April 16, 2025

ବେଲଗୁଣ୍ଠାରେ ବି.ଆର୍ ଆମ୍ବେଦକରଙ୍କ ୧୩୫ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ 

Share

 

ବେଲଗୁଣ୍ଠା, ୧୪/୦୪,ଆଜି ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟ ଠାରେ ଭାରତର ସମ୍ବିଧାନ ପ୍ରଣେତା,ସମାଜ ସଂସ୍କାରକ ବିଶ୍ଵ ରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଆଜି ସକାଳ ଆଠ ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଠାରୁ ଏକ ବିରାଟ ମୋଟରସାଇକେଲ୍ ରାଲି ବାହାରି ଗୋବରା,କଣ୍ଟେଇପଲ୍ଲୀ, ଜିଲୁଣ୍ଡି ,ଭଞ୍ଜନଗର,ତନରଡା ଦେଇ ବେଲଗୁଣ୍ଠାରେ ପହଞ୍ଚି ଥିଲା I ବେଲଗୁଣ୍ଠା ବୌଦ୍ଧ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଅପରାହ୍ଣ ଦୁଇ ଘଣ୍ଟ ସମୟରେ ବୈଠକ ଆରମ୍ଭ ହୋଇଥିଲା I

ଏଥିରେ ଆମ୍ବେଦକର ବିଚାର ମଞ୍ଚର ରାଜ୍ୟ ସଭାପତି ପଞ୍ଚାନନ ନାୟକ ଯୋଗ ଦେଇ ନୈତିକ ଶିକ୍ଷା ହିଁ ଶ୍ରେଣୀ ବିହୀନ ସମାଜ ଗଠନ କରିପାରିବ ବୋଲି ପ୍ରକାଶ କରିବା ସହ ଦଳିତ ସମାଜ ନିଜର ସାମ୍ବିଧାନିକ ଅଧିକାର ହାସଲ କରିବା ପାଇଁ ଅଧିକ ଯୋଗ୍ୟ ଏବଂ ଶିକ୍ଷିତ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ I ଏଥିରେ ମୁଖ୍ୟ ବକ୍ତା ରୂପେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଓମ୍ ପ୍ରକାଶ ସାହୁ ଯୋଗ ଦେଇ ମନୁଷ୍ୟର ଦୃଢ ସଂକଳ୍ପ ନିକଟରେ ଏଭେରେଷ୍ଟ୍ ଗିରି ଶୃଙ୍ଗର ଉଚ୍ଚତା ହାର ମାନିବାକୁ ବାଧ୍ୟ ବୋଲି ପ୍ରକାଶ କରିବା ସହିତ ଆମ୍ବେଦକରଙ୍କ ଜୀବନ ଦର୍ଶନ ସମୀକ୍ଷା ଏହାର ଏକ ସ୍ପଷ୍ଟ ପ୍ରମାଣ ବୋଲି ପ୍ରକାଶ କରିବା ସହ ଆମ୍ବେଦକର କିପରି ଦଳିତ ସମାଜରୁ ଆସି ଭାରତର ସମ୍ବିଧାନ ପ୍ରଣେତା ଭାବରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ ଏନେଇ ଆଲୋଚନା କରିଥିଲେ I ଭାରତ ସମ୍ବିଧାନର ମୁଖ୍ୟ ରୂପକାର ଭାବେ ଆମ୍ବେଦକର ଆଜି ବି ସ୍ମରଣୀୟ, ଆମ୍ବେଦକର ଜଣେ ଉତ୍ତମ ସମାଜ ବିଜ୍ଞାନୀ, ଶିକ୍ଷାବିତ୍, ଆଇନଜୀବୀ, ସମାଜସଂସ୍କାରକ, ସୁଲେଖକ, ମାନବିକ ଅଧିକାରର ପ୍ରବକ୍ତା ଥିଲେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଓକିଲ ସଂଘର ପୂର୍ବତନ ସଭାପତି ବୈଦ୍ୟନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ଆଇନଜୀବୀ ଅଭିମନ୍ୟୁ ଗୌଡ଼, ସମ୍ମାନିତ ଅତିଥି ଭାବେ ରାଧାକୃଷ୍ଣ ପାଠାଗାରର ଉପସଭାପତି ପଦ୍ମଲୋଚନ ପ୍ରଧାନ, ବେଲଗୁଣ୍ଠା ପ୍ରେସକ୍ଲବ କ୍ଲବ୍ ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘ ଗଂଜାମ ଜିଲ୍ଳା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଆଇନଜୀବୀ ସୁମା ଦାସ୍, ଆମ୍ବେଦକର ବିଚାର ମଞ୍ଚ ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର କୁମାର ନାୟକ, ପାଇଲିପଡା ସଭାପତି ପବିତ୍ର ନାୟକ, ଘୁମୁସର ଜିଲ୍ଲା ମୁଖ୍ୟ ପରାମର୍ଶ ଦାତା ନିରଞ୍ଜନ ନାୟକ, ଆଞ୍ଚଳିକ ସାମାଜିକ ବିକାଶ ମଞ୍ଚ ,ଗଂଜାମ ଜିଲ୍ଲା ସଭାପତି ନୀଳାଦ୍ରି ପ୍ରଧାନ ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ଜୀବନ ସଂଘର୍ଷର କାହାଣୀ ଉପରେ ଆଲୋଚନା କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଶିକ୍ଷାବିତ ଦାମୋଦର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସୁଧୀର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ଦଳିତ ନେତା, ସାମ୍ବାଦିକ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା I ଏଥିରେ ଅନ୍ୟମାନଙ୍କ ମଧ୍ଯରେ କୃଷକ ନେତା ସୁଶାନ୍ତ ପରିଡା, ରାମଚନ୍ଦ୍ର ଗୌଡ଼, ଇନ୍ଦ୍ରଜିତ୍ ପରିଡା, ପାନୂଜ ସ୍ୱାଇଁ, ଯୋଗେନ୍ଦ୍ର ସେଠୀ, ରବୀନ୍ଦ୍ର ସେଠୀ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଗଂଜାମ ଜିଲ୍ଲା ତଥା ଜିଲ୍ଳା ବାହାର ଜିଲ୍ଲାରୁ ବହୁ ଦଳିତ ନେତା ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ