October 12, 2026

୫୫ ବର୍ଷ ବୟସରେ ଅଙ୍ଗନବାଡ଼ି କର୍ମୀଙ୍କ ସେବା ସମୀକ୍ଷାକୁ ବିରୋଧ

IMG-20261012-WA0046
Share

ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ଡାକରାରେ ସମସ୍ତ ବ୍ଲକ୍‌ରେ ଦାବିପତ୍ର ପ୍ରଦାନ

ସମ୍ବଲପୁର, ୧୨. ୧୦: ୫୫ ବର୍ଷ ବୟସ ପୂରଣ କରିଥିବା ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ସମ୍ପର୍କିତ ସରକାରୀ ନିର୍ଦ୍ଦେଶକୁ ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏହି ନିର୍ଦ୍ଦେଶ ପ୍ରତ୍ୟାହାର, ୬୨ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବା, ମାନଦେୟ ବୃଦ୍ଧି ଓ ସାମାଜିକ ସୁରକ୍ଷା ପ୍ରଦାନ ଦାବିରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ଡାକରାରେ ସମ୍ବଲପୁର ଜିଲ୍ଲାର ସମସ୍ତ ବ୍ଲକ୍‌ରେ ସିଡିପିଓଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ସଂଘର ନେତୃତ୍ୱରେ କୁଚିଣ୍ଡା, ଜମନକିରା, ଧନକଉଡ଼ା, ମାନେଶ୍ୱର, ରେଢ଼ାଖୋଲ, ରେଙ୍ଗାଲି, ଯୁଯୋମୁରା ଓ ବାମରା ଆଦି ବ୍ଲକ୍‌ରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାର ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରରେ ଦୈନନ୍ଦିନ କାର୍ଯ୍ୟ ସମ୍ପନ୍ନ କରି କେନ୍ଦ୍ର ବନ୍ଦ କରିବା ପରେ କର୍ମୀମାନେ ସମ୍ପୃକ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସଂଘର ଅଭିଯୋଗ ଅନୁଯାୟୀ, ଦୀର୍ଘ ୨୦ରୁ ୩୦ ବର୍ଷ ଧରି ଅଙ୍ଗନବାଡ଼ି କର୍ମୀମାନେ ଶିଶୁଙ୍କ ପୁଷ୍ଟିସାଧନ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଚେତନତା ସହ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଆସୁଛନ୍ତି। ଏତେ ବର୍ଷର ଅଭିଜ୍ଞତା ଓ ସେବା ପରେ ୫୫ ବର୍ଷ ବୟସରେ କାର୍ଯ୍ୟଦକ୍ଷତା ସମୀକ୍ଷା ନିର୍ଦ୍ଦେଶ ଜାରି ହେବା ସେମାନଙ୍କ ମଧ୍ୟରେ ଚାକିରିର ଅନିଶ୍ଚିତତା ଓ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି କରିଛି।

ସଂଘ ପକ୍ଷରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ମାନଦେୟ ବୃଦ୍ଧି, ଅବସର ପରେ ପେନସନ୍‌, ଗ୍ରାଚ୍ୟୁଇଟି ଓ ଉପଯୁକ୍ତ ସାମାଜିକ ସୁରକ୍ଷା ପ୍ରଦାନ ସହ ଅନାବଶ୍ୟକ କାର୍ଯ୍ୟଭାର ହ୍ରାସ କରିବାକୁ ଦାବି କରାଯାଇଛି। ଏଥିସହ ୫୫ ବର୍ଷ ବୟସରେ ସେବା ସମୀକ୍ଷା ସମ୍ପର୍କିତ ଚିଠିକୁ ତୁରନ୍ତ ପ୍ରତ୍ୟାହାର କରିବା ଓ ପ୍ରଚଳିତ ନିୟମ ଅନୁଯାୟୀ ୬୨ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବାକୁ ସଂଘ ଦାବି କରିଛି।

ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଶୈରିନ୍ଦ୍ରୀ ମହାନନ୍ଦ, ଜ୍ୟୋତି ମାନକର, ଅଞ୍ଜଳି ଶର୍ମା, ଶାନ୍ତିଲତା କୁମୁରା, କନକ ପ୍ରଧାନ, ହେମାଦ୍ରି ପ୍ରଧାନ, କୁଟମାଳା କାଲୋ, ସୁରେଖା ବେହେରା, ରଞ୍ଜିତା କେରକେଟା, ଫଣୀ ରାଉଳ, ଗୋଲାପୀ ପଟେଲ ଓ ପଦ୍ମିନୀ ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ସରକାର ଏହି ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟସ୍ତରରେ ବ୍ୟାପକ ଆନ୍ଦୋଳନ କରାଯିବ।

ଅଙ୍ଗନବାଡ଼ି କର୍ମୀଙ୍କ ଦୀର୍ଘବର୍ଷର ସେବାକୁ ସମ୍ମାନ ଦେବା ସହ ସେମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ, ଉପଯୁକ୍ତ ମାନଦେୟ ଓ ଭବିଷ୍ୟତର ସୁରକ୍ଷା ସୁନିଶ୍ଚିତ କରିବାକୁ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ସରକାରଙ୍କ ନିକଟରେ ଦୃଢ଼ ଦାବି ଜଣାଇଛି।

You may have missed