April 28, 2026

ଶୋଚନୀୟ ହୋଇପଡ଼ିଛି ସୂଲଣ-ଆବୁଲପୁରା ରାସ୍ତା ହିନସ୍ତା ହେଉଛନ୍ତି ଗ୍ରାମବାସୀ ଏଗ୍ରିମେଣ୍ଟ ପରେ ବି ଆରମ୍ଭ ହେଉନି କାର୍ଯ୍ୟ, ଲୋକେ ଅସନ୍ତୋଷ  

IMG-20250714-WA0064
Share

 

 

ହାଟଡ଼ିହି ତା ୧୪/୦୭(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୁଲଣ ପଞ୍ଚାୟତର ସୁଲଣ ହାଇସ୍କୁଲ ଠାରୁ ଜଳସରପୁର ଦେଇ ଆବୁଲପୁରା ଗ୍ରାମକୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତାଟି ଏବେ ଶୋଚନୀୟ ହୋଇପଡ଼ିଛି l ରାସ୍ତାରେ ସାଇକେଲ ଠାରୁ ଆରମ୍ଭ କରି ୪ଚକିଆ ଗାଡ଼ି ନେଇ ଯା’ଆସ କରିବା ନିହାତି ଭାବେ କଷ୍ଟଦାୟକ l ଏହି ପଞ୍ଚାୟତ ଅନ୍ତର୍ଗତ ୪ଟି ଗ୍ରାମ ମଧ୍ୟରୁ ବିଶେଷ କରି ଜଳସରପୁର ଓ ଆବୁଲପୁରା ଗ୍ରାମବାସୀ ଏହି ରାସ୍ତାକୁ ନେଇ ନାହିଁ ନଥିବା ହଇରାଣ ହେଉଥିବା ପରିଲକ୍ଷିତ ହୋଇଛି l ଆବୁଲପୁରା ମଙ୍ଗଳା-କୁଣ୍ଡୁଳାଇଙ୍କ ମନ୍ଦିର ଠାରୁ ସୁଲଣ ହାଇସ୍କୁଲ ଯାଏଁ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ପୁରିଯାଇଛି l ବର୍ଷା ମାତ୍ରକେ ଖାଲଖମାରେ ପାଣି ଜମିରହି ପଥଚାରୀଙ୍କୁ ଭ୍ରମିତ କରୁଛି l ଏପରି କଦର୍ଯ୍ୟ ରାସ୍ତା ଯୋଗୁଁ ସ୍କୁଲ କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଅର୍ଦ୍ଧାଧିକ ସମୟ ସ୍କୁଲ କଲେଜ ଯାଇ ନପାରି ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି l ଗର୍ଭବତୀ ଏବଂ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଟିଏ ଗାଁକୁ ଆସିପାରୁ ନଥିବା ବେଳେ ଜରୁରୀକାଳୀନ ସମୟରେ ଦମକଳ ଗାଡ଼ି ମଧ୍ୟ ଉକ୍ତ ରାସ୍ତାରେ ଯାଇ ନପାରି ହାଇସ୍କୁଲ ନିକଟରେ ଅଟକି ରହିଯାଉଛି l ପ୍ରକାଶ ଥାଉକି, ଗତ ୨୦୧୯ ଅଗଷ୍ଟ ୨୮ ତାରିଖ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଛେନାପଦି ଛକରୁ ଆବୁଲପୁରା ଯାଏଁ ଲମ୍ବିଥିବା ଏହି ରାସ୍ତାର ଶିଳାନ୍ୟାସ କରାଯାଇ ନବୀକରଣ କାର୍ଯ୍ୟ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏହି ରାସ୍ତାଦେଇ ଦୈନନ୍ଦିନ ଶହ ଶହ ବେଆଇନ୍ ବାଲିବୋଝେଇ ଟ୍ରାକ୍ଟର ଯିବା ଦ୍ୱାରା ତାହା ଖୁବ୍ ଅଳ୍ପଦିନରେ ଭାଙ୍ଗି ନଷ୍ଟ ହୋଇଗଲା l ବର୍ତମାନ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାରୁ ବର୍ଷା ହେଲେ ଗ୍ରାମବାସୀ ଘରୁ ବାହାରି ପାରୁନାହାଁନ୍ତି l ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ କ୍ରମେ ପୁନର୍ବାର ଏହି ରାସ୍ତାର ନବୀକରଣ ପାଇଁ ସରକାରୀ ସ୍ୱୀକୃତି ମିଳିସାରିଛି l ଏଗ୍ରିମେଣ୍ଟ ଅନୁସାରେ ଚଳିତବର୍ଷ ମାର୍ଚ୍ଚ ମାସ ୨୭ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଏଯାବତ୍ ରାସ୍ତା ନିର୍ମାଣ ଦିଗରେ ସମ୍ପୃକ୍ତ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ ଆଦୌ ଦୃଷ୍ଟି ନଦେବା ଦୁର୍ଭାଗ୍ୟ ବୋଲି କୁହାଯାଇଛି l ବର୍ଷା ଯୋଗୁଁ କାଦୁଅ ଭର୍ତ୍ତି ଉକ୍ତ ରାସ୍ତାରେ ଯିବା ଆଦୌ ସମ୍ଭବ ହେଉ ନଥିବାରୁ କାର୍ଯ୍ୟ ଆରମ୍ଭ ହେବା ଯାଏଁ ବଡ଼ ବଡ଼ ଖାଲଖମା ଗୁଡ଼ିକ କ୍ରସର ଗୁଣ୍ଡ ଦ୍ୱାରା ପୋତା ଗଲେ ଗ୍ରାମବାସୀଙ୍କ ଚଳପ୍ରଚଳରେ ସୁବିଧା ହୁଅନ୍ତା ବୋଲି କୁହାଯାଇଛି l ତେବେ ଏଭଳି ସମସ୍ୟା ଦିଗରେ ଆନନ୍ଦପୁର ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ହୋଇ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।