ଡ଼ମ୍ବସରା ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ପିଏମ୍ ଶ୍ରୀ ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ, ଡମ୍ବସରାର ବାର୍ଷିକ ଉତ୍ସବ ରାୟଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ସଭାପତିତ୍ଵରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଡାକ୍ତର ଶ୍ରୀ ପ୍ରଦୀପ କୁମାର ପଣ୍ଡା , ସମ୍ମାନିତ ଅତିଥିଭାବେ ଗୁଣୁପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୁଦର୍ଶନ ଶବର, LSDA, ପୁଟାସିଂ ର ସ୍ଵତନ୍ତ୍ର ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ଦଳେଇ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଗୁଣୁପୁର ଶ୍ରୀ ଗଙ୍ଗାଧର ବେହେରା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,ପଦ୍ମପୁର ସୁଶ୍ରୀ ଅର୍ଚ୍ଚନା ପଣ୍ଡା, ଡମ୍ବସରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସନ୍ତୋଷୀ ଶବର, ସମାଜସେବୀ ସୁଶ୍ରୀ ରାଜେଶ୍ୱରୀ ଦଳେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଅଶ୍ଵିନୀ ଶବର ଓ ପ୍ରଧାନ ଶିକ୍ଷକ ଶ୍ରୀ ସୁନୀଲ କୁମାର ଗୌଡ ମଞ୍ଚାସୀନ ଥିଲେ l ଏ ଅବସରରେ ମୁଖ୍ୟ ଅତିଥି ପିଲାଙ୍କ ଭବିଷ୍ୟତ ଗଠନରେ ବିଦ୍ୟାଳୟ ଜୀବନ ଅତି ଗୁରୁତ୍ଵପୂର୍ଣ୍ଣ ଏବଂ ଏହି ସମୟରେ ଶୃଙ୍ଖଳା ସହ ସମୟ ଉପଯୋଗୀ ଶିକ୍ଷା ଲାଭ କରିବା ଉଚିତ ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ କହିଥିଲେ l ମୁଖ୍ୟବକ୍ତା ସବୁ ଛାତ୍ରୀଙ୍କୁ ଅଧାରୁ ପାଠ ନ ଛାଡ଼ି ଉଚ୍ଚଶିକ୍ଷା ଲାଭ କରିବା ସହ ଶୃଙ୍ଖଳିତ ଓ ସଂସ୍କାରିତ ଜୀବନ ଶୈଳୀ ଆପଣେଇବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା ମଙ୍ଗଳ ଅଧିକାରୀ ଆଜିର ଦିନଟି ବିଦ୍ୟାଳୟର ସମୀକ୍ଷା ଦିବସ ଅଟେ, ପିଏମ୍ ଶ୍ରୀ ବିଦ୍ୟାଳୟ ଆଖ୍ୟା ଲାଭ କରିବା ନିହାତି ଏହି ବିଦ୍ୟାଳୟ ପାଇଁ ଗୌରବମୟ ଉପଲବ୍ଧି ଅଟେ ବୋଲି କହିଥିଲେ l ଏଥି ସହ ପିଲାମାନଙ୍କ ଦ୍ଵାରା ଷ୍ଟଲ୍ ମାନଙ୍କରେ ଜୀବନ୍ତ ଅଭିନୟ ମାଧ୍ୟମରେ ସମାଜର ସାମାଜିକ ଚଳଣି, ଦେଶପ୍ରେମ ସହ ନୈତିକ ଶିକ୍ଷାର ଗୁରୁତ୍ଵ ବାର୍ତ୍ତା ପରିବେଷଣ ଏକ ନିଆରା ଅନୁଭୂତି ପ୍ରଦାନ କରୁଛି ବୋଲି ପ୍ରକାଶ କରିଥିଲେ l ପରେ ଏକ ଧନ୍ଦାମୂଳକ ଶିକ୍ଷା, ବନ୍ଦେ ମାତରମ୍ ଗାନର 150 ବର୍ଷ ପୂର୍ତ୍ତି, ଅପରେଶନ ସିନ୍ଦୂର, ଟ୍ରାଫିକ ନିୟମ ପାଳନ, ଯୌଥ ପରିବାରର ଚଳଣି, ମୋବାଇଲ ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ୱାରା ଆଧୁନିକ ଜୀବନ କିପରି ପ୍ରଭାବିତ ହେଉଛି ଏହି ବିଷୟରେ ସମସ୍ତଙ୍କୁ ସଚେତନ କରିବା ନିମନ୍ତେ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଯେଉଁ ଉଦ୍ୟମ କରିଥିଲେ ତାହା ବହୁତ ଚିତାକର୍ଷକ ଓ ପ୍ରସଂଶନୀୟ ଥିଲା ଏବଂ ଉପସ୍ଥିତ ଅତିଥିମାନଙ୍କୁ ଗଭୀର ପ୍ରଭାବିତ କରିଥିଲା l ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀ ସନାତନ ଗମାଙ୍ଗ ଓ ଶ୍ରୀମତୀ ସୁନିତା ନାୟକବେହେରା ଏବଂ ବିଭାଗର ସମସ୍ତ ସେକ୍ସନ୍ ଅଫିସରମାନଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ପରିଶେଷରେ ଖେଳଶିକ୍ଷକ ଶ୍ରୀ ମନୋଜ ତୁଳଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ଆକର୍ଷଣୀୟ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତ ଦର୍ଶକଙ୍କ ମନମୁଗ୍ଧ କରିଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
