November 21, 2024

ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ  ମଧ୍ୟରେବୁଝାମଣାପତ୍ର ସ୍ୱାକ୍ଷରିତ

Share
ଭୁବନେଶ୍ୱର:
(ସମୀର ରଞ୍ଜନ ନାୟକ) ରାଜ୍ୟ ଲୋକସେବା ଭବନରେ ଆଜି ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‍.ଓ.ୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ ବୋଲି ଜଣାଯାଇଛି । ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇ.ର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା  ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ ।
 ଉଲ୍ଲେଖଯୋଗ୍ୟ ଯେ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ ଏବଂ ଯୁକ୍ତରାଜ୍ୟ(ୟୁନାଇଟେଡ କିଙ୍ଗଡମ)ର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଟୋନି ବ୍ଲେୟାରଙ୍କ ଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନ ସଂପ୍ରତି ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି । ଏହି ଅନୁବନ୍ଧନ ଦ୍ୱାରା ଓଡିଶାର ସାମଗ୍ରିକ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ବୈଠକରେ ବିଶଦ୍ ଭାବେ ସୂଚନା ପ୍ରଦାନ କରାଯାଇଥିଲା ।  ଇ-ପ୍ରୟୋଗ  କ୍ଷେତ୍ରରେ ସରକାରଙ୍କ ପ୍ରମୁଖ ଗଭର୍ଣ୍ଣାନ୍ସ ନିର୍ମାଣ ଏବଂ ଆଇଟି ଜ୍ଞାନକୌଶଳର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ଏହି ଅନୁବନ୍ଧନ ସହାୟକ ହେବ ।
ଓଡ଼ିଶା ସରକାର ରାଜ୍ୟର ଅର୍ଥନୈତିକ ସମୃଦ୍ଧି ପାଇଁ ନିରନ୍ତର ତଥା ସଫଳ ପ୍ରଚେଷ୍ଟା ଜାରି ରଖିଥିବାବେଳେ, ଏହି ବୁଝାମଣାପତ୍ର ରାଜ୍ୟର ନୀତି ରୂପାୟନ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଏ । ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ରାଜ୍ୟର ନିର୍ଦ୍ଧାରିତ ଲକ୍ଷକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ତା’ର ଅଭିଜ୍ଞତା, ଉପଲବ୍ଧି, ଜ୍ଞାନ-କୌଶଳକୁ ଆଧାର କରି ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ ବୋଲି ଏହି ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଛି ।
ଏହି ଅବସରରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡା ଓ ଯୁବସେବା ଗୃହ ରାଷ୍ଟ୍ରମନ୍ତ୍ରୀ  ଶ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ  ଶ୍ରୀ ମନୋଜ କୁମାର ମିଶ୍ର  ପ୍ରମୁଖ ଉପସ୍ଥିତ ଥିଲେ ।
ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା ଏବଂ ଟୋନି ବ୍ଲେୟାର ଇନ୍‍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.)ର ରାଷ୍ଟ୍ରୀୟ ନିର୍ଦ୍ଦେଶକ ଶ୍ରୀ ବିବେକ ଅଗ୍ରୱାଲ ଆନୁଷ୍ଠାନିକଭାବେ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ । ସର୍ବଶେଷରେ ଅତିରିକ୍ତ ଶାସନ ସଚିବ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

You may have missed