ଗଜପତି:-ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଜିଲ୍ଲା ଶାଖା ପକ୍ଷରୁ  ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260113-WA0036
Share

ପାରଳାଖେମୁଣ୍ଡି:(ଗଣେଶ କୁମାର ରାଜୁ)

ଯେତେବେଳେ ସମୟର କୋଳାହଳରେ ମନୁଷ୍ୟର ଚିନ୍ତା ଧୂସର ହୋଇଯାଏ , ଠିକ୍ ସେତେବେଳେ ଆଦର୍ଶର ଆଲୋକ ମାନବତାକୁ ପୁନଃ ଦିଗଦର୍ଶନ ଦେଇଥାଏ । ସେହି ଆଲୋକର ଅନନ୍ୟ ପ୍ରତୀକ ହେଉଛନ୍ତି , ଯୁଗପୁରୁଷ ସ୍ବାମୀ ବିବେକାନନ୍ଦ। ତାଙ୍କର ଅମର ବାଣୀ , ଅଦମ୍ୟ ଆତ୍ମବିଶ୍ୱାସ ଓ ଯୁବଶକ୍ତି ପ୍ରତି ଅଟୁଟ ଆସ୍ଥାକୁ ସ୍ମରଣ କରି , ସ୍ବାମୀ ବିବେକାନନ୍ଦ ଲୋକ ସଂସଦ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମ୍ମିଳନୀ କକ୍ଷ ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଉତ୍ସବ–୨୦୨୬ ଏକ ଭାବଗଭୀର ଓ ପ୍ରେରଣାମୟ ପରିବେଶ ମଧ୍ୟରେ କପାଳିତ ହୋଇଯାଇଛି।

ସଭାପତି ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହେବା ସହିତ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ସଭାମଞ୍ଚକୁ ଜୀବନ୍ତ କରି ଦେଇଥିଲା ।

ସମ୍ପାଦକୀୟ ବିବରଣୀ ଓ ପ୍ରାକ୍ ଭାଷଣ ପ୍ରସଙ୍ଗରେ ଶ୍ରୀ ମନୋଜ କୁମାର ପଟ୍ଟନାୟକ ସ୍ବାମୀ ବିବେକାନନ୍ଦଙ୍କ ଜୀବନକୁ ଏକ ସାଧାରଣ ସନ୍ନ୍ୟାସୀରୁ ବିଶ୍ୱବନ୍ଦିତ ମହାମାନବ ହେବାର ଅନନ୍ୟ ଯାତ୍ରା ଭାବେ ଉପସ୍ଥାପନ କରିଥିଲେ। “ସାହସୀ ହୁଅ , ଦୁର୍ବଳତାକୁ ପରିତ୍ୟାଗ କର”— ଏହି ଆହ୍ୱାନ ସଭାଗୃହର ପ୍ରତ୍ୟେକ କୋଣାକୁ ସ୍ପର୍ଶ କରି ଯୁବମନକୁ ଆତ୍ମବିଶ୍ୱାସରେ ପ୍ରଜ୍ୱଳିତ କରିଥିଲା।

କାର୍ଯ୍ୟକ୍ରମ ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ପଣ୍ଡିତ ନରସିଂହ ଗୌଡ ସ୍ୱରଚିତ ଆଧାରିତ ଏକ କବିତା ପାଠ କରିଥିଲେ l

ସମ୍ମାନିତ ବକ୍ତା ଶ୍ରୀ ଅର୍ଜୁନ ଜେନା , ମୁଖ୍ୟ ବକ୍ତା ଇଂ. ଶ୍ବେତା ପଟ୍ଟନାୟକ ଏବଂ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ପ୍ରମୁଖ ତାଙ୍କର ଅଭିଭାଷଣରେ ସ୍ବାମୀଜୀ’ଙ୍କ ଶିକ୍ଷା ସଂସ୍କାର ଓ ଆଦର୍ଶକୁ ଆଜିର ଯୁବ ସମାଜ ପାଇଁ ପଥପ୍ରଦର୍ଶକ ଓ ଜୀବନ ଦର୍ଶନ ଭାବେ ଉପସ୍ଥାପନ କରିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଡ: ବିପ୍ଳବ ପ୍ରଧାନ ସୁମଧୁର ଓ ଭାବପୂର୍ଣ୍ଣ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ସଭାକୁ ନବ ଉର୍ଜା , ଶିଶୁ-ସ୍ୱପ୍ନର ସ୍ନିଗ୍ଧତା ଓ ଆଶାର ଆଲୋକରେ ଭରି ଦେଇଥିଲା।

ପୁରସ୍କାର ବିତରଣ ସମୟରେ ଯୁବ ପ୍ରତିଭା ମାନଙ୍କ ମୁହଁରେ ଜ୍ଵଳିଉଠୁଥିବା ଆତ୍ମବିଶ୍ୱାସ ଏହି କାର୍ଯ୍ୟକ୍ରମର ସର୍ବୋତ୍କୃଷ୍ଟ ସଫଳତା ରୂପେ ପ୍ରତିଫଳିତ ହୋଇଥିଲା ।

କାର୍ଯ୍ୟକ୍ରମର ସୁସଂଗଠିତ ସଂଯୋଜନା ଓ ସୁନ୍ଦର ପରିଚାଳନା ଶ୍ରୀମତୀ ଅରୁପାଞ୍ଜଳି ମହାନ୍ତି କରିଥିବା ବେଳେ , ସହ ସମ୍ପାଦକ ଡ. ଶଶିକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଶ୍ରୀ ନିର୍ମଳ ଭୂୟାଁ ଧନ୍ୟବାଦ ଅର୍ପଣ କରି କହିଥିଲେ—

“ ସ୍ଵାମୀ ବିବେକାନନ୍ଦ’ଙ୍କ ଆଦର୍ଶ ଯେ-ପର୍ଯ୍ୟନ୍ତ ଯୁବହୃଦୟରେ ଜୀବନ୍ତ ରହିବ , ସେପର୍ଯ୍ୟନ୍ତ ଭାରତ ଅଜୟ ରହିବ।”

ସ୍ବାମୀ ବିବେକାନନ୍ଦଙ୍କ ଅମର ବାକ୍ୟ—

ଵ“ଉଠ, ଜାଗ, ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଥମ୍ବ ନାହିଁ”

ଯୁବମନରେ ନବସଂକଳ୍ପର ଅଗ୍ନି ପ୍ରଜ୍ୱଳିତ କରି ଏହି ଭାବମୟ ସନ୍ଧ୍ୟାକୁ ସ୍ମରଣୀୟ କରିଦେଇଥିଲା। ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ମାନଙ୍କ ସକ୍ରିୟ ସହଯୋଗ ଓ ସମର୍ପଣ ଏହି କାର୍ଯ୍ୟକ୍ରମର ସଫଳତାକୁ ଆହୁରି ସୁଦୃଢ଼ କରିଥିଲା।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————–