ଗରଦପୁରରେ ଯୁବ ଶକ୍ତିର ମହାସମାଗମ
(ଗରଦପୁର ଯୁବ ମହୋତ୍ସବରେ ଏକ ଲକ୍ଷ ଲୋକଙ୍କ ସମାଗମ, ପାଞ୍ଚ ଦିନରେ ୧୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ)
ଗରଦପୁରରେ ଆୟୋଜିତ ଗରଦପୁର ଯୁବ ମହୋତ୍ସବ ଏବର୍ଷ ଅଭୂତପୂର୍ବ ସଫଳତା ଅର୍ଜନ କରିଛି l ଗରଦପୁର ଅଞ୍ଚଳରେ ଆୟୋଜିତ ଏହି ପାଞ୍ଚଦିନିଆ ମହୋତ୍ସବରେ ପ୍ରାୟ ଏକ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ, ବିଭିନ୍ନ ବାଣିଜ୍ୟିକ କାରବାର ମାଧ୍ୟମରେ ୧୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଏହି ମହୋତ୍ସବ ଯୁବସମାଜକୁ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ମାର୍ଗରେ ଉତ୍ସାହିତ କରିବାରେ ସଫଳ ହୋଇଛି l
ମହୋତ୍ସବର ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ(ବିଜେପି)ସାରଦା ପ୍ରସାଦ ଶତପଥି ଉପସ୍ଥିତ ରହିଥିଲେ l ସମ୍ମାନୀତ ଅତିଥି ଭାବେ ଓଲିଉଡ଼ ପ୍ରଯୋଜକ ଦିଲ୍ଲୀପ କୁମାର ସାହୁ ଯୋଗଦେଇଥିଲେ। ମହୋତ୍ସବର ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି ମୁଖପାତ୍ର ତେଜେଶ୍ୱର ପରିଡା କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ସେଥିପାଇଁ ବିଜେପିର ନେତାମାନେ ପ୍ରସନ୍ନ ପଣ୍ଡା, ବିଜୟ କୁମାର ନାୟକ, ଚିତ୍ତରଞ୍ଜନ ଚୌଧୁରୀ ଓ ଅଞ୍ଜନ କୁମାର ଦେବତା ପ୍ରମୁଖ ଉପସ୍ଥିତ ରହି ଯୁବକମାନଙ୍କୁ ଉତ୍ସାହିତ କରିଥିଲେ।
ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଖ୍ୟାତ ଗାୟିକା ଇରା ମହାନ୍ତି ତାଙ୍କ ସୁମଧୁର ଗୀତ ଓ ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ। ତାଙ୍କର ସୁରରେ ସମଗ୍ର ମହୋତ୍ସବ ପ୍ରାଙ୍ଗଣ ଉତ୍ସବମୁଖର ହୋଇଯାଇଥିଲା।
ଏହା ସହିତ ଯୁବମାନଙ୍କ ଭବିଷ୍ୟତ ଗଢ଼ିବା ଉଦ୍ଦେଶ୍ୟରେ ଏକ ବିଶେଷ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ବ୍ଲକ କୃଷି ଅଧିକାରୀ ଡ. ଗୌତମ ଦାସ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ତାପସ ରଞ୍ଜନ ସାହୁ, ଆଇନଜୀବୀ ଓ ସୂଚନା ଅଧିକାର କର୍ମୀ ମନୋରଞ୍ଜନ ଜେନା ଏବଂ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନର ପ୍ରୋଗ୍ରାମ କୋର୍ଡିନେଟର ପ୍ରଭାତ କୁମାର ମହାନ୍ତି ଯୋଗଦେଇ ଯୁବମାନଙ୍କୁ କୃଷିକୁ ଲାଭଜନକ ବୃତ୍ତି ଭାବେ ଗ୍ରହଣ କରିବା, ସରକାରୀ ଯୋଜନାର ଲାଭ ଉଠାଇବା ଏବଂ ଆତ୍ମନିଯୁକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହେବା ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ସେଥିପାଇଁ ସୂଚନା ଅଧିକାର ଆଇନର ସଦ୍ଯୁପଯୋଗ କରି ଲୋକମାନେ କିପରି ନିଜ ଅଧିକାର ସୁରକ୍ଷିତ କରିପାରିବେ, ସେନେଇ ସଚେତନତା ସୃଷ୍ଟି କରାଯାଇଥିଲା।
ଅଧ୍ୟକ୍ଷ ତେଜେଶ୍ୱର ପରିଡା ତାଙ୍କ ମତାମତରେ କହିଥିଲେ ଯେ, ଯୁବକମାନେ ଦେଶ ଓ ସମାଜର ମୂଳ ଶକ୍ତି। ସଠିକ ଦିଗନିର୍ଦ୍ଦେଶ ଓ ପ୍ରଶିକ୍ଷଣ ମିଳିଲେ ସେମାନେ ନିଜ ଜୀବନକୁ ସଫଳ କରିବା ସହ ଅଞ୍ଚଳର ଉନ୍ନତିରେ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ଏପରି ମହୋତ୍ସବ ଯୁବକମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ସାମାଜିକ ଏକତାକୁ ମଜବୁତ କରୁଥିବା ସେ ମତ ପ୍ରକାଶ କରିଥିଲେ।
ସମଗ୍ର ଭାବେ ଗରଦପୁର ଯୁବ ମହୋତ୍ସବ ସାଂସ୍କୃତିକ ରଙ୍ଗ, ଆର୍ଥିକ କ୍ରିୟାକଳାପ ଓ ଯୁବ ସଚେତନତାର ଏକ ସଫଳ ମଞ୍ଚ ଭାବେ ପ୍ରମାଣିତ ହୋଇଛି, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,

