May 14, 2026

ଓଡିଆ ଅସ୍ମିତାରେ ପିଲାଙ୍କ ପାଖରେ ପହଞ୍ଚିବତ ଶିଶୁଲେଖା ଓ କୋଣାର୍କ? ସ୍ଥାନ ପାଇବତ ପଶ୍ଚିମ ଓ ଦକ୍ଷିଣ ଓଡିଶାର ମହାନ ପର୍ବ !

IMG-20240712-WA0001
Share

 

 

ସମ୍ବଲପୁର,(ଡା.ରାଜାରାମ ଷଡଙ୍ଗୀ): ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୦ ତାରିଖ ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତା ର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

 

ବର୍ତ୍ତମାନ କଥା ଉଠୁଛି ଓଡିଆ ଅସ୍ମିତା ନେଇ ଓଡିଆ ଭାବାବେଗ ସହିତ ବିଜେପି ଯେଉଁ କୌଶଳ ଆପଣାଇ ସରକାର ଗଠନ କରିବାରେ ସମର୍ଥ ହେଲା ସେହି ଭାବାବେଗକୁ ନୂଆ ସରକାର ସାଇତି ପାରିବତ ? ଆରମ୍ଭରୁ ହିଁ ଏଭଳି ଏକ ଜଟିଳ ଆଶଙ୍କାର ସୁତ୍ରପାତ ଦେଖିବାକୁ ମିଳୁଛି।

 

ରାଜ୍ୟ ସରକାର ଓଡିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଉଛନ୍ତି ଏହା ସତ। ଏପରିକି ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ୨୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଏହି ପାଣ୍ଠିରେ ଓଡିଆ ଅସ୍ମିତା ଭବନ ଗଠନ, ଓଡିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ବିଶ୍ୱସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା, ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତିକରଣ, ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ, କଳାକାରମାନଙ୍କୁ ପ୍ରୋତ୍ସାହନ, ଓଡିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ, ଜାତୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା, ଜିଲ୍ଲାସ୍ତରରେ ଇ-ଗ୍ରନ୍ଥାଳୟ ସ୍ଥାପନ ଏବଂ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।କିନ୍ତୁ ବରଗଡର ପ୍ରସିଦ୍ଧ ଧନୁଯାତ୍ରା,ସମ୍ବଲପୁର ର ଶୀତଳଶଷ୍ଟୀ,ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଓ ମାଲକାନଗିରିର ବଡଯାତ୍ରା ଭଳି ମହାନ ପର୍ବ ସଂପର୍କରେ କିଛିବି ଉଲ୍ଲେଖ କରାଯାଇନି।

 

ଅବଶ୍ୟ ଏଥିପାଇଁ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏହି ପାଣ୍ଠିର ପରିମାଣ ଆହୁରି ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ମଧ୍ୟ ଦେଇଛନ୍ତି। ଏହା ଦ୍ୱାରା ଓଡିଆ ଅସ୍ମିତା ଉଜ୍ଜୀବିତ ହେବା ସହିତ ଓଡିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରିବ ବୋଲି ସରକାର ଓଡିଆଙ୍କୁ ନୂଆ ଓଡିଶାର ଦିଶା ଦେଖାଇଛନ୍ତି।

 

ତେବେ ଓଡିଆ ଅସ୍ମିତା ମୂଳ ପାହାଚକୁ ସରକାର ମନେ ପକାଇ ତୃଣମୂଳ ସ୍ତରରୁ କାମ କରିବା ମଧ୍ୟ ଆବଶ୍ୟକତା ରହିଛି।ଓଡିଶା ସରାକାର ପ୍ରାଥମିକ ପିଲାଙ୍କ ପାଇଁ ମାସିକ ଶିଶୁଲେଖା ଓ କୈଶୋର ପିଲାଙ୍କ ପାଇ ତ୍ରୈୟିମାସିକ କୋଣାର୍କ ପତ୍ରିକା ପ୍ରକାଶ କରୁଥିଲେ।ଯାହାକି ନବୀନ ସରକାର ସମୟରେ ଏହି ୨ ପତ୍ରିକା ଉଭାନ୍ ହୋଇଗଲା।ଓଡିଶାରେ ନୂଆ ସରକାର ଆସିବା ପରେ ଏହି ୨ ପତ୍ରିକାର ଗୁରୁତ୍ୱକୁ ଉପଲବ୍ଧି କରି ସରକାର ପ୍ରାରମ୍ଭିକ ସ୍ତରରୁ ଓଡିଆ ଅସ୍ମିତାର ବିକିରଣ ସଦୃଶ ଏହାର ପୁନଃ ପ୍ରକାଶ କରିବେତ ? ବର୍ତ୍ତମାନ ଏହାକୁ ନେଇ ଓଡିଆ ଅସ୍ମିତାର ରୂପରେଖା ବର୍ଣ୍ଣନା କରାଯାଇପାରେ।ଓଡିଶାରେ ଶିଶୁ ସାହିତ୍ୟ ପତ୍ରିକା ଲୋପ ପାଇଥିବା ଓ କୈଶୋର ଶିକ୍ଷା ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଦେବା ଭଲି ଓଡିଆ ଭାଷାରେ କୌଣସି ପତ୍ରିକା ନଥିବାରୁ ପୁର୍ବରୁ ରାଜ୍ୟ ସରକାରଙ୍କ ପ୍ରକାଶ କରୁଥିବା ଶିଶୁଲେଖା ଓ କୋଣାର୍କ ଭଳି ୨ ସାହିତ୍ୟ ପତ୍ରିକା ପ୍ରକାଶନ ଉପରେ ଗୁରୁତ୍ୱ ଦିଆଯାଉଛି।ଏହି ୨ ପତ୍ରିକା ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଜାନକୀ ବଲ୍ଲଭ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ତାହା ନିୟମିତ ପ୍ରକାଶ ପାଉଥିଲା।ଏପରିକି ବିଜୁ ପଟ୍ଟନାୟକଙ୍କ ସମୟରେ ମଧ୍ୟ ଏହା ନିୟମିତ ନହେଲେ ମଧ୍ୟ ପ୍ରକାଶ ପାଉଥିଲା।ଭାଷା ସାହିତ୍ୟ ଓ ପିଲାଙ୍କ ଚରିତ୍ର ଗଠନ ସହ ସେମାନଙ୍କୁ ବୁଦ୍ଧିମତା କରିବା ଦିଗରେ ଏହି ୨ ପତ୍ରିକାର ବହୁ ଗୁରୁତ୍ୱ ରହୁଥିବାରୁ ମୋହନ ସରକାର ନିଶ୍ଚିତ ଭାବରେ ଏହାର ପୁନଃ ପ୍ରକାଶନ ଦିଗରେ ଚେଷ୍ଟା କରିବେ ବୋଲି ବୁଦ୍ଧିଜୀବୀ ମହଳରେ ଆଶା ସଂଚାର ହୋଇଛି।