March 8, 2026

ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ତିତୀକ୍ଷା ବିଶ୍ବସ୍ତରରେ ପହଞ୍ଚାଇବାକୁ ଆହ୍ବାନ। ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ୧୧୦ତମ ଜୟନ୍ତୀ ସମାରୋହ।

IMG-20251211-WA0011
Share

ଖୋର୍ଦ୍ଧା : ( ପ୍ରିୟଙ୍କା ମହାପାତ୍ର)ସ୍ବାଧୀନତା ସଂଗ୍ରାମରେ ସ୍ବାଧୀନତା ସଂଗ୍ରାମୀ କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ତିତୀକ୍ଷା ବିଶ୍ବସ୍ତରରେ ପହଞ୍ଚାଇବା ସହ ତାଙ୍କ ଆଦର୍ଶ ପ୍ରତି ଯୁବମାନସଙ୍କୁ ଆକୃଷ୍ଟ କରିବା ଲାଗି ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଆହ୍ବାନ ଦେଇଛନ୍ତି। ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦ ପକ୍ଷରୁ ଖୋର୍ଦ୍ଧାସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ ପରିସରରେ ଆୟୋଜିତ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପଣ୍ଡିତ ମିଶ୍ରଙ୍କ ଲବଣ ସତ୍ୟାଗ୍ରହରୁ ଆରମ୍ଭ କରି ଅସହଯୋଗ ଆନ୍ଦୋଳନରେ ରହିଥିବା ସମ୍ପୃକ୍ତି ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ରାଜ୍ୟ ସଭାପତି ତଥା ସ୍ମୃତି ପରିଷଦର ରାଜ୍ୟ ସମ୍ପାଦକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କ ସ୍ବାଗତ ଭାଷଣରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରତିପାଦନ କରିବା ସହିତ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ ଡିସେମ୍ବର ୬ ଠାରୁ ସଂଗ୍ରାମୀ ନାରାୟଣ ମିଶ୍ରଙ୍କ ଜୟନ୍ତୀ ଡିସେମ୍ବର ୯ ପର୍ଯ୍ୟନ୍ତ ଦୀର୍ଘ ଚାରି ଦିନ ଧରି ‘ସ୍ବାଧୀନତା ସଂଗ୍ରାମୀ ସ୍ମୃତି ସମାରୋହ’ ଆସନ୍ତା ବର୍ଷ ଠାରୁ କରାଯିବ ବୋଲି କହିଥିଲେ। ମୁଖ୍ୟବକ୍ତା ରୂପେ ଅଖିଳ ଭାରତ ଅଧିବକ୍ତା ପରିଷଦର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ଅଜିତ କୁମାର ପଟ୍ଟନାୟକ କହିଲେ ଆମ ଇତିହାସରେ କୌଣସି ସଂଗ୍ରାମୀ ତଥା ଅମର ଶହୀଦ ମାନଙ୍କ ବିଷୟରେ ପଢ଼ାଯାଉନଥିବାରୁ ଆମେ ଆଜି ମହାନ୍ ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଜାଣିପାରୁ ନାହୁଁ। ସେଥିପାଇଁ କ୍ଷୋଭ ପ୍ରକାଶ କରି ଇତିହାସର ପୁନର୍ଲିଖନ ଆଜିର ଆବଶ୍ୟକତା ବୋଲି ମତ ପ୍ରକାଶ କରିଥିଲେ। ଅଖିଳଚକ୍ର-ଓଡ଼ିଶାର ସମ୍ପାଦକ ହରେକୃଷ୍ଣ ପଣ୍ଡା ପଣ୍ଡିତ ମିଶ୍ର ଯାଜପୁର ଜିଲାର ବରୀ ଆଶ୍ରମରେ ରହି କିଭଳି ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ଲାଗି ବାନର ସେନା ଗଠନ କରିବାରେ ଅଗ୍ରସର ହେଉଥିଲେ, ସେ ସମ୍ପର୍କରେ ଅବତାରଣା କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ନିରଞ୍ଜନ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପଣ୍ଡିତ ମିଶ୍ରଙ୍କ ‘ଷଠି ଘର’ ଓ ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ର ପୁନରୁଦ୍ଧାର ପ୍ରତି ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ବକ୍ତା ବରିଷ୍ଠ ଶିକ୍ଷାବିତ୍ ଓ ସାହିତ୍ୟିକ ସତ୍ୟବାଦୀ ବଳିୟାରସିଂହ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ଲିଖିତ ‘ଚିଲିକା ଦର୍ଶନ’, ‘ଭୋଟର ଭାବନା’, ‘ପୁଣ୍ୟଶ୍ଲୋକ’ ଓ ‘ଦଶଦିଗ’ ଆଦି କାବ୍ୟ ଓଡ଼ିଆ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ ବୋଲି ବିବେଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ଇନର ହୁଇଲ କ୍ଲବ ସଭାନେତ୍ରୀ ଡ଼. ମିନତା ମହାନ୍ତି, କ୍ୟାପିଟାଲ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ବୃନ୍ଦାବନ ପଣ୍ଡା ପ୍ରମୁଖ ଯୋଗଦେଇ ବାଜପୁର ତଥା ଖୋର୍ଦ୍ଧା ମାଟି ପୁଣ୍ୟାତ୍ମା ମିଶ୍ରଙ୍କ ପାଇଁ ରୁଦ୍ଧିମନ୍ତ ହୋଇଛି ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ସୁକାନ୍ତି ପଟ୍ଟନାୟକ ଓ ଯୁବ ସାମ୍ବାଦିକ କମଲ କ୍ରିଷ୍ଣ ମହାନ୍ତି ପ୍ରମୁଖଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାନପତ୍ର ଓ ଉପଢ଼ୌକନ ଦ୍ଦ୍ୱାରା “ସଂଗ୍ରାମୀ ନାରାୟଣ ସ୍ମୃତି ସମ୍ମାନ”ରେ ବିଶେଷ ଭାଵରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆନ୍ଦୋଳନ ଓଡ଼ିଶାର ସମ୍ପାଦକ ନାଟ୍ୟକାର ସନ୍ତୋଷ କୁମାର ମହାନ୍ତି, ଚିତ୍ରଉତ୍ତୋଳକ ଗୋପୀନାଥ ନନ୍ଦୀ ଏବଂ ଫଟୋଗ୍ରାଫର ସନ୍ତୋଷ କୁମାର ଦାଶ ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଥିଲା। ଶେଷରେ ପଣ୍ଡିତ ମିଶ୍ରଙ୍କ ଅଣନାତି ସୌଭବ ମିଶ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସକାଳେ ମଙ୍ଗଳା ନଗର ଛକସ୍ଥିତ ପଣ୍ଡିତ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଉମାଶଙ୍କର ପ୍ରସାଦ, ଶକ୍ତି ଶଙ୍କର ମିଷ୍ର, ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ପଣ୍ଡିତ ମିଶ୍ରଙ୍କ ପୁତ୍ରବଧୂ ମନୋରମା ମିଶ୍ର, ଜୟଦେବ ମିଶ୍ର, ସୁବାସ ସାମନ୍ତରାୟ, ବୈକୁଣ୍ଠନାଥ ରାଜଗୁରୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।