ଗୋଲିଆରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ, ଠିକା ସଂସ୍ଥାର ମନମାନି ଅଭିଯୋଗ , ଗ୍ରାମବାସୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ, ପ୍ରତିକାର ଦାବି

ବୁଗୁଡ଼ା : ତା ୧୨/୧୦/୨୫ : ବୁଗୁଡ଼ା ବ୍ଲକର ଗୋଲିଆ ଗ୍ରାମରେ ଏବେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତେବେ ଏଲ୍ ଏଣ୍ଡ୍ ଟି ଠିକା ସଂସ୍ଥା ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ ଅବ୍ଯବସ୍ଥିତ ଢଙ୍ଗରେ ଚାଲିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ତିନି ମାସ ହେଲା ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଏବେ ଏକ ମାସ ହେବ ଗୋଲିଆ ଗ୍ରାମର ଗଳି ସାହି ରାସ୍ତା ମଝିରେ ପାଇପ୍ ବିଛାଇ ଥିବାରୁ ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହ ଅନ୍ଧକାର ରାତିରେ ବିଛା ଯାଇଥିବା ପାଇପରେ ଛନ୍ଦି ହୋଇ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଗୋଲିଆ ଗ୍ରାମର ତେଲୁଗୁ ସାହିରେ ପାନୀୟ ଜଳ ଯୋଗାଣ ପାଇପ୍ ବିଛାଇବା ପାଇଁ ରାସ୍ତାକୁ ଖୋଳାଖୋଳି ଯୋଗୁଁ ତାହାର ଅବସ୍ଥା ଶୋଚନୀୟ ହୋଇପଡିଛି। ପୂର୍ବରୁ ପଡିଥିବା ପାଇପ୍ ଗୁଡିକୁ ଖୋଳାଖୋଳି ସମୟରେ ଫଟାଇ ଦେଇଥିବାରୁ ରାସ୍ତାରେ ପାଣି ଭାସୁଛି। ଅନ୍ୟପକ୍ଷରେ ତେଲୁଗୁ ସାହିରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ଯାମାକାଳୀଙ୍କ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସାହିର ଦୂରାବସ୍ଥା ଯୋଗୁଁ ପୂଜା କମିଟିକୁ ଚିନ୍ତା ଘାରିଛି। ଠିକା ସଂସ୍ଥା କାମ ଅଧପନ୍ତରିଆ କରି ବନ୍ଦ କରିଦେଇଥିବାରୁ କଣ କଲେ ଏବଂ କାହାକୁ କହିଲେ ଏହି ସମସ୍ଯାର ସମାଧାନ ହେବ ସେନେଇ ଲୋକଙ୍କୁ ବୁଦ୍ଧିବାଟ ଦିଶୁନି। ଶ୍ଯାମାକାଳୀଙ୍କ ପୂଜା ଦିନ ପାଖେଇ ଆସୁଥିବାରୁ ମଣ୍ଡପ ପ୍ରସ୍ତୁତି ପାଇଁ ରାସ୍ତା ମରାମତି ନିଜ ଖର୍ଚ୍ଚରେ କରିବାକୁ କମିଟି ଅଣ୍ଟା ଭିଡ଼ିଥିବା ଜଣାଯାଇଛି। ତେବେ ଅହେତୁକ ବିଳମ୍ବ ନକରି ଯଥାଶୀଘ୍ର ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲୋକେ ଦାବି କରୁଥିବା ବେଳେ ଆରଡବ୍ଲୁଏସଏସ ବିଭାଗୀୟ ଯନ୍ତ୍ରୀ ତୁରନ୍ତ ଏହି ସମସ୍ୟାର ପ୍ରତିକାର ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି।
