March 8, 2026

ମୋବାଇଲ ପାଇଁ ହତ୍ୟା କଲା ପୁଅ ବାପା କୁ

IMG-20251211-WA0014
Share

 

 

କୋଲନରା :(ସଞ୍ଜୀବ କୁମାର କଣ୍ଡାଗରୀ) ଚାନ୍ଦିଲି ଥାନା ଅଧିନ ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ କୈଳାଶପୁର ଗ୍ରାମ ପଞ୍ଚାୟତ ଲାଲିବି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମୋବାଇଲ ଫୋନ୍‌ କିଣିବା ପାଇଁ ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ପୁଅ ନିଜ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।

ମଙ୍ଗଳବାର ଲାଲିବି ଗ୍ରାମର ଭୀମା କାଡ୍ରାକା (୪୫)ଙ୍କୁ ତାଙ୍କ ପୁଅ ଉଦୟ କାଡ୍ରାକା (୨୦) ଏକ ମୋବାଇଲ ଫୋନ କିଣିବା ନିମନ୍ତେ ଟଙ୍କା ମାଗିଥିଲା। ଭୀମା ଏବେ ଟଙ୍କା ନାହିଁ, ମୋବାଇଲ ଫୋନ କିଣିବାକୁ କେଉଁଠୁ ଟଙ୍କା ଆଣି ତତେ ଦେବି ବୋଲି କହିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏତିକିରେ ଅଭିଯୁକ୍ତ ଉଦୟ ଶାନ୍ତ ହୋଇ ନଥିଲା। ଗତକାଲି ରାତିରେ ଖାଇସାରି ଲାଲିବି ଗ୍ରାମ ଠାରୁ କିଛି ଦୂରରେ ଥିବା ତାଙ୍କ କୁଡିଆ ଘରେ ଭୀମା ଶୋଇଥିବା ବେଳେ ପୁଅ ଉଦୟ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ମୃତ ଭୀମାଙ୍କ ମୁଣ୍ଡ, ଛାତି, ପଛ ବେକ, କାନ୍ଧ ଓ ପିଠିରେ ହାଣି ହତ୍ୟା କରିଥିଲା। ମୋଟ ୭ଟି ସ୍ଥାନରେ କ୍ଷତ ଚିହ୍ନ ରହିଛି। ଫଳରେ ଘଟଣାସ୍ଥଳରେ ହିଁ ଭୀମାର ପ୍ରାଣବାୟୁ ଉଡ଼ି ଯାଇଥିଲା।

ହତ୍ୟାକାଣ୍ଡ ଘଟାଇବା ପରେ ଏକ ଦଉଡ଼ିରେ ମୃତ ବ୍ୟକ୍ତିଙ୍କୁ ଘୋଷାରି କୁଡିଆ ଠାରୁ ୫୦ ମିଟର ଦୂର ସୂର୍ଯ୍ୟମୁଖି ବାଡ଼ରେ ପୋତି ଦେବାକୁ ନେବା ବେଳେ କୌଣସି କାରଣରୁ ଶବକୁ ସେହି ବାଡ଼ରେ ଛାଡ଼ି ଦେଇ ବହୁ ଚତୁରତାର ସହିତ ରକ୍ତ ଭିଜା ନିଜ ପିନ୍ଧିଥିବା ପୋଷାକକୁ ବଦଳେଇ ଗାଈ ଜଗିବା ପାଇଁ ଚାଲି ଯାଇଥିଲା। ପରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଚମ୍ପା ଲାଲିବି ଗ୍ରାମରେ ଥିବା ଘରୁ ନିଜ କୁଡିଆକୁ ଯାଇ ଦେଖିଲା ବେଳକୁ ଚାରିଆଡ଼େ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ପାଇଥିଲେ କିନ୍ତୁ ତାଙ୍କ ସ୍ଵାମୀଙ୍କୁ ପାଇ ନଥିଲେ।

ଅଭିଯୁକ୍ତ ପୁଅ ମୃତଦେହ ଘୋଷାରି ନେଇଥିବା ରକ୍ତ ଚିହ୍ନକୁ ଦେଖି ଦେଖି ବାଡ଼ରେ ପହଞ୍ଚିଲା ବେଳକୁ ନିଜ ସ୍ଵାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସେଠାରେ ପଡ଼ିଥିବା ଦେଖିବାକୁ ପାଇ ଗାଁ ଲୋକ ଙ୍କୁ ଜଣେଇଥିଲେ। ପରେ ମୁକୁନ୍ଦପୁର ଫାଣ୍ଡିରେ ଏକ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ପୁଲିସ ଟିମ୍ ସହିତ ସେଠାରେ ପହଞ୍ଚି ଗାଁ ଲୋକଙ୍କୁ ପଚରାଉଚରା କରି ଅଭିଯୁକ୍ତ ଉଦୟକୁ ଧରି ଚାନ୍ଦିଲି ଥାନାକୁ ଜଣାଇଥିଲେ। ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସାଇଣ୍ଟିପିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଅନ୍ୟପଟେ ଏହି ହତ୍ୟାକାଣ୍ଡ ପରେ ଲାଲିବି ଗ୍ରାମରେ ଶୋକରଛାୟା ଖେଳି ଯାଇଛି।