ଚର୍ଚ୍ଚାରେ ପ୍ରଶାସନିକ ଉଦାସୀନତା ଓ ନେତାଙ୍କ ଅପାରଗତା, ଗୋଲିଆଠୁ ତାଳସର ରାସ୍ତାର ଅବସ୍ଥା ଶୋଚନୀୟ , ତେଜୁଛି ଜନ ଅସନ୍ତୋଷ , ପ୍ରତିକାର ଦାବି

ବୁଗୁଡ଼ା : ତା ୧୩/୧୧/୨୫ : ଦେଶ ସ୍ବାଧୀନତାର ଦୀର୍ଘ ୭୮ ବର୍ଷ ବିତିଯାଇଥିଲେ ବି ନିଜ ଗାଁକୁ ଭଲ ରାସ୍ତାଟିଏ ପାଇପାରି ନାହାନ୍ତି ଲୋକେ । ଖରା ଓ ଶୀତ ଦିନରେ ଖାଲ ଢେପରେ ପଡି ଲୋକେ ଗାଁକୁ ଯାଉଥିବା ବେଳେ ବର୍ଷା ଦିନେ ଭୋଗୁଛନ୍ତି ଯମଯନ୍ତ୍ରଣା । ପ୍ରାଶାସନିକ ଉଦାସୀନତା ଓ ନେତାଙ୍କ ଅପାରଗତା ଯୋଗୁଁ ତିନି ଖଣ୍ଡ ଗାଁର ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା। ଏଭଳି ଅତ୍ଯନ୍ତ ଶୋଚନୀୟ ଅବସ୍ଥାରେ ରହିଥିବା ରାସ୍ତାର ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତରେ । ପ୍ରକାଶ ଯେ, ଗୋଲିଆ ଗ୍ରାମ ଉପକଣ୍ଠସ୍ଥ କୋଇଲୁଣ୍ଡି ଛକଠାରୁ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀ ଗାଁ ଦେଇ ତାଳସର ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଦୟନୀୟ ହୋଇପଡିଛି। ଏ ନେଇ ଏହି ତିନିଗୋଟି ଗାଁରେ ଲୋକେ ଅନେକ ଥର ଗୁହାରି କରିଥିଲେ ମଧ୍ୟ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହେଉଛି। ଗତ ୨୦୨୩ ମସିହା ଅଗଷ୍ଟ ମାସ ୨୮ ତାରିଖ ଦିନ ଏହି ରାସ୍ତା ଯୋଗୁଁ ହିନସ୍ଥା ହେଉଥିବା ଗ୍ରାମବାସୀମାନେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରି ରାସ୍ତା ତିଆରି ନକଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ । ତତ୍କାଳୀନ ବିଡିଓ ବାବୁ ରାସ୍ତା ନିର୍ମାଣର ଆଶ୍ବାସନା ଦେଇ ଲୋକଙ୍କୁ ଫେରାଇ ଦେଇଥିଲେ ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ନେତାଗଣଙ୍କ ମିଥ୍ଯା ପ୍ରତିଶ୍ରୁତିରେ ଭଳିଯାଇ ଲୋକେ ଭୋଟ ମଧ୍ୟ ଦେଇଥିଲେ । ଭୋଟ ସରିଯାଇ ସରକାର ବଦଳି ଯାଇଥିଲେ ସୁଦ୍ଧା ସେହି କଦର୍ଯ୍ୟ ରାସ୍ତାର ଅବସ୍ଥା ବଦଳିଲା ନାହିଁ କି ଗାଁ ଲୋକଙ୍କ ଦୁର୍ଦ୍ଦଶା ଦୂର ହେଲାନାହିଁ। ବର୍ଷା ଦିନେ ସେହି ପାଣିଭରା ଖାଲଖମା ରାସ୍ତାରେ ଯାନବାହାନ ଚଳାଚଳ କଷ୍ଟକର ହେଉଥିବା ବେଳେ ଗୋଲିଆ ଗ୍ରାମସ୍ଥ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରଛାତ୍ରୀ ଏବଂ ଭତ୍ତା ଓ ରାସନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଅନ୍ଯପକ୍ଷରେ ବିପଦ ସମୟରେ ଆମ୍ବୁଲାନ୍ସ ମରେଇପଲ୍ଲୀ ଗାଁ ପାଖକୁ ଯାଇପାରୁଥିବା ବେଳେ ଅନ୍ୟ ଦୁଇ ଗାଁକୁ ଯାଇ ନପାରି ବାଟରେ ଅଟକି ଯାଉଥିବାରୁ ଲୋକେ ରୋଗୀକୁ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ପଡୁଛି। ତେଣୁ, ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ଦୃଢ ଦାବି ହେଉଛି। ତେବେ ଏ ନେଇ ବର୍ତ୍ତମାନର ବିଡିଓ ଦୁତିକୃଷ୍ଣ ପାତ୍ରଙ୍କଠାରୁ ପ୍ରକାଶ ପାଇଛି ଯେ ସେହି ଶୋଚନୀୟ ରାସ୍ତାର ପ୍ରତିକାର ବ୍ଯବସ୍ଥା କରିବା ନିମନ୍ତେ ଗ୍ରାମ୍ଯ ଉନ୍ନୟନ ବିଭାଗକୁ ଦାୟିତ୍ବ ପ୍ରଦାନ ସମ୍ପର୍କେ ଗତ ତା ୨୪-୦୯-୨୦୨୪ରିଖରେ ବୁଗୁଡା ପଞ୍ଚାୟତ ସମିତିରେ ନିର୍ଦ୍ଧାରଣ ପ୍ରସ୍ତୁତ କରାଯାଇ ଡିଆରଡିଓକୁ ପ୍ରେରଣ କରାଯାଇଛି।
