ଚଣାଲିମା ଗାଁ ଲୋକଙ୍କ ଦୁଃଖ ବୁଝିବ କିଏ ..

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଓ ଲାଞ୍ଜିଗଡ଼ ପଞ୍ଚାୟତର ଗୋଟିଏ ଗ୍ରାମ ହେଉଛି ଚଣାଲିମା।ଗ୍ରାମରେ ମୋଟ ପଚାଶ ପରିବାର ବାସ କରନ୍ତି।ହାରାହାରି ଜନସଂଖ୍ୟା ଦୁଇଶହ।ଗୋଟିଏ ପ୍ରାଥମିକ ସ୍କୁଲ ଅଛି।ପ୍ରାୟ ଚାଲିଶ ପିଲା ପଢ଼ନ୍ତି। ଗୋଟିଏ ଅଙ୍ଗନବାଡି କେନ୍ଦ୍ର ରହିଅଛି।ସେଠାକୁ କୋଡ଼ିଏ ଜଣ ଶିଶୁ ପଢ଼ିବାକୁ ନିୟମିତ ଯାଆନ୍ତି।ଗ୍ରାମଟି ଲାଞ୍ଜିଗଡ଼ରୁ ପ୍ରାୟ ଅଢ଼େଇ କିଲୋମିଟର ଦୂରରେ ଅଛି।ଗାଁ ନିକଟରେ ବେଦାନ୍ତ କମ୍ପାନୀର ଆଲୁମିନା ପ୍ରକଳ୍ପ ଅଛି।ଗାଁକୁ ଲାଗି ଆଲୁମିନା ପ୍ରକଳ୍ପର ପାଉଁଶ ପୋଖରୀ(ଆଶପଣ୍ଡ)ରହିଛି।
ଗାଁର ମୁଖ୍ୟ ସମସ୍ୟା ହେଲା ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ତିରିଶି ଚାଳିଶ ବର୍ଷ ପୂର୍ବେ ରାସ୍ତା ଯେମିତି ଥିଲା,ବର୍ତ୍ତମାନ ମଧ୍ୟ ତାହାର ସେହି ଅବସ୍ଥା।ରାସ୍ତା ସାରା ଖାଲ ଖମାରେ ପୂର୍ଣ୍ଣ ଦେଖିବାକୁ। ବାଇକରେ ଯିବା ମଧ୍ୟ କଷ୍ଟକର ହୋଇପଡୁଛି।ପଞ୍ଚାୟତ ଓ ବ୍ଲକରେ ଗୁହାରୀ କରି କରି ଲୋକେ ଥକି ଗଲେଣି,ତଥାପି ଏ ଗାଁ ପ୍ରତି କାହାରି ଦୃଷ୍ଟି ପଡୁନି।ଲୋକେ ଆଶା କରିଥିଲେ,ବେଦାନ୍ତ କମ୍ପାନୀ ହୁଏତ ଏ ଗାଁ ପ୍ରତି ନଜର ଦେବ,ନିୟମ ଦୃଷ୍ଟିରୁ କମ୍ପାନୀ ପାରି ପାର୍ଶ୍ଵିକ ଉନ୍ନତି କରିବା କଥା କିନ୍ତୁ ତାହା ମଧ୍ୟ ହେଲା ନାହିଁ ବରଂ ସମସ୍ୟା ଆହୁରି ବଢ଼ିଗଲା।ଗାଁକୁ ଲାଗି ଆଲୁମିନା ପ୍ରକଳ୍ପ ରହିଲା ଏବଂ ଗାଁର ଅନ୍ୟ ପଟ ପ୍ରକଳ୍ପର ପାଉଁଶ ପୋଖରୀ। ସବୁ ସମୟରେ ପାଉଁଶ ଉଡ଼ି ଆସି ଘର ସବୁର ଛାତ ଉପରେ ଓ ଗଛର ପତ୍ର ମାନଙ୍କରେ ପଡ଼ିବା ଦ୍ୱାରା ସବୁ ଆଡ଼େ ଧଳା ଦେଖାଯାଉଛି ଏବଂ ଫଳ ଗଛରେ ଆଉ ଆଗ ଭଳି ଫଳ ଆସୁନାହିଁ।ପାଉଁଶ ସବୁ ଗାଁ ଉପରେ ଉଡ଼ିବା ଦ୍ୱାରା ଲୋକେ ଅଣନିଶ୍ଵାସୀ ହୋଇ ପଡୁଛନ୍ତି।ଆଉ ଏକ ବଡ଼ ସମସ୍ୟା ହେଲା,ଏହି ଗ୍ରାମରେ ଯେଉଁ କେତୋଟି ନଳକୂପ ଅଛି,କିଛି ବର୍ଷ ପୂର୍ବରୁ ସେ ସବୁରୁ ପରିଷ୍କାର ପାଣି ବାହାରୁଥିଲା ଏବଂ ତାହା ଲୋକଙ୍କର ବ୍ୟବହାର ଯୋଗ୍ୟ ଥିଲା।କିନ୍ତୁ ବେଦାନ୍ତ କମ୍ପାନୀର ଆସ ପଣ୍ଡ ଓ ପାଉଁଶ ପୋଖରୀ ହେଲା ପରେ ସବୁ ନଳକୂପରୁ ପାଉଁଶ ମିଶା ମଇଳା ପାଣି ବାହାରୁଛି।କିଛି ସମୟ ପାଣିକୁ ରଖିଦେଲା ପରେ ତା ଉପରେ ତୈଳ ଭଳି କିଛି ଭାସୁଥିବା ଦେଖାଯାଉଛି। ସେ ପାଣି ଆଦୌ ବ୍ୟବହାର ଯୋଗ୍ୟ ନ ହେଲେ ବି ଲୋକେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।କାରଣ ନିକଟରେ ବଂଶଧାରା ନଦୀର ସାମାନ୍ୟ ଜଳଧାରା ପ୍ରବାହିତ ହେଉଥିଲେ ମଧ୍ୟ ତାହା ବ୍ୟବହାର ଯୋଗ୍ୟ ନୁହେଁ।କାରଣ ସେଇ ନଦୀର ଜଳରେ ବେଦାନ୍ତ ଆଲୁମିନା ପ୍ରକଳ୍ପର ରେଡ଼ମଡ଼ ପଣ୍ଡ ବା ଲାଲପଙ୍କ ପୋଖରୀର ବିଷାକ୍ତ ଜଳ ମିଶି ତାହା ମଧ୍ୟ ବ୍ୟବହାର କରି ଲୋକେ ବିଭିନ୍ନ ଚର୍ମ ରୋଗ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଚଣାନିମା ଗାଁର ଲୋକେ ବାଧ୍ୟ ହୋଇ ନଳକୂପର ଦୂଷିତ ଓ ମଇଳା
ଜଳକୁ ବ୍ୟବହାର କରୁଛନ୍ତି ଏବଂ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।
ଏ ସବୁ ସମସ୍ୟା ନେଇ ସରକାରୀ ସ୍ତରରେ ଏବଂ ବେଦାନ୍ତ କମ୍ପାନୀ ନିକଟରେ ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳି ପାରିଲାନାହିଁ।ଦୀପତଳ ଅନ୍ଧାର ଭଳି ଏ ଗାଁ ପଡ଼ିରହିଛି।ଉପରୋକ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଯଦି ସରକାର କିମ୍ବା ବେଦାନ୍ତ କମ୍ପାନୀ କୌଣସି ପଦକ୍ଷେପ ନ ନିଅନ୍ତି,ତା’ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଗ୍ରାମର ଲୋକେ ଅଣ୍ଟା ଭିଡୁଥିବା ଶୁଣିବାକୁ ମିଳୁଛି।
