October 12, 2026

ଜାପାନରେ ଚମକିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ ନାଏକ ବିଏଚ୍‌ୟୁରେ ସ୍ୱର୍ଣ୍ଣପଦକ, ଅନ୍ତର୍ଜାତୀୟ ଅର୍ଥୋପେଡିକ୍ସ କଂଗ୍ରେସରେ ବିଶେଷଜ୍ଞ ବକ୍ତା ଏମ୍‌ବିବିଏସ୍‌ରେ ଟପ୍ପର ହୋଇ ରାଷ୍ଟ୍ରପତିଙ୍କଠାରୁ ପାଇଥିଲେ ସ୍ୱର୍ଣ୍ଣପଦକ

IMG-20261012-WA0000
Share

 

 

ସମ୍ବଲପୁର,୧୨. ୧୦: ପଶ୍ଚିମ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ଗ୍ରାମର ଡାକ୍ତର ଅଭିଷେକ ନାଏକ। ଚିକିତ୍ସା ବିଜ୍ଞାନରେ ଉଲ୍ଲେଖନୀୟ ଶିକ୍ଷାଗତ ସଫଳତା ସହ ଅନ୍ତର୍ଜାତୀୟ ମଞ୍ଚରେ ଗବେଷଣାମୂଳକ ବକ୍ତବ୍ୟ ଉପସ୍ଥାପନ କରି ସେ ନିଜ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି।

 

ଡା. ଅଭିଷେକ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ରୁ ଅସ୍ଥିଶଲ୍ୟ ଚିକିତ୍ସା ବିଜ୍ଞାନ (ଅର୍ଥୋପେଡିକ୍ସ)ରେ ସ୍ନାତକୋତ୍ତର ଡିଗ୍ରି ଏମ୍‌ଏସ୍‌ ସମାପ୍ତ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହା ତାଙ୍କର ନିଷ୍ଠା, ଅଧ୍ୟବସାୟ ଓ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ଆଗ୍ରହକୁ ପ୍ରତିପାଦିତ କରିଛି।ଏହି ସଫଳତାର ମୁକୁଟରେ ଆଉ ଏକ ପର ଯୋଡ଼ିଛି ଜାପାନର କ୍ୟୋଟୋଠାରେ ଆୟୋଜିତ ୪୬ତମ ଅନ୍ତର୍ଜାତୀୟ ଅର୍ଥୋପେଡିକ୍ସ କଂଗ୍ରେସରେ ତାଙ୍କର ଅଂଶଗ୍ରହଣ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସମ୍ମିଳନୀରେ ଡା. ଅଭିଷେକ ବିଶେଷଜ୍ଞ ବକ୍ତା ଭାବେ ଯୋଗଦେଇ ସ୍ପୋର୍ଟସ୍‌ ମେଡିସିନ୍‌ ଏବଂ ଆଧୁନିକ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର (ମିନିମାଲ୍‌ ଇନ୍‌ଭେସିଭ୍‌ ସର୍ଜରି) ସମ୍ପର୍କିତ ନିଜର ଗବେଷଣା ଓ ଅଭିଜ୍ଞତା ଉପସ୍ଥାପନ କରିଛନ୍ତି।

ଆଣ୍ଠୁଗଣ୍ଠି ଅସ୍ତ୍ରୋପଚାର ସମ୍ପର୍କିତ ତାଙ୍କର ଗବେଷଣାମୂଳକ ସନ୍ଦର୍ଭ ପୂର୍ବରୁ ଅନ୍ତର୍ଜାତୀୟ ଅସ୍ଥିଶଲ୍ୟ ଚିକିତ୍ସା ପତ୍ରିକାରେ ପ୍ରକାଶ ପାଇଛି। ଏହା ଚିକିତ୍ସା କ୍ଷେତ୍ରରେ ତାଙ୍କର ଗବେଷଣା ଦକ୍ଷତାର ପରିଚୟ ଦେଇଛି।

 

ଉଲ୍ଲେଖଯୋଗ୍ୟ ଯେ, ଡା. ଅଭିଷେକ ଏମ୍‌ସରେ ଏମ୍‌ବିବିଏସ୍‌ ଅଧ୍ୟୟନ ସମୟରେ ମଧ୍ୟ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେତେବେଳେ ତାଙ୍କୁ ମାନ୍ୟବର ରାଷ୍ଟ୍ରପତିଙ୍କଠାରୁ ସ୍ୱର୍ଣ୍ଣପଦକ ଗ୍ରହଣ କରିବାର ସୌଭାଗ୍ୟ ମିଳିଥିଲା। ଏମ୍‌ବିବିଏସ୍‌ଠାରୁ ସ୍ନାତକୋତ୍ତର ଶିକ୍ଷା ଏବଂ ପରେ ଅନ୍ତର୍ଜାତୀୟ ଗବେଷଣା ମଞ୍ଚରେ ତାଙ୍କର ସଫଳତା ତାଙ୍କ ନିରନ୍ତର ଉତ୍କର୍ଷର ପ୍ରମାଣ।ଡା. ଅଭିଷେକ ହେଉଛନ୍ତି ଡାକ୍ତର ସୁଜାତା ନାଏକ ଓ ପ୍ରଦୀପ ନାଏକଙ୍କ ସୁପୁତ୍ର ତଥା ଲରମ୍ଭା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ ନାଏକଙ୍କ ପୌତ୍ର। ତାଙ୍କର ଏହି ସଫଳତାରେ ପରିବାର, ଗୋଡ଼ଭଗା ଅଞ୍ଚଳ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି ହୋଇଛି। ଜଣେ ଓଡ଼ିଆ ଡାକ୍ତରଙ୍କ ଏହି କୃତିତ୍ୱ ଆଗାମୀ ପିଢ଼ିର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା, ଗବେଷଣା ଓ ବିଶ୍ୱସ୍ତରୀୟ ସଫଳତା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

You may have missed