ଅବ୍ଯବସ୍ଥା ଭିତରେ ଅଙ୍ଗନବାଡି କେନ୍ଦ୍ର,ପିଲା ଗୁରୁତର ….
ଘଟଣା ଘଟିଛି କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବ୍ଲକ ଅଧିନରେ ବୈଦେଶ୍ବର ପଞ୍ଚାୟତର ମାଳିସାହି ନଂ-୦୨ ଅଙ୍ଗନବାଡି କେନ୍ଦ୍ରରେ । ଅଙ୍ଗନବାଡି କର୍ମୀ ରୂପେ ରଶ୍ମି ବେହେରା ଓ ସହାୟିକା ଭାବେ ସ୍ବର୍ଣ୍ଣ ମଞ୍ଜରୀ ସିଂହସାମନ୍ତ କେନ୍ଦ୍ର ପରିଚାଳନା ପାଇଁ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଯାଇଛି ।କର୍ମୀଙ୍କର ଦାୟିତ୍ୱ ପିଲାଙ୍କ ଯତ୍ନ ସହିତ ପାଠ ପଢାଇବା । ସହାୟିକା ପିଲାମାନଙ୍କୁ ଘରୁ ଆଣି କେନ୍ଦ୍ରରେ ଛାଡିବା ଓ ପିଲାମାନଙ୍କୁ ରୋଷେଇ କରି ଖାଇବାକୁ ଦେବା କଥା । ହେଲେ ଏଠି ସରକାରଙ୍କ ନିତିନୀୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଇଛି । କେନ୍ଦ୍ରକୁ କର୍ମୀ ରଶ୍ମି ବେହେରା ଆଦୌ ଆସୁନଥିବାରୁ କେନ୍ଦ୍ରରେ ବାରମ୍ବାର ବିଭିନ୍ନ ଦୁର୍ଘଟଣା ଘଟୁଛି । ସହାୟିକା ଏକା ସମସ୍ତ ପ୍ରକାର କାମ କରୁଥିବାରୁ ଏପରି ବାରମ୍ବାର ଦୁର୍ଘଟଣା ଘଟିବା କଥା ଗ୍ରାମବାସୀ ମାନେ ଖୋଲା ଖୋଲି ଅଭିଯୋଗ କରିଛନ୍ତି । ସହାୟିକା ଘରକୁ ଘର ବୁଲି ପିଲାମାନଙ୍କୁ ଆଣିବା, ନିଜେ ରୋଷେଇ କରିବା, ପିଲାମାନଙ୍କୁ ପାଠ ପଢାଇବା ଓ ଖାଇବାକୁ ଦେବା ସହଜ କାମ ନୁହେଁ । କେନ୍ଦ୍ରକୁ କର୍ମୀ ରଶ୍ମି ବେହେରା ଆସୁ ନଥିବାରୁ ରୋଷେଇ ସମୟରେ ପିଲାମାନେ ନିଜ ଭିତରେ ବାଡାବାଡି ଓ କାମୁଡାକାମୁଡି ହେଉଛନ୍ତି । ଗତ ପାଞ୍ଚ ଦିନ ତଳେ ପିଲାମାନେ କାମୁଡାକାମୁଡି ହୋଇ ଗୋଟିଏ ପିଲା ଗୁରୁତର ଆହତ ହୋଇଛି । ପିଲାର ପିଠିରେ ଗଭୀର କ୍ଷତ ହୋଇ ରକ୍ତ ବାହାରୁଥିଲେ ମଧ୍ୟ ,ତାକୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇନାହିଁ । ଅଙ୍ଗନବାଡି କର୍ମୀ ରଶ୍ମିତା ବେହେରା ନିଜ ଘରେ ଥିବାରୁ , ସହାୟିକା କଲରା ପତର ରସ କ୍ଷତ ସ୍ଥାନରେ ଲଗେଇ ଘରକୁ ଛାଡିଥିଲେ ।ଅଙ୍ଗନବାଡି କର୍ମୀ ରଶ୍ମିତା ବେହେରା କେନ୍ଦ୍ର ପରିଚାଳନା ସମୟରେ ନିଜ ଘରେ ରହି ନିଜ ଝିଅ, ମାଆ ଓ ଘରର କାମ କରୁଥିବାରୁ ଏପରି ଅଘଟଣ ଘଟୁଛି ବୋଲି ଗ୍ରାମର ସମସ୍ତ ମହିଳା ଖୁଲମଖୁଲା ଅଭିଯୋଗ କରିଛନ୍ତି । ଏ ସମ୍ବନ୍ଧରେ ଗ୍ରାମର ମହିଳା ମାନେ କର୍ମୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ, ମୁଁ କ’ଣ କରିବି ବୋଲି ଖାମଖିଆଲ ଭାବେ କହିଥିଲେ । ଖାଲି ସେତିକି ନୁହେଁ କେନ୍ଦ୍ରକୁ ଆସୁଥିବା ଅଣ୍ଡା, ଛତୁଆ, କିଶୋରୀ ବାଳିକା ମାନଙ୍କ ପାଇଁ ଆସୁଥିବା ପୃଷ୍ଟିକର ଖାଦ୍ୟକୁ ସଠିକ ଭାବେ ବଣ୍ଟନ କରାଯାଉନାହିଁ ।ତାହାକୁ ବାଟମାରଣା କରାଯାଉଛି । ସୁପରଭାଇଜର ଓ ବାଙ୍କୀ ସି.ଡି. ପି.ଓ ଙ୍କୁ ଆମ ପ୍ରତିନିଧି ଫୋନ ମାଧ୍ୟମରେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ, ସେମାନେ ଜାଣିଶୁଣି ଫୋନ ଉଠେଇ ନଥିଲେ । ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଉପରିସ୍ଥ ଅଧିକାରୀଙ୍କୁ ମାସିକ ଚାନ୍ଦା ଦେଉଥିବାରୁ ତାର କାହା କଥାକୁ ଖାତିରି ନାହିଁ । କେନ୍ଦ୍ରରେ ପିଲାମାନଙ୍କ ଜୀବନ ସୁରକ୍ଷିତ ନଥିବାରୁ ଗତ ଦୁଇ ଦିନ ଧରି ଗ୍ରାମବାସୀ ମାନେ ଉକ୍ତ କେନ୍ଦ୍ରକୁ ପିଲାମାନଙ୍କୁ ଛାଡି ନାହାନ୍ତି । କେବଳ ସହାୟିକା କେନ୍ଦ୍ରରେ ବସିବସି ଘରକୁ ଫେରିଥିବା କଥା ମହିଳା ମାନେ କହିଛନ୍ତି । ବ୍ଲକର ପ୍ରାୟ ଅଙ୍ଗନବାଡି କେନ୍ଦ୍ରରେ ଏହିପରି ଅବ୍ଯବସ୍ଥା ମଧ୍ୟରେ ଚାଲୁଥିବାର ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ସଂପୃକ୍ତ ସି.ଡି.ପି.ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ସୁରକ୍ଷା ପ୍ରଦାନ କରୁଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ । ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟରେ ଅବହେଳା କରୁଥିବା ଅଙ୍ଗନବାଡି କର୍ମୀଙ୍କ ପ୍ରତି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହେଲେ ଆଗାମୀ ଦିନରେ ଗ୍ରାମର ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।