏହି ସମସ୍ତ ଅଧିନିୟମଗୁଡ଼ିକର ସଠିକ୍ ଏବଂ ଦୃଢ଼ କାର୍ଯ୍ୟକାରିତା ଦ୍ୱାରା ହିଁ ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ, ଶିଶୁ ଶ୍ରମିକ ମୁକ୍ତ ଏବଂ ଏକ ଆଦର୍ଶ ଶିଶୁ ସୁଲଭ ଜିଲ୍ଲା ଭାବେ ଗଢ଼ିତୋଳା ଯାଇପାରିବ ବୋଲି ସେ ମତାମତ ପ୍ରଦାନ କରିଥିଲେ।

ଏହି ସମନ୍ୱୟ ସମାବେଶରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଗୋପାଳ କୃଷ୍ଣ ରଥଙ୍କ ସମେତ ସମିତିର ସମସ୍ତ ସଦସ୍ୟ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଟି. ଜୟାଲକ୍ଷ୍ମୀ ଓ ମିନାକ୍ଷୀ ପ୍ରଧାନ, ଅତିରିକ୍ତ ଶ୍ରମ ଅଧିକାରୀ, ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ, ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀ ଏବଂ ସମସ୍ତ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଏଥିସହିତ ଶିଶୁ ସହାୟକ ହେଲ୍ପଲାଇନ, ମହିଳା ସହାୟତା ହେଲ୍ପଲାଇନ, ‘ସଖି’ ଏବଂ ‘ଶକ୍ତି ସଦନ’ର କର୍ମକର୍ତ୍ତା ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସୁଦେସ୍ନା ରାଉତ, ରୀନା ମାଢି, ସୌମ୍ୟରଂଜନ ସ୍ୱାଇଁ, ଶିବ ପ୍ରସାଦ ନାୟକ ଓ ଚକ୍ରପାଣି ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ, ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ମିନାକ୍ଷୀ ପ୍ରଧାନ ବିଭାଗୀୟ ଅଧିକାରୀମାନଙ୍କର ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ଜନିତ ମାନସିକ ଚାପକୁ ହ୍ରାସ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଓ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ। ଏହାପରେ କାର୍ଯ୍ୟକ୍ରମର ସଫଳ ସମାପନ ଘୋଷଣା କରାଯାଇଥିଲା।

You may have missed