ଜୀବନ ବିକଳରେ ପେଟ୍ରୋଲ ପମ୍ପକୁ ଧାଇଁ ଆସିଲା କୁଟୁରା ବନ ବିଭାଗକୁ ହସ୍ତାନ୍ତର କଲେ ମାଲିକ

ସମ୍ବଲପୁର, ୧୪. ୦୨(ରାଜାରାମ ଷଡ଼ଙ୍ଗୀ):କୁକୁର ଦାଉରୁ ରକ୍ଷା ପାଇ ଗୋଟିଏ ଜଙ୍ଗଲୀ କୁଟୁରା ପୁଣି ବନ ବିଭାଗ ସହାୟତାରେ ପୁଣି ଜଙ୍ଗଳକୁ ଫେରିଥିବା ଭଳି ମାନବୀୟ ଦାୟିତ୍ୱ ଗତକାଲି ଦେଖିବାକୁ ମିଳିଥିଲା ଯୁଯୁମୁରାଅଞ୍ଚଳରେ।
ଖବର ନେବାରୁ ଜଣା ପଡିଥିଲାଯେ, କୁକୁର ହାବୁଡ଼ରେ ପଡିଥିଲା ଏକ ଜଙ୍ଗଲୀ କୁଟୁରା। ଦଳେ କୁକୁର ତାକୁ ଗୋଡେଇ ଗୋଡେଇ ଲହୁ ଲୁହାଣ କରିଦେଇଥିଲେ। ହେଲେବି କୁକୁର ମାନଙ୍କୁ ଟକ୍କର ଦେଇ କୁଟୁରାଟି ଜୀବନ ବିକଳରେ ଜାତୀୟ ରାଜପଥ ଉପରେ ଥିବା ଲଷ୍ମୀ ପେଟ୍ରୋଲ ପମ୍ପକୁ ଅପରାହ୍ନ ୩ ଟା ବେଳେ ପଶି ଆସି ଲୁଚିବାକୁ ଚେଷ୍ଟା କରିଥିଲା। ଏହାକୁ ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ କୁକୁର ମାନଙ୍କୁ ଘଉଡ଼ାଇ କୁଟୁରାକୁ ସୁରକ୍ଷିତ ରଖି ପେଟ୍ରୋଲ ପମ୍ପ ମାଲିକଙ୍କୁ ଖବର ଦେଇଥିଲେ।ପମ୍ପ ମାଲିକ ଲଷ୍ମୀଧର ଦେହୁରୀ ପହଞ୍ଚି ଘଟଣା ସମ୍ପର୍କରେ ଯୁଯୁମୁରା ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ତତକ୍ଷଣିତ ଘଟଣା ସ୍ଥଳରେ ପହଞ୍ଚି କୁଟୁରାକୁ ଉଦ୍ଧାର କରିବା ସହିତ ପାଟି ଓ ଦେହରେ ରକ୍ତାତ କ୍ଷତ ଚିହ୍ନ ଦେଖି ସ୍ଥାନୀୟ ପ୍ରାଣୀ ଚିକିତ୍ସାଲୟକୁ ନେଇ ତାର ଚିକିତ୍ସା କରାଇଥିଲେ। ପରେ କୁଟୁରା ସୁସ୍ଥ ଅନୁଭବ କରିବା ପରେ ସନ୍ଧ୍ୟାରେ ପୁଣି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିଲେ। ଏହି ମହାନୁଭବ ଓ ମାନବିକତା ସେବା ପାଇଁ ପମ୍ପ ମାଲିକ ଓ ବନ ବିଭାଗକୁ ସମସ୍ତେ ସାବାସୀ ଜଣାଇଛନ୍ତି।
