ଜନବିରୋଧୀ ନୀତି ବିରୁଦ୍ଧରେ ଶ୍ରମିକ ସଂଗଠନ ଓ ବିଦ୍ୟୁତ ଉପଭୋକ୍ତା ଏକ ହୋଇ ଧର୍ମଘଟକୁ ସଫଳ କଲେ

ଆସିକା, ୧୨/୦୨. କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଏବଂ ସମସ୍ତ ଜନବିରୋଧୀ ନୀତି ବିରୁଦ୍ଧରେ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଏବଂ ବିଦ୍ୟୁତ ଉପଭୋକ୍ତା ମହାସଂଘ, କ୍ରାନ୍ତିକାରୀ କୃଷକ ସଭା ଆଦି ସଂଗଠନର ନେତୃତ୍ୱ ଓ କର୍ମୀମାନେ ବିଜୁପଟ୍ଟନାୟକ ଛକରୁ ପିକେଟିଙ୍ଗ ଆରମ୍ଭ କରି ବ୍ୟାଙ୍କ, ବିଭିନ୍ନ ଅଫିସ ଦପ୍ତର ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତିରେ ଅତିଷ୍ଠ ହୋଇ ଆଜି ସ୍ବତଃ ପ୍ରବୃତ ଭାବେ ଧର୍ମଘଟ କୁ ସମର୍ଥନ ସହଯୋଗ ମଧ୍ଯ କରିଥିଲେ। କର୍ପୋରେଟ ସ୍ବାର୍ଥରେ ଶ୍ରମିକ କର୍ମଚାରୀଙ୍କ ସମସ୍ତ ଅଧିକାରକୁ ଖତମ କରି କର୍ପୋରେଟ ଦୟାରେ ବଞ୍ଚିବା ପାଇଁ ମୋଦୀ ସରକାର ଶ୍ରମିକ ବିରୋଧୀ ୪ ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। ଯାହା ଶ୍ରମିକଙ୍କ ପାଇଁ ମୃତ୍ୟୁ ଘଣ୍ଟି ସହ ସମାନ। ୨୯ଟି ଆଇନକୁ ଶେଷ କରିଦେଇଛନ୍ତି। ଏହା ସହ ମନରେଗା ଆଇନକୁ ସଂପୂର୍ଣ୍ଣ ଧ୍ବଂସ କରି ଭିଭି ଜି ରାମ ନାମରେ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାକୁ ଶେଷ କରାଯାଇଛି। ଏହା ବିକଶିତ ଭାରତ ବଦଳରେ କାମ ଅଭାବରୁ ଅସହାୟ ଏବଂ ଉତ୍କଟ ଦାରିଦ୍ର୍ୟ ମଧ୍ୟଦେଇ ଆମ ଗ୍ରାମୀଣ ରୋଜଗାର ଗତିକରିବ ବୋଲି ଟିୟୁସିଆଇ ନେତା ରାମଚନ୍ଦ୍ର ବାଡତ୍ୟା ପ୍ରକାଶ କରିଛନ୍ତି। ଜନଗଣଙ୍କ ହାତକୁ କାମ ଏବଂ ସର୍ବନିମ୍ନ ମଜୁରୀ ପ୍ରଦାନ କରିବାରେ ବିଫଳ ହୋଇଥିବା ବବଲ୍ ଇଞ୍ଜିନ ସରକାର ସ୍ସ୍ମାର୍ଟ ମିଟର ବସାଇ ବିଦ୍ୟୁତ୍ ଉପଭୋକ୍ତା ରକ୍ତକୁ ଶୋଷୁଛି ବୋଲି ରୁନୁ ନାହକ ପ୍ରକାଶ କରିଛନ୍ତି! ନୂତନ ସଂଯୋଗ ମାତ୍ର ୪୦୮୫ କହି ୧୦୭୦୦ ଟଙ୍କାର ବିଲ୍ କେଉଁ ହିସାବରେ ନିଆଯାଉଛି ବୋଲି ପ୍ରତିଭା ନାହକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କର୍ପୋରେଟ ସପକ୍ଷ ୪ ଶ୍ରମ ସଂହିତା ପ୍ରତ୍ୟାହାର, ମନରେଗା ଆଇନକୁ ପୁନଃ ସ୍ଥାପନା, ଶ୍ରମିକଙ୍କ ହାତକୁ କାମ, ଶ୍ରମିକ କର୍ମଚାରୀମାନଙ୍କର ୧୪ ଦଫା ଦାବି, ଦୈନିକ ସର୍ବନିମ୍ନ ମଜୁରୀ ୧୦୦୦, ଠିକା ନୁହେଁ କି ଚୁକ୍ତିଭିତ୍ତିକ ନୁହେଁ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ବିଲ୍ ୨୦୨୫ ପ୍ରତ୍ୟାହାର, ଗିଗ ଓ୍ବାର୍କରଙ୍କୁ ଶ୍ରମିକ ମାନ୍ୟତା ଓ ସମସ୍ତ ସାମାଜିକ ସୁରକ୍ଷା, ସମାନ କାମକୁ ସମାନ ମଜୁରୀ, ପୁରୁଣା ପେନସନ ସ୍କିମ, ଜନଗଣଙ୍କ ଝାଳ ବୁହା ଟଙ୍କାକୁ ହରିଲୁଟ୍ କରୁଥିବା ସ୍ମାର୍ଟ ମିଟର ବନ୍ଦ କରିବା, ସର୍ବନିମ୍ନ ପେନସନ ମାସିକ ୧୦ ହଜାର ଟଙ୍କାକୁ ବୃଦ୍ଧି ଆଦି ସ୍ଳୋଗାନ ଦେଇ ସହର ପରିକ୍ରମା କରି ଧର୍ମଘଟକୁ ସଫଳ କରିଥିଲେ। ଏହାର ନେତୃତ୍ବ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସଂପାଦକ ରାମଚନ୍ଦ୍ର ବାଡତ୍ୟା, କ୍ରାନ୍ତିକାରୀ କୃଷକ ସଭା ର ରୋହିତ ନାହକ ଏବଂ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ରୁନୁ ନାହକ, ସସ୍ମିତା ନାହକ, ପ୍ରତିଭା ନାହକ, ଶାନ୍ତି ନାହକ ଆଦି ସାମିଲ ହୋଇଥିଲେ।
