September 13, 2026

ବେତିରା ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ବିଜେପିରେ ସାମିଲ  ମିଶ୍ରଣ ପର୍ବରେ ନୂଆ କର୍ମୀଙ୍କୁ ଦଳୀୟ ନେତାଙ୍କ ସ୍ୱାଗତ ..

IMG-20260913-WA0059
Share

 

 

ହାଟଡିହି ତା ୧୩/୯(ମନମୋହନ ନାୟକ) : ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ହାଟଡିହି ବ୍ଲକରେ ରାଜନୈତିକ ତତ୍ପରତା ଧୀରେ ଧୀରେ ବଢ଼ିବାରେ ଲାଗିଛି। ବିଭିନ୍ନ ଦଳ ପକ୍ଷରୁ ସାଙ୍ଗଠନିକ ଶକ୍ତି ବୃଦ୍ଧି ସହ ତୃଣମୂଳସ୍ତରରେ କର୍ମୀ ଓ ସମର୍ଥକଙ୍କୁ ନେଇ ବୈଠକ, ମିଶ୍ରଣ ପର୍ବ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଜୋରଦାର ହୋଇଛି। ଏହି କ୍ରମରେ ଶନିବାର ହାଟଡିହିସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ମରେଇଗାଁ ପଞ୍ଚାୟତ ଅନ୍ତର୍ଗତ ବେତିରା ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ବିଜେପିରେ ଯୋଗଦେଇଥିଲେ। ପ୍ରଫୁଲ୍ଲ ମିଶ୍ର, ହରିହର ମିଶ୍ର, ଟୁକୁନା ଦାସ, ବିଷ୍ଣୁ ଦାସ, ଚୈତନ୍ୟ ଦାସ, ପର୍ଶୁରାମ ଦାସ, ରମାକାନ୍ତ ଦାସ, ଗଣନାଥ ଦାସ, ପଞ୍ଚାନନ ଦାସ, ଅନିଲ ଦାସ, ମୁରଲୀ ଦାସ, କୃତିବାସ ଦାସ, ଚନ୍ଦ୍ରମଣି ଦାସ, ଯତୀନ୍ଦ୍ର ଦାସ ଓ ବାମଦେବ ଦାସଙ୍କ ସମେତ ବହୁ ଗ୍ରାମବାସୀ ଏହି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଥିଲେ। ଦଳରେ ଯୋଗଦେଇଥିବା ନୂଆ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନେତୃତ୍ୱାଧୀନ ସରକାରର ଶାସନ ବ୍ୟବସ୍ଥା ଏବଂ ଆନନ୍ଦପୁର ଅଞ୍ଚଳର ବିଜେପି ନେତା ଆଲୋକ ସେଠୀଙ୍କ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଦଳର ସାଙ୍ଗଠନିକ କାର୍ଯ୍ୟକୁ ତୃଣମୂଳସ୍ତରରେ ଆହୁରି ମଜଭୁତ କରିବା ପାଇଁ ସେମାନେ ସକ୍ରିୟ ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ। ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ହରମୋହନ ଶାସିନିଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ ଯୋଗଦେଇ ନୂତନ ଭାବେ ଦଳରେ ସାମିଲ ହୋଇଥିବା ଗ୍ରାମବାସୀଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ଅବସରରେ ଦଳୀୟ ନେତାମାନେ ନୂଆ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ସୁଶାନ୍ତ ଜେନା, ମଣ୍ଡଳ ସଭାପତି ଦୀପକ ଜେନା, ତୃପ୍ତିମୟୀ ଜେନା, କୈଳାଶ ସାମଲଙ୍କ ସମେତ ବହୁ ଦଳୀୟ ନେତା, କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବ ଫଳରେ ବେତିରା ଗ୍ରାମ ସମେତ ମରେଇଗାଁ ପଞ୍ଚାୟତ ଅଞ୍ଚଳରେ ବିଜେପିର ସାଙ୍ଗଠନିକ ଶକ୍ତି ଆହୁରି ବଢ଼ିଥିବା ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି।