November 13, 2026

କଲରାପତରିଆ ବାଘ ଛାଲ ଜବତ ଘଟଣାରେ ତିନି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର

IMG-20261113-WA0058
Share

 

ଗତ ଅକ୍ଟୋବର ମାସ ୮ତାରିଖରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଦେବଗିରି ବନାଞ୍ଚଳର ସ୍ୱତନ୍ତ୍ର ଦଳ ଏସିଏଫ ସାଇନଶ୍ରୀ ଦାଶ’ଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି ଦୁଇ ଜଣ ଅଭିଯୁକ୍ତ’ଙ୍କୁ କାବୁ କରି ସେମାନଙ୍କ ଠାରୁ ଗୋଟେ କଲରାପତରିଆ ବାଘ ଛାଲ, ଗୋଟିଏ ବାଇକ, ଦୁଇଟି ମୋବାଇଲ ଫୋନ ଜବତ କରିଥିଲେ ଓ ସେମାନଙ୍କ ବୟାନ ଆଧାରରେ ମୋହନା ରେଞ୍ଜ ଅଧିନସ୍ଥ ତୁଳସୀ ନଗର ଗ୍ରାମ ନିକଟରେ ଅନ୍ୟ ଏକ ବାଘ ଛାଲ କାରବାର ସୂଚନା ପାଇ ବନବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଘଟଣା ସ୍ଥଳକୁ ଯାଇ ଦିନ ୧୧.୩୦ଘଟିକା ସମୟରେ ଘଟଣା-ସ୍ଥଳରୁ ଆଉ ଏକ ଚିତାବାଘ ଛାଲ ଉଦ୍ଧାର କରିବା ସହ ଆଉ ଚାରିଜଣ’ଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ।

ସେହି ଚାରିଜଣ’ଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ତିଆରି ଗ୍ରାମର ଜଗା ମଲ୍ଲିକ (୩୬ବର୍ଷ), ଦାରିଙ୍ଗବାଡିର ବିଜୟା ନନ୍ଦ ନାୟକ (୨୦ବର୍ଷ) ଓ ଦୀପକ କୁମାର ନାୟକ (୨୧ବର୍ଷ) ଜାମିନ ନିମନ୍ତେ ନିମ୍ନ ଅଦାଲତରେ ଆବେଦନ କରିଥିଲେ, କିନ୍ତୁ ମାମଲାର ଗମ୍ଭୀରତାକୁ ନଜରରେ ରଖି ସେମାନଙ୍କ ଜାମିନ ଖାରଜ କରାଯାଇଥିଲା ଓ ସେମାନେ ଏହା ବିରୁଦ୍ଧରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜଙ୍କ ନିକଟରେ ଜାମିନ ପାଇଁ ଆବେଦନ କରିଥିଲେ। ସରକାର’ଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ମାମଲାରେ ବନଖଣ୍ଡ ଦ୍ୱାରା କରାଯାଇଥିବା ଗିରିଫଦାରୀକୁ ଯୁକ୍ତିଯୁକ୍ତ ଦର୍ଶାଇ ସଂରକ୍ଷିତ ଜଙ୍ଗଲରେ କମିଯାଉଥିବା ବନ୍ୟପ୍ରାଣୀଙ୍କ ସ୍ଥିତିକୁ ନେଇ ମାନ୍ୟବର ବିଚାରପତିଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଅନ୍ୟ ଏକ ଚିତାବାଘ ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ କାରାଦଣ୍ଡ ଭୋଗୁଥିବାରୁ ଏହି ମାମଲାକୁ ମଧ୍ୟ ସମାନ ଦୃଷ୍ଟିରେ ଦେଖି ଜାମିନ ନାମଞ୍ଜୁର କରିବା ପାଇଁ ପ୍ରାର୍ଥନା କରିଥିଲେ । ସେହିପରି ମୁଦଲା’ଙ୍କ ପକ୍ଷରୁ ଅଭିଯୁକ୍ତଙ୍କର ସମ୍ପୃକ୍ତି ନଥିବା କଥା କୁହାଯାଇ ଜାମିନ ପ୍ରଦାନ କରିବା ନିମନ୍ତେ ମାନ୍ୟବର ବିଚାରପତିଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ଏହିଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତି ଅଭିଯୁକ୍ତ ମାନଙ୍କର ଆବେଦନକୁ ନାମଞ୍ଜୁର କରିଦେଇଛନ୍ତି ଓ ନିଜର ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ, ଏହି କଲରାପତରିଆ ବାଘ ସଂରକ୍ଷିତ ପ୍ରାଣୀ ଅନୁଚ୍ଛେଦର ସର୍ବ ପ୍ରଥମେ ଆସୁଛି। ଭବିଷ୍ୟତରେ ଯଦିଓ ଏହି ମାମଲା ନିମ୍ନ ଅଦାଲତରେ ପରିଚାଳିତ ହେବ କିନ୍ତୁ ଦିନକୁ ଦିନ ନିଶ୍ଚିହ୍ନ ହେଇଯାଉଥିବା ପ୍ରାଣୀଙ୍କ କଥାକୁ ଚିନ୍ତା କରି ତଥା ଏହି ମାମଲାରେ ବର୍ତ୍ତମାନ ତଦନ୍ତ ଜାରିରହିଥିବାରୁ ଓ ଅନ୍ତରାଜ୍ୟ ରାକେଟ ଜଡ଼ିତ ଥିବା କଥାକୁ ଏଡ଼ାଇ ଦିଆଯାଇନପାରେ, କଥାକୁ ନଜରରେ ରଖି ମାନ୍ୟବର ବିଚାରପତି ସମସ୍ତ ଅଭିଯୁକ୍ତଙ୍କର ଜାମିନ ନାମଞ୍ଜୁର କରିଦେଇଛନ୍ତି। ସୂଚନାଯୋଗ୍ୟ, ନିମ୍ନ ଅଦାଲତରେ ଏପିପି ସୁଶାନ୍ତ କୁମାର ମଲ୍ଲିକ ଏହି ମାମଲା ପରିଚାଳନା କରୁଥିଲେ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

—————————————–