କୁଜଙ୍ଗରେ କୈବର୍ତ୍ତ ମହାସମାବେଶ …
ଜଗତସିଂହପୁର ଜିଲ୍ଲା ସାରଳା ମଣ୍ଡପ ବାଲିକୁଦା କୈବର୍ତ୍ତ ସଂଘ ଓ ଏରସମା କୈବର୍ତ୍ତ ସଂଘ ବ୍ଲକ ସ୍ତରିୟ କୈବର୍ତ୍ତ ସମାବେଶ ବାଲିପାଟଣା ମେଳଣ ପଡିଆ ଓ ପଦ୍ମପୁର କେନ୍ଦୁ ମଠ ଠାରେ ସରିବା ପରେ ଗତ କାଲି ରବିବାର କୁଜଙ୍ଗ ବ୍ଲକ ଷଣ୍ଢପୁର ସ୍ଥିତ ମୁକ୍ତେଶ୍ଵର ମଣ୍ଡପ ଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା କୈବର୍ତ୍ତ ଜିଲ୍ଲା ସଂଘର ସଭାପତି କୈଳାସଙ୍କ ସଭାପତିତ୍ବରେ ରବିବାର ଅନୁଷ୍ଠିତ ଏହି ବିରାଟ ସାଧାରଣ ସଭାରେ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ସାରଳା ମଣ୍ଡପ କୈବର୍ତ୍ତ ସଂଘ ଜିଲ୍ଲା ସଭାପତି ପ୍ରହଲ୍ଲାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରସନ୍ନ ବେହେରା, ମନୋଜ ବେହେରା, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ବେହେରା, ଅକ୍ଷୟ ବେହେରା, ସାରଳା ମଣ୍ଡଳ କୁଜଙ୍ଗ ବ୍ଲକ ସଭାପତି ଶ୍ରୀଧର ବେହେରା,ଜିଲ୍ଲା ମହାସଭାର ସଂଗଠନ ସମ୍ପାଦକ ଅମର କୁମାର ଦାସ ପ୍ରମୁଖ ଯୋଗଦେଇ କୈବର୍ତ୍ତ ମାନଙ୍କ ମୌଳିକ ସୁବିଧା ଯୋଗାଇବା ଦାବୀରେ ପ୍ରସ୍ତାବ ରଖିଥିଲେ। ଏହି ଅବସରରେ ଜଟାଧାରୀ ମୁହାଣ ଖନନ, ଉପକୂଳ ମତ୍ସ୍ୟଜୀବୀଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା, ଚଉମୁହାଣୀ, ନୂଆଗଡ ଠାରେ ଶୁଖୁଆ ଖଳା ନିର୍ମାଣ, ପାରାଦୀପ ଶିଳ୍ପାଞ୍ଚଳରୁ ନିର୍ଗତ ଦୂଷିତ ଜଳକୁ ବିଶୋଧନ କରି ନଈକୁ ଛାଡ଼ିବା ଆଦି 10 ଦଫା ଦାବି ନେଇ ପ୍ରସଙ୍ଗରେ ଉଠାଇବାକୁ ମତ ପ୍ରକାଶ କରିଥିଲେ।ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ନୟାଗଡ଼ ଆଦି ସମସ୍ତ ଜିଲ୍ଲାରୁ କୈବର୍ତ୍ତ ସଂଘର ବରିଷ୍ଠ କର୍ମକର୍ତ୍ତା ମାନେ ଆସି ଏହି ମହାସମାବେଶରେ ଯୋଗଦେବା ସହ ନିଜ ନିଜ ଜିଲ୍ଳାର କୈବର୍ତ୍ତ ଭାଇ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସରକାରଙ୍କ ପାଖରେ ଜାତି ର ଅନେକ ମୌଳିକ ସମସ୍ୟା ଦାବି ରଖାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଉଥିଲା। ଖୁବ ଶୀଘ୍ର ଭୁବନେଶ୍ୱର ଲୋୟର ପିଏମଜି ରେ ଏକ ବିଶାଳ ରାଜ୍ୟସ୍ତରିୟ କୈବର୍ତ୍ତ ଜନ ଗର୍ଜନ ସମାବେଶ ଆୟୋଜିତ ହେବ ବୋଲି ସମସ୍ତେ ମତ ଦେଇଥିଲେ। ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଅବଗତି କରିଥିବା ସହ ଆଗାମୀ ଦିନରେ ସରକାରଙ୍କ ସହ ଆଲୋଚନା କରି ସମସ୍ତ ଜାତି ଭାଇ ମାନଙ୍କ ସମସ୍ୟାର ସରଳ ସମାଧାନ ଦିଗରେ ଚେଷ୍ଟା କରିବେ ବୋଲି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ସାରଳା ମଣ୍ଡପ କୈବର୍ତ୍ତ ସଂଘ ଜିଲ୍ଲା ସଭାପତି ପ୍ରହଲ୍ଲାଦ ବେହେରା ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )